ପେଶା ତାଙ୍କର ମ୍ୟୁନିସିପାଲଟିର ଅଳିଆ ଗାଡି ଡ୍ରାଇଭିଂ, ନିଶା କିନ୍ତୁ ପରୋପକାର । ସକାଳେ ୱାର୍ଡ ୱାର୍ଡ ବୁଲି ଦ୍ୱାର ମୁଁହରୁ ଅଳିଆ ସଂଗ୍ରହ ଓ ମଧ୍ୟାହ୍ନରେ ସହର ସାରା ବୁଲି ଭୋକିଲାଙ୍କୁ ରନ୍ଧା ଖାଦ୍ୟ ବିତରଣ । ଜଗତସିଂହପୁର ଜିଲ୍ଲା ପାରାଦୀପ ସହରରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ । ପାରାଦୀପ ପୌରପାଳିକା ଲକପଡାରେ ରହନ୍ତି ସମାଜସେବାରେ ଏଭଳି ଭିନ୍ନ ରୁଚି ରଖୁଥିବା ଜଣେ ମହିଳା ରିଙ୍କୁ ପାତ୍ର । ରିଙ୍କୁଙ୍କ ପରିବାରରେ ଆର୍ଥିକ ସ୍ଥିତି ସିନା ଭଲ ନାହିଁ ହେଲେ ତାଙ୍କ ନିକଟରେ ରହିଛି ଭୋକିଲଙ୍କ ପେଟ ଚିହ୍ନିଥିବା ବଡ଼ ହୃଦୟ । ପାରାଦୀପ ସହରରେ ଅଛନ୍ତି ଅନେକ କୋଟିପତି । କିନ୍ତୁ ଗରିବ କଲ୍ୟାଣ ପାଇଁ ସେମାନଙ୍କ ମନରେ ସମ୍ବେଦନା କ୍ଵଚିତ ଦେଖିବାକୁ ମିଳୁଥିବା ବେଳେ ଜଣେ ଅଭାବୀ ପରିବାରର ମହିଳା ହୋଇମଧ୍ୟ ରିଙ୍କୁଙ୍କ ହୃଦୟରେ ରହିଛି ତଳ ପାହଚର ମଣିଷଙ୍କ ପାଇଁ ସ୍ନେହ ,ପ୍ରେମ ,ଦୟା ଓ କରୁଣା ।
ପେଟର ଭୋକ କଣ ଭଲରେ ବୁଝିଛନ୍ତି ରିଙ୍କୁ । ସେଇଥିପାଇଁ ତ ତାଙ୍କ ମନରେ ଅଛି ଭୋକିଲା ଲୋକଙ୍କ ଚିନ୍ତା । ମ୍ୟୁନିସିପାଲିଟି ଅଳିଆ ଗାଡି ଚଳାଇ ସେ ଯାହା ଆୟ କରନ୍ତି ସେଥିରେ ନିଜ ସହିତ ଆଉ ୧୦ ଲୋକଙ୍କ କ୍ଷୁଧା ମେଣ୍ଟାନ୍ତି । ସକାଳୁ ଡ୍ୟୁଟିରୁ ଫେରିବା ପରେ ସେ ନିଜ ପରିବାର ପାଇଁ ରୋଷେଇ କରିବା ଭିତରେ ଆଉ କିଛି ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରନ୍ତି । ରୋଷେଇ ସରିବା ପରେ କେବେ ଏକା ତ କେବେ ନିଜ ପୁଅ ସହିତ ସ୍କୁଟିରେ ସହରର ବିଭିନ୍ନ ଗଳିକନ୍ଦି ବୁଲନ୍ତି । ରାସ୍ତା କଡରେ ଦୁର୍ବିସହ ଜୀବନ ଜିଉଁଥିବା ଲୋକଙ୍କ ନିକଟରେ ଅଟକେ ତାଙ୍କ ଗାଡି । କାହାକୁ ନିଦରୁ ଉଠାଇ ତ କାହା ସାଥିରେ ନେଇଥିବା ବ୍ୟାଗ ଭିତରୁ ଖାଦ୍ୟ ଓ ପାଣି ଶ୍ରଦ୍ଧାରେ ପରଷି ଦିଅନ୍ତି ରିଙ୍କୁ । ଖାଇବାକୁ ଦେବା ଭିତରେ ଦୁଇପଦ ଦୁଃଖସୁଖ ହୁଅନ୍ତି । ମାଙ୍କ ଏଭଳି କାମ ପ୍ରେରଣାଦାୟୀ ବୋଲି କହିଛନ୍ତି ତାଙ୍କ ପୁଅ ହାପି । ତେଣେ ଜୀବନ ଥିବା ଯାଏଁ ନିଜ ସାଧ୍ୟ ଅନୁସାରେ ଏଭଳି କାମ କରିବେ ବୋଲି କହିଛନ୍ତି ରିଙ୍କୁ ।