ସେ ବାକ ଓ ଶ୍ରବଣ ବାଧିତ । କଥା କହିଲା ବେଳେ ଛୋଟ ପିଲାଙ୍କ ଭଳି ଖନେଇ ଖନେଇ ଅସ୍ପଷ୍ଟ ଭାବେ କହନ୍ତି । ପିଲାଦିନେ ମେରୁଦଣ୍ଡ ଜନିତ ସମସ୍ୟା ତାଙ୍କୁ ଏଭଳି ଶାରୀରିକ ଭାବେ ଅଲଗା କରିଥିବା କହନ୍ତି ଆନ୍ଧ୍ରପ୍ରଦେଶ ଭୀରୁପୁଲମର ବାସିନ୍ଦା ୪୫ ବର୍ଷର ଧନଲକ୍ଷ୍ମୀଙ୍କ ପରିବାର । ଧନଲକ୍ଷ୍ମୀ କଥା କହିପାରନ୍ତିନି କି ଶୁଣି ପାରନ୍ତିନି କିନ୍ତୁ କାନଭାସ ଆଗରେ ବସିଥିବା ବେଳେ ସେତେବେଳେ ତାଙ୍କର ଏହି ସମସ୍ୟା ନ ଥାଏ । ତାଙ୍କର ତୁଳି ,ରଙ୍ଗ ଓ ଚିତ୍ର କହିଦେଇଥାଏ ଅନେକ କିଛି । ଚିତ୍ରରୁ ସେ କଣ କହିବାକୁ ଚାହାଁନ୍ତି ସ୍ପଷ୍ଟ ହୋଇଥାଏ ।
ଧନଲକ୍ଷ୍ମୀ ଯେତେବେଳେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥଲେ ହରାଇ ବସିଲେ ଶୁଣିବାର ଶକ୍ତି । ତା ପଛକୁ ପଛ ତାଙ୍କ ପାଟିକୁ ଆଉ ଆସିଲାନି ଶବ୍ଦ ଗୁଡିକର ଉଚ୍ଚାରଣ । ସ୍ୱତନ୍ତ୍ର ଶିଶୁ ଭାବେ ମଧ୍ୟ ତାଙ୍କୁ ଗ୍ରହଣ କରାଯାଇ ଅଲଗା ଶିକ୍ଷାଦାନ ଦେବାର ସୁଯୋଗ ନଥିଲା । ସେ ଯେତିକି ବଡ଼ ହେବାକୁ ଲାଗିଥିଲେ ସେତିକି ସେତିକି ବଢ଼ୁଥିଲା ସମସ୍ୟା।ଘରକୁ ଆସୁଥିବା ଖବର କାଗଜରୁ କାର୍ଟୁନ ଦେଖି ସେ ଚିତ୍ର ମାୟାରେ ପଡିଲେ । ଚଟାଣ ଉପରେ ଆଙ୍ଗୁଳିରେ ଚିତ୍ର କରୁ କରୁ କାନଭାସରେ ଛବି ଆଙ୍କିବାର ଦକ୍ଷତା ହାସଲ କଲେ । ଚିତ୍ର ତାଙ୍କୁ ଶିଖାଇଛି ଚଟାଣ । ଆର୍ଟ କଲେଜରେ ପାଠ ନ ପଢି ମଧ୍ୟ ମଡର୍ଣ୍ଣ କ୍ଲାସିକାଲ ଆର୍ଟରେ ସେ ନିଜର ପାରଦର୍ଶିତା ପ୍ରଦର୍ଶିତ କରିଛନ୍ତି । ରଙ୍ଗରେ ଜୀବନ ସଂଚାର କରୁଥିବା ଧନଲକ୍ଷ୍ମୀ ଏବେ ଦେଶର ଜଣେ ପରିଚିତ ଚିତ୍ରଶିଳ୍ପୀ । ନିଜର ଶିଖିବାର ଆଗ୍ରହ ତାଙ୍କୁ ଏଠାରେ ଆଣି ପହଂଚାଇବା କହିଛନ୍ତି ଧନଲକ୍ଷ୍ମୀଙ୍କ ପରିବାର । ପିଲାଦିନୁ ଖବରକାଗଜର କାର୍ଟୁନ ଦେଖି ଚିତ୍ରକଳାକୁ ନିଶା ଭାବେ ଗ୍ରହଣ କରିଛନ୍ତି ଧନଲକ୍ଷ୍ମୀ । ବିଗତ ୧୫ ବର୍ଷରୁ ଅଧିକ ଧରି ତାଙ୍କର ଅନେକ ଏକକ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହୋଇଛି । ସାମାଜିକ ଜନଜୀବନର ପ୍ରତିଛବି ତୋଳିଥିବା ଏହି ଚିତ୍ରକର ମଡର୍ଣ୍ଣ ଆର୍ଟରେ ଆଗକୁ ଯିବାର ରଖିଛନ୍ତି ଲକ୍ଷ ।