ଷ୍ଟ୍ରବେରି ନାଁ ଶୁଣିଲେ ମନକୁ ଆସେ ବିଦେଶୀ ଫଳ । ଫ୍ରାନ୍ସ ଓ ଅଷ୍ଟ୍ରେଲିଆର ରସାଳ ଏହି ଫଳ ବ୍ରିଟିଶ ଅମଳରେ ଆସିଥିଲା ମହାରାଷ୍ଟ୍ର । ସେଦିନ ଠାରୁ ମହାରାଷ୍ଟ୍ର ମହାବଳେଶ୍ୱର ଅଂଚଳର ଚାଷୀ ବ୍ୟାପକ ଭାବେ ଏହି ଚାଷରେ କରିଛନ୍ତି ମନୋଯୋଗ । ଏବେ ସେଠାରେ ୩୦୦୦ ଏକରରୁ ଅଧିକ ଜାଗାରେ ଏହା ଚାଷ ହେଉଥିବା ବେଳେ ଅନ୍ୟ ରାଜ୍ୟର ଚାଷୀ ମଧ୍ୟ ଏହାକୁ ଅନୁସୃତ କରୁଛନ୍ତି । ଉଦ୍ୟାନ ବିଭାଗର ସହଯୋଗରେ ଓଡ଼ିଶାର ଚାଷୀ ଷ୍ଟ୍ରବେରି ଚାଷ ଓ ଅମଳରେ ଉନ୍ନତିର ସୋପାନ ଆରୋହଣ କରୁଥିବା ଦେଖିବାକୁ ମିଳିଛି । ରାଜ୍ୟର ଉପକୂଳ ଠାରୁ ଉପାନ୍ତ ଯାଏଁ ସରକାରୀ ପ୍ରୋତ୍ସାହନ ଓ ବ୍ୟକ୍ତିଗତ ପ୍ରୟାସରେ ସୃଷ୍ଟି ହୋଇଛି ଷ୍ଟ୍ରବେରି ଚାଷରେ ସଫଳ କାହାଣୀ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗଣ୍ଡାମେର ପଂଚାୟତର ମହିଳା ଚାଷୀ ମମତା ତାଣ୍ଡି ପ୍ରଥମ ବର୍ଷ ଷ୍ଟ୍ରବେରି ଚାଷରୁ ସଫଳ ହେବା ପରେ ଦ୍ୱିତୀୟ ବର୍ଷ ପାଇଁ ଅଧିକ ଜମିରେ ଚାଷ କରି ସଫଳ ହୋଇଛନ୍ତି । ପୂର୍ବରୁ ମହିଳା ଚାଷୀଙ୍କୁ ମିଳୁନଥିଲା ତାଲିମ ,ଦକ୍ଷତାବୃଦ୍ଧି ,ପରିଦର୍ଶନର ସୁଯୋଗ କିମ୍ବା ବ୍ୟାଙ୍କ ଋଣ । ଚାଷରେ ଅଧିକ ସମୟ ସେମାନେ ଦେଉଥିବା ବେଳେ ସେମାନଙ୍କୁ ମିଳୁନଥିଲା ସମ୍ମାନ ,ସ୍ୱୀକୃତି କିମ୍ବା ପ୍ରୋତ୍ସାହନ । ଏବେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ମହିଳା ଚାଷୀଙ୍କୁ ୫୦ ପ୍ରତିଶତ ରିହାତି ରହିଛି । ମହିଳା ଚାଷୀଙ୍କୁ ସହଜରେ ଋଣ ସହିତ ପ୍ରଯୁକ୍ତି ସହଯୋଗ ମିଳୁଥିବାରୁ ମମତା ଙ୍କ ଭଳି କ୍ଷୁଦ୍ର ଚାଷୀ ସାହସର ସହିତ ନୂଆ ନୂଆ ଲାଭଜନକ କୃଷିକୁ ବାଛୁଛନ୍ତି ।
ମମତା ଜଣେ ପରିଶ୍ରମୀ ଚାଷୀ । ବିଗତ ୨୦ ବର୍ଷ ଧରି ସେ ନିଜ ସ୍ୱାମୀଙ୍କ ସହିତ ମିଶି ପାରମ୍ପରିକ ଧାନ,ମୁଗ ଓ ମକା ଚାଷ କରି ଗୁଜୁରାଣ ମେଣ୍ଟାଉଥିଲେ । ଏଥିରୁ ତାଙ୍କୁ ମିଳୁନଥିଲା ଲାଭ । ଗତବର୍ଷ ଉଦ୍ୟାନ ବିଭାଗର ଚାରା ଓ ବୈଷୟିକ ସହଯୋଗ ମିଳିବା ପରେ ସେ ୨୫ ଡ଼ିସିମିଲ ଜମିରେ ନୂଆ କରି ଷ୍ଟ୍ରବେରି ଚାରା ଲଗାଇଥିଲେ । ପ୍ରଥମ ଥର ଚାଷ ହୋଇଥିଲେ ହେଁ ସେ ପାଇଥିଲେ ଆଶାନୁରୂପକ ଲାଭ । ଏହାକୁ ଧ୍ୟାନରେ ରଖି ଚଳିତ ବର୍ଷ ସେ ଅଧିକ ତିନିଗୁଣା ଅର୍ଥାତ ଏକ ଏକର ଜମିରେ ଷ୍ଟ୍ରବେରି ସହିତ ଲଗାଇଛନ୍ତି ବିଟ,କୋବି ଆଉ କ୍ୟାପ୍ସିକମ । ବ୍ୟବସାୟିକ ଭାବେ ପ୍ରଥମ କରି ଷ୍ଟ୍ରବେରି ଚାଷ ହୋଇଥିବାରୁ ଆଖପାଖର ଚାଷୀ ଏଠାକୁ ଦେଖିବାକୁ ଆସୁଛନ୍ତି । ଜମିରେ ଜଳ ସୁବିଧା ,ଘାସ ନିୟନ୍ତ୍ରଣ ପାଇଁ ମଲଚିଙ୍ଗ ପଦ୍ଧତି ଓ ଆବଶ୍ୟକୀୟ ଦେଖାରଖା କରିବାରୁ ଫସଲ ମଧ୍ୟ ଭଲ ହୋଇଛି । ଆଗକୁ ଅଧିକ ଜମିରେ ଏଭଳି ଚାଷ କରିବାକୁ ପ୍ରସ୍ତୁତ ହେଉଛନ୍ତି ମମତା ଓ ତାଙ୍କ ସ୍ୱାମୀ ସାଧୁ ଚରଣ ।