ଆଉ ସେମାନଙ୍କୁ ମୂଳ ମଜୁରୀ ପାଇଁ ଦୁରକୁ ଯିବାକୁ ପଡୁନି । ଘର ଅଗଣାରେ ବସି କରିହେଉଛି ରୋଜଗାର । ଏହା ସେତେବେଳେ ସମ୍ଭବ ହୋଇଛି ଯେତେବେଳେ ମହିଳା ମାନେ ନିଜ ସ୍ଥିତିର ପରିବର୍ତ୍ତନ ପାଇଁ ଇଛା କରି ଗଢ଼ିଛନ୍ତି ସ୍ୱୟଂ ସହାୟକ ଦଳ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ କୁସୁମବନ୍ଧ ଭଳି ଦୁର୍ଗମ ଗାଁରେ ମଧ୍ୟ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ୧୧ ଜଣ ମହିଳାଙ୍କୁ ନେଇ ଗଠିତ ବୁଢା ଚାଉଁରିଆ ମହିଳା ସ୍ୱୟଂ ସହାୟକ ଦଳର ସଦସ୍ୟା ଏବେ କମ ପରିଶ୍ରମରେ ଭଲ ରୋଜଗାର କରିବାର ସ୍ବପ୍ନ ନେଇ ଅଗ୍ରସର ହେଉଛନ୍ତି । ୨୦୧୪ ପୂର୍ବରୁ ଏହି ଗାଁର ମହିଳା କୁଲି ମଜୁରୀ ଉପରେ ନିର୍ଭର କରୁଥିଲେ । ଏବେ ସେମାନେ ସଂଚୟ ଓ ଋଣ ଯୋଜନା ମାଧ୍ୟମରେ ନିଜର ଆର୍ଥିକ ସ୍ଥିତିର ପରିବର୍ତ୍ତନ କାମରେ ସଫଳତାର ନିକଟବର୍ତ୍ତୀ ହୋଇଛନ୍ତି । ଦଳ ଗଢିବା ପରେ ୫ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ଯୋଗାଡ଼ କରି ଏଥିରେ ପେପର ପ୍ଲେଟ ମେସିନ ବସାଇବା ସହିତ କରୁଛନ୍ତି ମିଲେଟ ବ୍ୟବସାୟ ।
୫ଲକ୍ଷ ଟଙ୍କା ବିନିଯୋଗ କରି କିଣାଯାଇଛି ମେସିନ । ବିଦ୍ୟୁତ ଚାଳିତ ଏହି ମେସିନରେ ତିଆରି ହେଉଛି କାଗଜ ପ୍ଲେଟ । ଜୟପୁର ଠାରୁ କଞ୍ଚାମାଲ କିଣିଆଣି ଗାଁରେ ପ୍ଲେଟ ତିଆରିକୁ ଜୀବିକା କରିଛନ୍ତି ମହିଳା ଦଳ । ଦଳର ନିଜସ୍ୱ ଘର ନଥିବାରୁ ଜଣେ ସଦସ୍ୟାଙ୍କ ଘରେ ବସାଯାଇଛି ମେସିନ । ଘର କାମ ସାରି ମହିଳା ମାନେ ମେସିନ ନିକଟରେ ଏକାଠି ହୁଅନ୍ତି । କିଛି ଘଂଟାର ପରିଶ୍ରମରେ ଯେତିକି ପ୍ଲେଟ ତିଆରି ହୁଏ ତାହାକୁ ଭଲ ଭାବେ ଜରି ମୁଣାରେ ପ୍ୟାକ କରାଯାଏ । ମେସିନରେ ପ୍ରେସିଙ୍ଗ କରିବା ଠାରୁ ପ୍ୟାକ ଯାଏଁ ସବୁ କାମ ମିଳିମିଶି କରାଯାଏ । ନୂଆ ନୂଆ ଏହି ଉଦ୍ୟୋଗ ସହିତ ମାଣ୍ଡିଆ ଓ ଲଙ୍କା ଗୁଣ୍ଡ ପାଇଁ ମଧ୍ୟ ବସାଯାଇଛି କଳ । ଏଥିରୁ ହେଉଥିବା ରୋଜଗାରରେ ଋଣ ପରିଶୋଧ ସହିତ ବ୍ୟବସାୟକୁ ବଢାଇବାର ରହିଛି ଲକ୍ଷ ।