ମହିଳାଙ୍କୁ ସଶକ୍ତ କରିଛି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାଞ୍ଜିଆପାଳ ଗାଁର ଜୁଲି ବେହେରା ଏଭଳି ଯୋଜନାର ସାଜିଛନ୍ତି ରୂପକାର । ଜିଲ୍ଲା କୃଷି ,ଉଦ୍ୟାନ କୃଷି ,ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ସହାୟତାରେ ସେ ସମନ୍ବିତ ଚାଷ ପାଇଁ ଭିଡିଛନ୍ତି ଅଣ୍ଟା । ନିଜର ବ୍ୟବସାୟୀ ସ୍ୱାମୀ ଶଶୀକାନ୍ତଙ୍କ ସହଯୋଗରେ ଜୁଲି ପ୍ରଥମବର୍ଷ ସଫଳତାର ସହିତ ଫଳାଇଛନ୍ତି ବଲ ସୁନ୍ଦରୀ ପ୍ରଜାତିର ବିଦେଶୀ ବରକୋଳି । ଏହି ଥାଇଲାଣ୍ଡ ବରକୋଳି ଫଳରେ ଲଦି ହୋଇଛି ଗଛ । ପ୍ରଥମରୁ ହିଁ ଭଲ ଅମଳର ମିଳିଛି ସୂଚକ । ଫଳ ଭର୍ତ୍ତି ଗଛର ସୁରକ୍ଷା ଦେବା ପାଇଁ ଦିଆଯାଇଛି ଢ଼େରା । ଫଳ ଗୁଡିକ ସ୍ୱାଦିଷ୍ଠ ହୋଇଥିବାରୁ ଆଖପାଖ ବଜାରରେ ବିକ୍ରି ହୋଇଯିବାର ରହିଛି ସମ୍ଭାବନା । ଯଦି ଫଳ ଗୁଡିକ ପାଇଁ ଭଲ ଦର ଓ ବଜାର ମିଳେ ତେବେ ଆଗକୁ ଏହି ଚାଷର ସମ୍ପ୍ରସାରଣ ପାଇଁ ପ୍ରୟାସ ଆରମ୍ଭ କରିବାକୁ ଯୋଜନା କରିଛନ୍ତି ଜୁଲି ।
ଉଚ୍ଚ ଶିକ୍ଷିତା ଜୁଲି ଚାଷ ପାଇଁ ଦେଉଛନ୍ତି ସମୟ । ପୂର୍ବରୁ ଯେଉଁ ଜମିରେ କେବଳ ନଡ଼ିଆ,କଦଳୀ ଲାଗିଥିଲା ସେଠାରେ ବ୍ୟବସାୟିକ ଫଳ ଚାଷର ସମ୍ପ୍ରସାରଣ ପାଇଁ ହୋଇଛି ଉଦ୍ୟମ । ଆବଶ୍ୟକୀୟ ଭିତ୍ତିଭୂମି ବିକାଶ କରି ଲଗାଯାଇଛି ଲାଲ ପ୍ରଜାତିର ଡ୍ରାଗନଫ୍ରୁଟ । ପାଖରେ ଏକ ପୋଖରୀ ଖୋଳାଯାଇ ଆରମ୍ଭ ହୋଇଛି ମାଛଚାଷ । ଆଗକୁ ଗୋପାଳନ ପାଇଁ ମଧ୍ୟ ରହିଛି ଯୋଜନା । ଜମିର କୋଡା ଖୋସା ,ଘାସ ବଛା ,ଚାରା ରୋପଣ ,ସାର ପ୍ରୟୋଗ ଓ ଅମଳ ପାଇଁ ୧୦ ରୁ ଅଧିକ ଶ୍ରମିକଙ୍କୁ କରାଯାଇଛି ନିୟୋଜିତ । ଗାଁରେ କୃଷି ଜରିଆରେ ନିରନ୍ତର ରୋଜଗାର ମିଳିବାର ନମୁନା ସୃଷ୍ଟି କରିଛି ଜୁଲିଙ୍କ ଏହି ପ୍ରକଳ୍ପ ।