ଘରର ଆର୍ଥୀକ ସ୍ଥିତି ଭଲ ନୁହଁ । ବାପା ଟ୍ରକ ଚଳାଇ କରିଥାନ୍ତି ପରିବାର ପ୍ରତିପୋଷଣ । ଝିଅ ସରକାରୀ ସ୍କୁଲରୁ ମାଟ୍ରିକ ପରେ ସରକାରୀ ପଲିଟେକନିକରେ ଡିପ୍ଲୋମା ଓ ଶେଷରେ ଗୁଣ୍ଠୁର ଠାରେ ଥିବା ଏନ ଆର ଆଇ ଇଂଜିନିୟରିଂ କଲେଜରେ ବି ଟେକ ଫ୍ରି ସିଟରେ ପଢି ଗୋଲ୍ଡ ମେଡାଲ ପାଇବା ପରେ ବାର୍ଷିକ ୧୦ ଲକ୍ଷ ଟଙ୍କା ପ୍ୟାକେଜର ଚାକିରୀକୁ ଛାଡି ଯେତେବେଳେ ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଇ ଆଇ ଇ ଏସ ହେବାର ସଂକଳ୍ପ ନେଲେ ସେତେବେଳେ ଅନେକ ସମ୍ପର୍କୀୟ ନାପସନ୍ଦ କରୁଥିଲେ । କିନ୍ତୁ ପରିବାର ଦେଇଥିଲା ସାଥ । ବର୍ଷେ ପ୍ରୟାସ କରିବା ପରେ ଏବେ ତିରୁପତିର ଏହି ଟ୍ରକ ଡ୍ରାଇଭରଙ୍କ ଝିଅ ଡି ଇନ୍ଦୁମଥି ଭାରତୀୟ ଇଂଜିନିୟରିଂ ସର୍ଭିସରେ ୭୫ ତମ ରାଙ୍କ ପାଇ ନିଜ ପରିବାର ତଥା ଅଂଚଳ ପାଇଁ ଆଣିଛନ୍ତି ଗର୍ବ ।
ଇନ୍ଦୁମତୀଙ୍କ କାହାଣୀ ଗଭୀର ଆତ୍ମବିଶ୍ୱାସ ଓ ଆତ୍ମ ପ୍ରତ୍ୟୟର ଏକ ନିଚ୍ଛକ ପ୍ରେରଣାଦାୟୀ କାହାଣୀ । ଝିଅର ସଫଳତାରେ ପ୍ରତିକ୍ରିୟା ଦେଇ ତାଙ୍କ ପିତା କହନ୍ତି ଦୈନିକ ଖାଦ୍ୟ ଯୋଗାଡ଼ ପାଇଁ ମୁଁ ସାରା ଜୀବନ ସଂଘର୍ଷ କରିଛି । ଆଜି ମୋ ପାଇଁ ମୋ ଝିଅ ଶାନ୍ତିର କପୋତ ଟିଏ ହୋଇ ମୋ ପାଇଁ ସଫଳତା ଆଣିଛି । ଆଜି ମୁଁ ଭାବୁଛି ମୋ ସଂଘର୍ଷର ହୁଏତ ଅନ୍ତ ଘଟିଛି । ଇନ୍ଦୁମଥିଙ୍କ ମା କହନ୍ତି ଝିଅକୁ ଆମେ ସ୍ୱାଧୀନତା ଦେଇଥିଲୁ । କ୍ୟାରିୟର ପାଇଁ ରାସ୍ତା ବାଛିବାରେ ବିଶେଷ ସହଯୋଗ କରିନଥିଲେ ବି ପ୍ରତିଟି କ୍ଷେତ୍ରରେ ସାହସ ଦେଇଥିଲୁ । ଏବେ ଝିଅ ପ୍ରତିବଦଳରେ ଆମକୁ ଗର୍ବିତ କରାଇଛି । ଇନ୍ଦୁମଥିଙ୍କ ସ୍କୁଲ ଶିକ୍ଷକ ତଥା ମାର୍ଗଦର୍ଶକ ତଥା କପିଳେଶ୍ୱର ହାଇସ୍କୁଲର ପ୍ରଧାନ ଶିକ୍ଷକ କୃଷ୍ଣମୁର୍ତ୍ତି କହନ୍ତି ଗାଁର ଛୋଟିଆ ଶ୍ରେଣୀ ପ୍ରକୋଷ୍ଠରୁ ଜାତୀୟ ସ୍ତରର ସଫଳତମ ପ୍ରତିଭା ବାହାରୁଥିବାରୁ ନିଜ ଉପରେ ଆତ୍ମବିଶ୍ୱାସ ବଢିଛି । ପୂର୍ବରୁ ଏହି ସ୍କୁଲର ଜଣେ ଛାତ୍ର ଇସ୍ରୋରେ ବୈଜ୍ଞାନିକ ଭାବେ ନାଁ କମାଇଛି ।