ଏଠି ଥିଲା ପଥରଖଣି । ଏବେ ଆକର୍ଷଣୀୟ ପ୍ରମୋଦ ଉଦ୍ୟାନ । ପଥର ଖୋଳି ନେବା ପରେ ପରିତ୍ୟକ୍ତ ଜମି ପାଲଟିଥିବା ଏହି ସ୍ଥାନ ଏବେ ପାଲଟିଛି ପର୍ଯ୍ୟଟନର ନୂଆ ଠିକଣା । ଦେଶୀ ବିଦେଶୀ ରଙ୍ଗୀନ ଫୁଲର ପସରା ଭିତରେ ବିକଶିତ ଏକ ଜଳାଶୟରେ ପର୍ଯ୍ୟଟକ ନେଉଛନ୍ତି ବୋଟିଂର ମଜା । ରଙ୍ଗର ବର୍ଣ୍ଣାଳି ଭିତରେ ମନଲୋଭା ପରିବେଶ ସୃଷ୍ଟି କରିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଭୂଷଣ୍ଡପୁର ଠାରେ ନୂଆ ରୂପ ପାଇଥିବା ବାରୁଣାବନ୍ତ ପର୍ଯ୍ୟଟନସ୍ଥଳ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ସାଙ୍ଗକୁ ସ୍ଥାନୀୟ ସରପଞ୍ଚ ଯଯାତି କେଶରୀ ରାଉତଙ୍କ ଆଗ୍ରହ ,ନିଷ୍ଠା ଆଉ ସଂକଳ୍ପର ଘଟିଛି ସଫଳ ସଂଯୋଗ । ପରିତ୍ୟକ୍ତ ପଡିଆ ଜମିକୁ ଫେରିଛି ସବୁଜିମା,ହସୁଛି ଫୁଲ । ବଡ଼ ବଡ଼ ଉଦ୍ୟାନ ଗୁଡିକରେ ଯେଉଁ ସବୁ ଫୁଲ ଦେଖିବା ଅସମ୍ଭବ ସେସବୁ ଫୁଲ ଏଠାରେ ଦେଖିବାକୁ ମିଳିଛି । ସରପଞ୍ଚଙ୍କ ବ୍ୟକ୍ତିଗତ ଉଦ୍ୟମରେ ବିଭିନ୍ନ ଜାଗାରୁ ସଂଗ୍ରହ ହୋଇ ଆସିଥିବା ଚାରା ପର୍ଯ୍ୟଟକଙ୍କ ସେଲ୍ଫି ପଏଣ୍ଟ ପାଲଟିଛି । ଗାଁ ପରିବେଶରେ ସୁନ୍ଦର ଏକ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସହିତ ସ୍ଥାନୀୟ ଅର୍ଥନୀତିରେ ଦେଇଛି ପ୍ରଭାବୀ ଯୋଗଦାନ ।
ଆକର୍ଷଣର କେନ୍ଦ୍ର ପାଲଟିଛି ବାରୁଣାବନ୍ତ ପର୍ୟଟନ ସ୍ଥଳ । ଆଖପାଖ ତଥା ଦୂରଦୂରାନ୍ତରୁ ଆସୁଛନ୍ତି ଦଳଦଳ ପର୍ଯ୍ୟଟକ । ପିକନିକ ପାଇଁ ସ୍ଥାନଟି ଉତ୍କୃଷ୍ଟ ବିବେଚିତ ହୋଇଥିବା ବେଳେ ବେଶୀ ମାତ୍ରାରେ ଆସୁଛନ୍ତି ଯୁବା । ଶିଶୁ ,କିଶୋର ଓ ଯୁବକଙ୍କ ପାଇଁ ଚିତ୍ତବିନୋଦନ ପାଇଁ ରହିଛି ଭିନ୍ନ ଭିନ୍ନ ବ୍ୟବସ୍ଥା । ଦୋଳିରେ ଝୁଲିବା ,ଡିଆଁକୁଦା ମାରିବା ,ବୋଟିଂର ମଜାନେବା ସାଙ୍ଗକୁ ଫୁଲକୁ ପାଖରେ ରଖି ସେଲ୍ଫି ନେବାର କରାଯାଇଛି ସୁବିଧା । ଅନଲାଇନରେ ମାତ୍ର ୩୫୦ ଟଙ୍କା ଦେୟରେ ଦଳଗତ ଭୋଜି ପାଇଁ ବୁକିଂ ସୁବିଧା ରହିଛି । ଆବଶ୍ୟକୀୟ ସରଞ୍ଜାମ ସହିତ ରୋଷେୟା ଉପଲବ୍ଧ ହେଉଥିବାରୁ ବ୍ୟାଚ ମିଟ,ବନ୍ଧୁମିଳନ ଠାରୁ ପାରିବାରିକ ସମାବେଶ ପାଇଁ ଏହା ପାଲଟିଛି ପସନ୍ଦର ସ୍ଥାନ । କାହାକୁ ଏଠାରେ ବୋଟିଂର ଆନନ୍ଦ ମିଳୁଛି ତ କିଏ ଫୁଲକୁ ଦେଖି ହେଉଛି ବିମୋହିତ । ଭୂମିର ନକ୍ସା ବଦଳାଇ ସ୍ଥାନୀୟ ରୋଜଗାରରେ ଯୋଗଦାନ ଦେଇଥିବା ସରପଞ୍ଚଙ୍କୁ ଅନେକେ ଜଣାଇଛନ୍ତି ଧନ୍ୟବାଦ ।