ଦେଶର ଦୁଇଜଣ ପଦାର୍ଥ ବିଜ୍ଞାନୀ ପରସ୍ପର ସହିତ ଚିହ୍ନାଜଣା ହୁଅନ୍ତି ଏକ ଜାତୀୟ କର୍ମଶାଳାରେ । ଯୁବପିଢ଼ି ବିଶେଷ କରି ଯୁବତୀ ମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ରହିଥିବା ଭୟକୁ ନେଇ ସେମାନଙ୍କ ମଧ୍ୟରେ ଆଳାପ ହୁଏ । ଗ୍ରାମୀଣ ଯୁବତୀ ମାନଙ୍କୁ ବିଜ୍ଞାନ ପ୍ରତି ଭଲ ପାଇବା ଫେରାଇବା ଦିଗରେ ସେମାନେ ଏକ ମଞ୍ଚର ଆବଶ୍ୟକତା ବିଷୟରେ ସହମତ ହୁଅନ୍ତି । ଶେଷରେ ଏସଟିଇଏମ ନାମରେ ଏକ ଅନୁଷ୍ଠାନ ଗଢ଼ାହୁଏ । ଆଜି ଏହି ଅନୁଷ୍ଠାନ ସହିତ ଦେଶର ୩୦ ହଜାର ଯୁବ ବିଜ୍ଞାନୀ ଯୋଡି ହୋଇଛନ୍ତି ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ୧୪ ହଜାର କିଶୋରୀ ଓ ଯୁବତୀ । ଗଣିତ ,ପଦାର୍ଥ ବିଜ୍ଞାନ ଓ ମହାକାଶ ବିଜ୍ଞାନକୁ ନେଇ ଉଚ୍ଚତର ଶିକ୍ଷା,ସୃଜନ ଓ ଅନୁସନ୍ଧାନ ଦିଗରେ ଏହା ବିଦ୍ୟାର୍ଥୀ ମାନଙ୍କୁ ଆବଶ୍ୟକୀୟ ଦକ୍ଷତା ପ୍ରଦାନ କରିଥାଏ ।
ବିଜ୍ଞାନଶାଳାର ସଂସ୍ଥାପକ ହେଉଛନ୍ତି ଉତ୍ତରାଖଣ୍ଡର ଦର୍ଶନା ଯୋଶୀ ଓ ତାମିଲନାଡୁର ଶୋଭନା ନରସିଂହନ । ପୁନେ ରେ ଆୟୋଜିତ ଏକ କର୍ମଶାଳାରେ ଏହି ଦୁଇ ପଦାର୍ଥ ବିଜ୍ଞାନୀ ସାମ୍ପ୍ରତିକ ସମାଜ ଓ ଯୁବା ବର୍ଗଙ୍କ ବିଜ୍ଞାନ ପ୍ରତି କମି ଯାଉଥିବା ଆଗ୍ରହକୁ ନେଇ ଆଳାପ ହୋଇଥିଲା । ଉଭୟଙ୍କ ଆଳାପରୁ S T E M ର ସୃଷ୍ଟି ହୋଇଥିଲା । ୨୦୧୫ ରୁ ୨୦୧୮ ମଧ୍ୟରେ ଏହି ସଂଗଠନ ୧୦ ହଜାରରୁ ଅଧିକ ଛାତ୍ରୀଙ୍କୁ ବିଜ୍ଞାନରେ ଉଚ୍ଚତର ଶିକ୍ଷା ଓ ଗବେଷଣା ପାଇଁ ଦେଇଛି ସହଯୋଗ । ଏହାର ସଂସ୍ଥାପକ ଦର୍ଶନା ଯୋଶୀ ଶ୍ରମିକ ପରିବାରରୁ ଆସିଛନ୍ତି । ତାଙ୍କ ପରିବାର କାମ ଅନ୍ୱେଷଣରେ ଉତ୍ତରାଖଣ୍ଡରୁ ଦିଲ୍ଲୀ ଆସିଥିଲେ । ତାଙ୍କର ପିତା ଥିଲେ ଜଣେ ମାମୁଲି ଇଲେକ୍ଟ୍ରିସିଆନ । ପିଲାଦିନୁ ସେ ଜାଣିଥିଲେ ଭଲ ଶିକ୍ଷା ଦୂର କରିପାରିବ ଅଭାବ । ଶ୍ରମ ,ସାଧନା ,ଆଗ୍ରହ ଓ ନିଷ୍ଠାକୁ ପାଥେୟ କରି ସେ ପଦାର୍ଥ ବିଜ୍ଞାନରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପହଂଚିପାରିଲେ । ଅନୁରୂପ କାହାଣୀ ଶୋଭନାଙ୍କର । ଗରିବ ପରିବାରର ଶୋଭନା ଅଧିକ କଷ୍ଟ କରି ଜବାହାରଲାଲ ନେହରୁ ସେଣ୍ଟର ଫର ଆଡଭାନ୍ସଦ ସାଇଣ୍ଟିଫିକ ରିସର୍ଚ୍ଚ ପରେ ଇଟାଲୀରେ ବୈଜ୍ଞାନିକ ଭାବେ ନିୟୋଜିତ ଥିଲେ । ଉଭୟଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ବଦଳାଇଦେଲା ଦେଶର ହଜାର ହଜାର ଛାତ୍ରୀଙ୍କ ଜୀବନର ମୋଡ଼ । ଗାଁରୁ ନାସା ଓ ଇସ୍ରୋ ଯାଏଁ ପହଂଚିବାର ପ୍ରେରଣା ଦେଲା ଏସ ଟି ଇ ଏମ ।