• Monday, March 2, 2026

ପାହାଡ଼ ସୁରକ୍ଷାର ନିଆରା ପ୍ରୟାସ କରୁଛନ୍ତି ପ୍ରୀତି

Subhadra Live:Preeti-is-making-a-unique-effort-to-protect-mountains
ଖବର ଓଡିଶା :12/01/2026

ହିମାଳୟର ପରିବେଶ ବିଗୁଡୁଛି । ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ବର୍ଷାର ଭୟଙ୍କର ପ୍ରଭାବ ସହିତ ଭୂସ୍ଖଳନ ବଢିଛି । ପାଣିପାଗର ଅନିୟମିତତା ଭିତରେ ସ୍ଥାନୀୟ ବାସିନ୍ଦା ପ୍ରକୃତି ସହିତ ସାଲିସ କରି ତିଷ୍ଟିଛନ୍ତି । ପାହାଡ଼ ଉପରେ ଜୀବିକା ନ ପାଇ ଉତ୍ତରାଖଣ୍ଡର ଯୁବକ ମାନେ ଘର ଠାରୁ ବହୁ ଦୂର ହରିୟାଣାରେ ଗୃହ ସହାୟକ ଭାବେ ଚଟାଣ ପୋଛିବାକୁ ଆଦରି ନେଉଛନ୍ତି । ୨୦୧୩ରେ କେଦାରନାଥ ଭୂସ୍ଖଳନ ଘଟଣା ପାହାଡ଼ ଉପରେ ରହୁଥିବା ଲୋକଙ୍କୁ ପଳାୟନ ପାଇଁ ବିବଶ କରିଥିବା ବେଳେ ରୁଦ୍ର ପ୍ରୟାଗ ଜିଲ୍ଲାରେ ପ୍ରୀତି ପୁଷ୍ପାୱାନ ନାମ୍ନୀ ଜଣେ ମହିଳା ପ୍ରକୃତି ସହିତ ବାସିନ୍ଦାଙ୍କ ନୂଆ ଜୀବନ ପାଇଁ ରାସ୍ତା ବାହାର କରିଛନ୍ତି ।

ପୁଷ୍ପା ଏଥିପାଇଁ ଏକ ଷ୍ଟାର୍ଟଅପ ଆରମ୍ଭ କରିଛନ୍ତି । ନିଜ ସଂଚିତ ୨.୫ ଲକ୍ଷ ଟଙ୍କାକୁ ବିନିଯୋଗ କରି ନିଜ ଘରକୁ ବାହାର ପର୍ଯ୍ୟଟକଙ୍କ ପାଇଁ ଆତିଥେୟତା ଦୃଷ୍ଟିରୁ ଅନୁକୂଳ ହୋମ ଷ୍ଟେ ସୁବିଧା ଦେଇଛନ୍ତି । କେବଳ ପ୍ରାକୃତିକ ସାଧନ ବ୍ୟବହାର କରି ଘରକୁ ନୂଆ ରୂପ ଦେଇଛନ୍ତି ପୁଷ୍ପା । ଘରର ଶୌଚାଳୟକୁ ସ୍ୱଚ୍ଛ ରଖିବା ସହିତ ପାରମ୍ପରିକ ଖାଦ୍ୟ ଅତିଥିଙ୍କୁ ପରଷି ଦେବାର ବ୍ୟବସ୍ଥା କରିଛନ୍ତି । ତାଙ୍କର ପ୍ରଥମ ଅତିଥି ପହଂଚିଥିଲେ ଜର୍ମାନୀରୁ । ୨ ଦିନ ପାଇଁ ଆସିଥିବା ଜର୍ମାନ ପର୍ଯ୍ୟଟକ ପୁଷ୍ପାଙ୍କ ବ୍ୟବହାର ଓ ଗାଁର ଚଳଣି ପ୍ରତି ଆକର୍ଷିତ ହୋଇ ପୁରା ୧୫ ଦିନ ବିତାଇଥିଲେ । ପର୍ଯ୍ୟଟକଙ୍କ ପାଇଁ ହୋମ ଷ୍ଟେ ବ୍ୟବସ୍ଥାରୁ ଘରର ପରିଚ୍ଛନ୍ନତା ,ସ୍ଥାନୀୟ ପରିବେଶର ଲାଭ ଓ ରୋଜଗାରର ରାହା ମିଳିବାରୁ ପୁଷ୍ପାଙ୍କ ଗାଁ ସିଦ୍ଧବରୀ ପର୍ଯ୍ୟଟନ ମାନଚିତ୍ରରେ ବିଶେଷ ମର୍ଯ୍ୟାଦା ପାଇଲା । ପାହାଡ଼ ଉପରେ ବଡ଼ ବଡ଼ ଜଳ ପ୍ରକଳ୍ପ ବଦଳରେ ସୌରଶକ୍ତି ୟୁନିଟ ,ଟ୍ରି ହାଉସ ,ହୋମ ଷ୍ଟେ ବ୍ୟବସ୍ଥା ,ବ୍ୟାପକ ବନୀକରଣକୁ ଗୁରୁତ୍ୱ ଦିଆଗଲେ ହିମାଳୟର ପରିବେଶ ଓ ଆର୍ଥିକ ଭବିଷ୍ୟତ ସୁରକ୍ଷିତ ରହିପାରିବ । ପାହାଡ଼ ଉପରେ ବଡ଼ ବଡ଼ ହୋଟଲ ନିର୍ମାଣ ପରିବର୍ତ୍ତେ  ଗାଁ ଗୁଡିକର ପରିବେଶ ସଜାଡ଼ିବା ସହିତ ହୋମ ଷ୍ଟେ ଭିତ୍ତିଭୂମି ପାଇଁ ଧ୍ୟାନ ଦେବାର ଉପଯୁକ୍ତ ସମୟ ଆସିଛି ବୋଲି କହିଛନ୍ତି ପୁଷ୍ପା  । ପୁଷ୍ପାଙ୍କ ହୋମ ଷ୍ଟେ ପ୍ରକଳ୍ପ ଏବେ ପୁରା ଗାଁ ଓ ପଡୋଶୀ ଗାଁକୁ ବ୍ୟାପ୍ତ ହୋଇଛି । ପରିବାର ଗୁଡିକ ନିଜ ପରିବେଶ ,ଖାଦ୍ୟ ଓ ସଂସ୍କୃତି ଜରିଆରେ ଭଲ ଆୟ ମଧ୍ୟ କରୁଛନ୍ତି ।

Author Image

Henil Prava Swain

Author

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.