ଆସାମ,ନାଗାଲାଣ୍ଡ,ମଣିପୁର ଭଳି ଆମର ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଗୁଡିକ ଆମ ପାଇଁ ପ୍ରକୃତିର ବରଦାନ । ନୈସର୍ଗିକ ଶୋଭା ସହିତ ଅମୁଲ୍ୟ ଜୈବ ବିବିଧତା ଏହାକୁ ଅନନ୍ୟ କରି ଗଢି ତୋଳିଛି । ସାତ ଭଉଣୀ ରାଜ୍ୟ ଭାବେ ପରିଚିତ ଏସବୁ ଅଂଚଳରେ ଏବେ ବି ସବୁ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟ,ଶିକ୍ଷା,ନ୍ୟାୟ ,ସମ୍ପତ୍ତିର ଅଧିକାର ନାହିଁ । ମୁଖ୍ୟ ସ୍ରୋତ ଠାରୁ ଦୂରରେ ଥିବା ଲୋକଙ୍କ କଲ୍ୟାଣ ପାଇଁ ସେସବୁ ରାଜ୍ୟରେ ଗଢ଼ା ଯାଇଛି ଅନେକ ସାମାଜିକ ଅନୁଷ୍ଠାନ । ଏହି ଅନୁଷ୍ଠାନ ଗୁଡିକ ମଧ୍ୟରେ ଏମିତି କିଛି ପ୍ରମୁଖ ସାମାଜିକ ଅନୁଷ୍ଠାନ ରହିଛି ଯେଉଁ ଅନୁଷ୍ଠାନ ଗୁଡିକର ନେତୃତ୍ୱ ନେଉଛନ୍ତି ମହିଳା ।
ଆସାମର ଏକ ଅଗ୍ରଣୀ ସାମାଜିକ ସଂଗଠନ ଭାବେ ପରିଚିତ ସ୍ଟୁଡ଼ିଓ ନୀଳିମା । ଅବନ୍ତୀ ଦତ୍ତ ନାମ୍ନୀ ଜଣେ ଓକିଲ ଏହାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ନିର୍ଦେଶକ । ଏହାର ପ୍ରତିଧ୍ୱନି ନାମରେ ପ୍ରଚଳିତ ଏକ ପ୍ରକଳ୍ପ ଦୀର୍ଘକାଳୀନ ଜେଲ ଭୋଗୁଥିବା ବ୍ୟକ୍ତି ଓ ସେମାନଙ୍କ ପରିବାର ମଧ୍ୟରେ ସେତୁ ଭଳି କାମ କରେ । ଜେଲଦଣ୍ଡକୁ ଚରିତ୍ର ସୁଧାର ଭାବେ କିଭଳି ପ୍ରୟୋଗ କରାଯାଇପାରିବ ସେ ଦିଗରେ କାମ କରୁଛନ୍ତି ଅବନ୍ତୀ ।
ଅରୁଣାଚଳ ପ୍ରଦେଶରେ ନାରୀ ଶିକ୍ଷାର ବିସ୍ତାର ଦିଗରେ କାମ କରୁଛନ୍ତି ଦୁଇ ଭଉଣୀ ନୁରାମ ମିନା ଓ ନୁରାମ ରୀନା । ରାଜ୍ୟରେ ୨୬ ଷ୍ଟ୍ରିଟ ଲାଇବ୍ରେରୀ ପରିଚାଳନା କରିବା ସହିତ ଦୁର୍ଗମ ଗାଁରେ ପୁସ୍ତକ ଯୋଗାଣ ପାଇଁ କରିଛନ୍ତି ଅଭିନବ ବ୍ୟବସ୍ଥା । ଶିଶୁ ଓ ମହିଳା ମାନଙ୍କ ନିକଟରେ ବିଭିନ୍ନ ବହି ଉପଲବ୍ଧ କରିବା ପାଇଁ ସେ ପ୍ରତିଷ୍ଠା କରିଛନ୍ତି ନୁରାମ ଲର୍ଣ୍ଣିଙ୍ଗ ଇନଷ୍ଟିଟ୍ୟୁଟ । ଏହି ଅନୁଷ୍ଠାନ ଦୈନିକ ୧୦୦୦ ପାଠକଙ୍କୁ ଲମ୍ବା ସମୟ ଧରି ପୁସ୍ତକ ଦେଇ ଆସୁଛି ।
ନାଗାଲାଣ୍ଡର ଏକ ଅଗ୍ରଣୀ ପରିବେଶ ସଂସ୍ଥା ହେଉଛି କେନନ ଫାଉଣ୍ଡେସନ । ଏହାର ସଂସ୍ଥାପକ ହେଉଛନ୍ତି ରୁଚିନୀଳ କେମ୍ପ । ନାଗାଲାଣ୍ଡରେ ଜୈବ ବିବିଧତା ରେଜିଷ୍ଟାର ପ୍ରସ୍ତୁତ କରିବାରେ କେନନ ଫାଉଣ୍ଡେସନର ରହିଛି ବଡ଼ ଯୋଗଦାନ । ସେହିପରି ମେଘାଳୟର ଋତୁପର୍ଣ୍ଣା ନିଯୋଗୀ ଆକାଶ ଫାଉଣ୍ଡେସନ ଗଢି କମ୍ୟୁନିଟି ଲାଇବ୍ରେରୀ ଅଭିଯାନ ହାତକୁ ନେଇଛନ୍ତି । ସାମାଜିକ ନ୍ୟାୟ ,ଜୀବିକାରେ ଉନ୍ନତି ,ପରିବେଶ ସୁରକ୍ଷା, ଅନ୍ତର୍ଭୁକ୍ତି କରଣ ବିକାଶ ସହିତ ନାରୀ ସଶକ୍ତିକରଣ ଦିଗରେ ଉପରୋକ୍ତ ମହିଳା ନେତୃତ୍ୱାଧୀନ ସଂସ୍ଥା ଉଲ୍ଲେଖନୀୟ କାମ କରି ଲୋକଙ୍କ ପ୍ରିୟ ଭାଜନ ହୋଇଛନ୍ତି ।