ରାଜସ୍ଥାନର ଛୋଟ ଏକ ଗାଁରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଏହି ଯାତ୍ରା କେବଳ ନୀତିଦିନର ତେଲ ଲୁଣ ଯୋଗାଡ଼ ପାଇଁ ନୁହଁ ,ନିଜର ସ୍ବପ୍ନ ଓ ଆକାଂକ୍ଷାର ପୂରଣ ପାଇଁ ମଧ୍ୟ ଥିଲା । ଆଜକୁ ୧୮ ବର୍ଷ ତଳେ ଘରର ଉତ୍କଟ ଅଭାବ କାରଣରୁ ଘର ଛାଡି ଗୁଜୁରାଟର ଏହି ସହରକୁ ବାଛିଥିଲେ ବୁଲି ଓରଫ ଭଉଁରୀ ଦେବୀ । ଅହମ୍ମଦାବାଦର ସହର ତଳି ଅଂଚଳରେ ଛୋଟ ଏକ ଘରୁ ଆରମ୍ଭ କଲେ ଜୀବିକା ପାଇଁ ସଂଘର୍ଷ । ଘର ଘର ବୁଲି ସେ ରୋଷେଇ କରିବା କାମ ପାଇଲେ । ପାରମ୍ପରିକ ରାଜସ୍ଥାନୀ ଘରୋଇ ଖାଦ୍ୟରୁ ଆରମ୍ଭ କରି ଧୀରେ ଧୀରେ ଉତ୍ତର ଓ ଦକ୍ଷିଣ ଭାରତୀୟ ଖାଦ୍ୟ ସହିତ ଶୁଦ୍ଧ ଗୁଜୁରାତି ବ୍ୟଞ୍ଜନ ତିଆରିରେ ମାହିର ପାଲଟିଗଲେ ଭଉଁରୀ । ଅନ୍ୟର ଘର ମାନଙ୍କରେ ଭୋଜନ ପ୍ରସ୍ତୁତ କରି ପିଲାଙ୍କୁ ପାଳୁଥିବା ଏହି ମହିଳା ଆଜି ନିଜର ନିଷ୍ଠା ଓ ଶ୍ରମ ଜରିଆରେ ନିଜ ପାଇଁ ତିଆରି କରିଛନ୍ତି ନୂଆ ପରିଚିତି ।
ଅନ୍ୟର ଘରେ ରୋଷେଇ କରି ନିଜ ତିନି ପିଲାଙ୍କୁ ପାଳୁଥିବା ଭଉଁରୀ ପରବର୍ତ୍ତୀ ସମୟରେ ନିଜର ରୋଜଗାରର କିଛି କିଛି ଅଂଶ ସଂଚୟ କରି ହୋମ ଫୁଡ ନାଁରେ ସ୍ୱାଦିଷ୍ଟ ସିଙ୍ଗଡ଼ା ପ୍ରସ୍ତୁତ କରି ବଜାରକୁ ଛାଡିଲେ । ଚୁଲ୍ଲୀ ନିଆଁରେ ପରିବା ପକ୍ଵ ହେଉଥିବା ବେଳେ ମନ ଭିତରେ ଥିବା ସ୍ବପ୍ନ ପକ୍ଵ ହେଉଥିଲା । ସମୟ ଯେତେ ଯେତେ ଅତିକ୍ରାନ୍ତ ହେଉଥିଲା ଭଉଁରୀ ଦେବୀ ସେତେ ବେଶୀ ସ୍ୱାସ୍ଥ୍ୟକର ଓ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ନିଜର ଏକ ଇମେଜ ତିଆରି କରିଥିଲେ । ୨୦୨୫ ମାଷ୍ଟର ସେଫ ଇଣ୍ଡିଆରେ ଅଂଶଗ୍ରହଣ ସୁଯୋଗ ତାଙ୍କୁ ପ୍ରସିଦ୍ଧି ଆଣିଦେଇଛି । ଏବେ ସେ ନିଜର ତିନି ଝିଅଙ୍କୁ ଉଚ୍ଚ ଶିକ୍ଷିତ କରାଇବା ସହିତ ନିଜର ବ୍ୟବସାୟରୁ ମାସିକ ୫୦ ହଜାରରୁ ଅଧିକ ରୋଜଗାର କରିପାରୁଛନ୍ତି ।