• Wednesday, February 4, 2026

ସୁଭଦ୍ରା ହିତାଧିକାରୀଙ୍କ ସଫଳ ଷ୍ଟ୍ରବେରି ଚାଷ

Subhadra Live:Successful-strawberry-cultivation-of-Subhadra-beneficiaries
ଖବର ଓଡିଶା :24/01/2026

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମହୁଲପାଳ ପଂଚାୟତ ଅନ୍ତର୍ଗତ ନୀଳକଣ୍ଠପୁର ଗାଁ । ଏହି ଗାଁରେ ଭୂମିଷ୍ଠ ହୋଇଥିଲେ ଦେଶର ସର୍ବକନିଷ୍ଠ ସହିଦ ବାଜି ରାଉତ । ବାଜି ରାଉତଙ୍କ ଜନ୍ମମାଟି ଏହି ଐତିହାସିକ ଗାଁରେ ଏବେ ନୂଆକରି ହୋଇଛି  ଷ୍ଟ୍ରବେରି । ଚାଷ ପାଇଁ ସୁନାମ ଥିବା ନୀଳକଣ୍ଠପୁର ଓ କଣପାଳ ଗାଁରେ ମହିଳା ମାନଙ୍କ ସାମୁହିକ ଉଦ୍ୟମରେ ହୋଇଛି କରାଯାଇଛି ଷ୍ଟ୍ରବେରି ଚାଷ । କୃଷି ଓ ଉଦ୍ୟାନ କୃଷି ବିଭାଗ ,ଓଡିଶା ଜୀବିକା ନିର୍ବାହ ପ୍ରକଳ୍ପ ତଥା  ଭୁବନ ବ୍ଲକ ପ୍ରଶାସନର ଆର୍ଥିକ ଓ ବୈଷୟିକ ସହଯୋଗ ଫଳରେ ଏହା ସମ୍ଭବ ହୋଇଛି । ଗାଁରେ ଗଠିତ ମା ଚର୍ଚ୍ଚିକା ସ୍ୱୟଂ ସହାୟକ ଦଳର ୧୦ ଜଣ ସଦସ୍ୟାଙ୍କ ମଧ୍ୟରୁ ୭ ଜଣ ସୁଭଦ୍ରା ହିତାଧିକାରୀଙ୍କ ୧ ହେକ୍ଟର ଜମିରେ ଷ୍ଟ୍ରବେରି ଚାଷ ରୋଜଗାରର ରାସ୍ତା ପାଲଟିଛି । ବିଗତ ଦୁଇମାସ ଭିତରେ ୩୦ ହଜାର ଟଙ୍କାର ଷ୍ଟ୍ରବେରି ଅନୁଗୋଳ ଓ ଢେଙ୍କାନାଳ ବଜାରକୁ ଯାଇଥିବା ବେଳେ ଆଗକୁ ଲକ୍ଷାଧିକ ଟଙ୍କାର ଅମଳ ହେବ । ସମ୍ଭାବ୍ୟ ଲକ୍ଷପତି ଦିଦିଙ୍କୁ ବାଛି ସହଯୋଗ କରିବାର ଲକ୍ଷ ନେଇ ପ୍ରଶାସନ ଅଗ୍ରସର ହେଉଛି ।

ଏହି ଚାଷ ସୁଭଦ୍ରା ହିତାଧିକାରୀଙ୍କୁ ଲକ୍ଷପତି ଦିଦି କରାଇବ ବୋଲି କହିଛନ୍ତି ଭୁବନ ବିଡ଼ିଓ ଆୟୁଷି ମହାପାତ୍ର ଓ ଓଡିଶା ଜୀବିକା ମିଶନର ସ୍ଥାନୀୟ ପ୍ରତିନିଧି ସୁଚିତ୍ରା ମହାପାତ୍ର । ଏକ ହେକ୍ଟର ଜମିରେ ଲାଗିଛି ଷ୍ଟ୍ରବେରି । ବୁନ୍ଦା ଜଳସେଚନ ବ୍ୟବସ୍ଥା ସହିତ ଗ୍ରହଣ କରାଯାଇଛି ମଲଚିଙ୍ଗ ପଦ୍ଧତି । ଜୀବିକା ମିଶନ ପକ୍ଷରୁ ଲକ୍ଷେ ଟଙ୍କାର ଋଣ ଯୋଗାଇ ଦିଆଯାଇଥିବା ବେଳେ ସୁଭଦ୍ରା ଯୋଜନାର ଅର୍ଥକୁ ବିନିଯୋଗ କରିଛନ୍ତି ହିତାଧିକାରୀ । ଅଧିକ ଲାଭର ଆଶା ରଖି ଷ୍ଟ୍ରବେରି ଭଳି ଅର୍ଥକାରୀ ଉଦ୍ୟାନ କୃଷିକୁ ବଛାଯାଇଛି । ବ୍ରାହ୍ମଣୀ ନଦୀ କୁଳିଆ ଉର୍ବର ଜମି ସାଙ୍ଗକୁ ନଭେମ୍ବର ଡିସେମ୍ବର ଓ ଜାନୁୟାରୀ ମାସର ଥଣ୍ଡା ଜଳବାୟୁ ଷ୍ଟ୍ରବେରି ଚାଷକୁ ସୁହାଇଛି । ଚାରା ଗୁଡିକର ବୃଦ୍ଧି ଓ ଅମଳ ସାମର୍ଥ୍ୟ ଦେଖିବା ପରେ ଆଗକୁ ଅଧିକ ଜମିରେ କରିବା ପାଇଁ ବଢିଛି ଆଗ୍ରହ । ୬ ଗୁଣ୍ଠ ଜାଗାରୁ ୩୦ ହଜାର ଟଙ୍କାର ଫଳ ଅମଳ ହୋଇ ବିକ୍ରି ସରିଥିବା ବେଳେ ମାର୍ଚ୍ଚ ମାସ ମଧ୍ୟରେ ଆଉ ଲକ୍ଷେ ଟଙ୍କାର ଫଳ ଅମଳ ହେବାର ସମ୍ଭାବନା ରହିଥିବା କହନ୍ତି ଷ୍ଟ୍ରବେରି ଚାଷୀ ରଂଜିତା ପ୍ରଧାନ ଓ ସମ୍ପତ୍ତି ସାମଲ । 

Author Image

Henil Prava Swain

Author

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.