ଜନ୍ମରୁ ସେ ଥିଲେ ମୁକ ଓ ବଧିର । ଜନ୍ମ ନେବାର ତିନିଦିନ ପରେ ଘାତକ ଜଣ୍ଡିସ ରୋଗରେ ପୀଡିତ ହୋଇଥିଲେ ଗୁଜରାଟ ଅହମ୍ମଦାବାଦ ବାସିନ୍ଦା ଧ୍ୱନି ପଟେଲ । ଏଥିପାଇଁ ତାଙ୍କର ରକ୍ତ ପ୍ରତିବଦଳର ଆବଶ୍ୟକତା ଥିଲା । ସବୁ ଅଙ୍ଗକୁ ରକ୍ତ ପହଂଚିବା ଥିଲା ଜରୁରୀ । ଯେଉଁ ଅଙ୍ଗରେ ରକ୍ତ ପହଂଚିପାରିବ ନାହିଁ ସେହି ଅଙ୍ଗ ଅଚଳ ହୋଇଯିବ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ ଗୁଜୁରାଟ ଡାକ୍ତର । ଡାକ୍ତରଙ୍କ ଆଶଂକା ସତ ହୋଇଥିଲା।
ଜନ୍ମର ଆରମ୍ଭରୁ ଜୀବନ ତାଙ୍କ ପାଇଁ ସଂଘର୍ଷପୂର୍ଣ୍ଣ ଥିଲା । କିନ୍ତୁ ଏହି ସଂଘର୍ଷକୁ ଧ୍ୱନି ନିଜ ଶକ୍ତି ଓ ସାମର୍ଥ୍ୟରେ ରୂପାନ୍ତର କରିଥିଲେ । ଦୁର୍ବଳତାକୁ ସାମର୍ଥ୍ୟରେ ବଦଳାଇ ସେ ଅନ୍ୟ ଦିବ୍ୟାଙ୍ଗଙ୍କ ପାଇଁ ରଚିଲେ ପ୍ରେରଣା । କଠିନ ରାସ୍ତାରେ ଆଗକୁ ବଢିବାର କଷ୍ଟକୁ ସାମ୍ନା କଲେ ଓ ନିଜେ ନିଜର ପରିଚୟ ତିଆରି କରିବାରେ ସଫଳ ହେଲେ । ୧୯୯୦ ରେ ଗୁଜୁରାଟର ଅହମ୍ମଦାବାଦରେ ଜନ୍ମିତ ଧ୍ୱନି ଜନ୍ମରୁ ଶତ ପ୍ରତିଶତ ମୁକ ଓ ବଧିର ଥିଲେ । ଦୁନିଆରେ ପାଦ ଥାପିବା ମାତ୍ରେ ବିଧାତା ତାଙ୍କ ପାଇଁ ଏଭଳି ପରୀକ୍ଷାର ସମ୍ମୁଖୀନ କରାଇଥିଲା । ଧ୍ୱନୀଙ୍କ ପିତା ଥିଲେ ଜଣେ ସାଧାରଣ ଇଲେକ୍ଟ୍ରିସିଆନ ଓ ମାତା ଥିଲେ ଗୃହିଣୀ । ଏଭଳି ଅବସ୍ଥାରେ ଜନ୍ମିତ ଶିଶୁ ସନ୍ତାନକୁ ନେଇ ବିଭିନ୍ନ ମେଡିକାଲରେ ଦେଖାଇ ନିରାଶ ହେବା ପରେ ଘରେ ଆରମ୍ଭ କଲେ ଫିଜିଓ ଥେରାପି । ଲଗାତାର ଫିଜିଓ ଥେରାପି ପରେ ସେ ବସିବା ଓ ଚାଲିବାରେ ସଫଳ ହେଲେ। ବଡ଼ ହେବା ପରେ ସେ ଘରେ ନିଜେ ନିଜେ କମ୍ପ୍ୟୁଟର ଚଳାଇବା ଶିଖିଲେ । କିଛି କରିବାର ଇଛାଶକ୍ତି ଓ ଆଗ୍ରହ କାରଣରୁ ସେ ଅତି କମ ଦିନ ଭିତରେ ୱାର୍ଡପେଡ ,ଏମଏସ ଅଫିସ ,ଡ଼ିଟିପି ,ଟାଇପିଙ୍ଗ କାମ ସହଜରେ କରିପାରି ନିଜ ଘରୁ ରୋଜଗାର କରିବା ଆରମ୍ଭ କଲେ । ଧ୍ୱନି ଏବେ ପ୍ରତିକୂଳ ସ୍ରୋତରେ ସଂଘର୍ଷ କରି ସ୍ୱାବଲମ୍ବୀ ହୋଇଛନ୍ତି । ଫଟୋ ଫ୍ରେମିଙ୍ଗ,ଗିଫ୍ଟ ପ୍ୟାକିଂ ଓ ଚାକିରୀ ପାଇଁ ଆବେଦନ କରିବାରେ ସହାୟକ ହେବା ସହିତ କାର୍ଯ୍ୟାଳୟ ସମ୍ବନ୍ଧିତ ନାଗରିକ ସେବା ଦେଇ ଦୈନିକ ୫୦୦ ରୁ ୧୦୦୦ ଟଙ୍କା ରୋଜଗାର କରିବାରେ ସଫଳ ହୋଇଛନ୍ତି । ସେ ପ୍ରମାଣିତ କରିଛନ୍ତି ଯେ ନିଷ୍ଠା ଓ ଆଗ୍ରହ ରହିଲେ ସମସ୍ୟା ଭିତରେ ବି ଜଣେ ଆଗକୁ ଯାଇପାରିବ ।