• Saturday, September 21, 2024

ୟୁଟ୍ୟୁବରେ ହସ୍ତକଳା ଭିଡିଓ ଛାଡି ମାସକୁ ଲକ୍ଷେ ଟଙ୍କା ପାଉଛନ୍ତି ଅର୍ପିତା

Subhadra Live:Arpita-earns-millions-of-dollars-a-month-by-leaving-handmade-videos-on-YouTube
ଭୁୁବନେଶ୍ୱର,ଖବରଓଡ଼ିଶା

ରୋଜଗାରର ମାଧ୍ୟମ ସାଜିଛି ହସ୍ତକଳା। ଅଦରକାରୀ କାଗଜ ଓ ଅନ୍ୟାନ୍ୟ ସାମଗ୍ରୀରେ ଭଳିକି ଭଳି ଆକର୍ଷଣୀୟ ଘର ସଜ୍ଜା ସାମଗ୍ରୀ ତିଆରି କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ଭଦ୍ରକ ଜିଲ୍ଲା ବନ୍ତବ୍ଲକ ତରାଗୋ ଗାଁର ଅର୍ପିତା ପ୍ରିୟଦର୍ଶିନୀ । ସିଟି ପାସ କରି ଶିକ୍ଷୟତ୍ରୀ ହେବାର ସ୍ବପ୍ନ ଦେଖୁଥିବା ଅର୍ପିତା ଲକଡାଉନ ସମୟର ଉପଯୋଗ କରି ୬ ହଜାର ଟଙ୍କାର କଞ୍ଚାମାଲ କ୍ରୟ ସହ ଆରମ୍ଭ କରିଥିଲେ ହସ୍ତକଳା ଜରିଆରେ ଭାଗ୍ୟ ପରୀକ୍ଷା । ଏସବୁ ସାମଗ୍ରୀ ତିଆରି ବେଳେ ସେ ମୋବାଇଲ କ୍ୟାମେରାରେ ଭିଡିଓ ତିଆରି କରିବା ଆରମ୍ଭ କଲେ ଓ କ୍ରାଫ୍ଟ ଗ୍ୟାଲେରୀ ନାଁରେ ୟୁଟ୍ୟୁବ ଚାନେଲ ଖୋଲି ସେଥିରେ ଭିଡିଓ ଗୁଡିକ ଅପଲୋଡ଼ କରିବାରେ ଲାଗିଲେ । କ୍ରାଫ୍ଟ ଗ୍ୟାଲେରୀରେ ଲକ୍ଷେ ସବସ୍କ୍ରାଇବ ହେବା ପାଇଁ ତାଙ୍କୁ ତିନିମାସ ସମୟ ଲାଗିଥିବା ବେଳେ ପରବର୍ତୀ ୪ ଲକ୍ଷ ସବସ୍କ୍ରାଇବ ପାଇଁ ଆଉ ୬ମାସ ଲାଗିଥିବା କହନ୍ତି ଅର୍ପିତା । ଅନୁଗାମୀ ଓ ଦର୍ଶକଙ୍କ ସଂଖ୍ୟା ବଢିବା ପରେ ଅର୍ପିତାଙ୍କ ଖାତାକୁ ଆସିବାରେ ଲାଗିଥିଲା ଟଙ୍କା । ଏବେ ଅର୍ପିତା ନିୟମିତ ଭାବେ ମାସକୁ ଫେସବୁକ ଠାରୁ ଲକ୍ଷେ ଟଙ୍କାର ପ୍ରାପ୍ୟ ପାଉଥିବା କହନ୍ତି ତାଙ୍କ ବାପା ନିରଞ୍ଜନ ଖଟୁଆ । 

ଫୁଳମୟ ହୋଇଉଠିଛି ଅର୍ପିତାଙ୍କ ଘର । ଯୁଆଡେ ଆଖି ପହଁଚୁଛି ଦେଖାଯାଉଛି ଫୁଲ ଆଉ ଫୁଲ । ଘରର ପ୍ରବେଶପଥ ଠାରୁ ଆରମ୍ଭ କରି ଡ୍ରଇଂ ରୁମ ,ଲିଭିଂ ରୁମ ଚାରିଆଡେ ଶୋଭାପାଉଛି ଅର୍ପିତାଙ୍କ ହାତ ତିଆରି ରଙ୍ଗବେରଙ୍ଗୀର ନାନା ପ୍ରକାର ଫୁଲ ଆଉ ଘର ସଜା ଉପକରଣ । ବିଗତ ଦେଢ଼ବର୍ଷ ହେଲା ଏସବୁ ତିଆରିରେ ନିଜକୁ ନିୟୋଜିତ ରଖି ସମ୍ମାନ ସାଙ୍ଗକୁ ଅର୍ଥ ରୋଜଗାର କରୁଛନ୍ତି ଭଦ୍ରକ ଜିଲ୍ଲା ବନ୍ତବ୍ଲକ ତରାଗୋ ଗାଁର ଝିଅ ଅର୍ପିତା ପ୍ରିୟଦର୍ଶିନୀ ଖଟୁଆ । ଅଦରକାରୀ କାଗଜ ,ରଙ୍ଗ ,ତୁଳି ,କାର୍ଟେନ,ପେନସିଲ,ରଙ୍ଗୀନ କାଗଜ ,କଇଁଚିକୁ ନେଇ କାମରେ ନିୟୋଜିତ ଅର୍ପିତା ସୁନ୍ଦର ଭାବେ ତିଆରି କରୁଛନ୍ତି ନାନା ପ୍ରକାର କ୍ରାଫ୍ଟ । ସେ କେବଳ ଭଳିକି ଭଳି ସାମଗ୍ରୀ ତିଆରି କରି ଘର ସଜାଉ ନାହାନ୍ତି ,ବରଂ କ୍ରାଫ୍ଟ ଗ୍ୟାଲେରୀ ନାଁରେ ୟୁଟ୍ୟୁବରେ ଏକ ଚାନେଲ କରି ସେଥିରେ କଳାକୃତିର ଭିଡିଓ ମାନ ଅପଲୋଡ଼ କରି ପାଇଛନ୍ତି ପ୍ରସିଦ୍ଧି । ଜଣେ ଅନ୍ୟତମ ଲୋକପ୍ରିୟ ୟୁଟ୍ୟୁବର ଭାବେ ଆଗକୁ ବଢୁଛନ୍ତି ଭଦ୍ରକ ଗ୍ରାମାଞ୍ଚଳର ଝିଅ ଅର୍ପିତା । ଏବେ ୟୁଟ୍ୟୁବରେ ତାଙ୍କ ଚାନେଲକୁ ଅନୁସରଣ କରୁଛନ୍ତି ୫ ଲକ୍ଷ ଦର୍ଶକ । ବିପୁଳ ସଂଖ୍ୟକ ଦର୍ଶକ ତାଙ୍କ ଚାନେଲକୁ ସବସ୍କ୍ରାଇବ କରିଥିବାରୁ ଅର୍ପିତା ମାସକୁ ଲକ୍ଷେ ଟଙ୍କାର ରୋଜଗାର ପାଉଥିବା କହନ୍ତି । 

 ଘରର ଅଲିଅଳି ଝିଅ ଅର୍ପିତା ଏବେ ନିଜର ସୁନ୍ଦର ହସ୍ତକଳା ପାଇଁ ବିଖ୍ୟାତ ହେବାରେ ଲାଗିଛନ୍ତି । ଅଦରକାରୀ ଖବର କାଗଜକୁ ନାନା ପ୍ରକାର ଆକାରରେ କାଟି ତାକୁ ଅଠାରେ ଯୋଡି ସେ ତିଆରି କରୁଛନ୍ତି ବିଭିନ୍ନ ପ୍ରକାର କାନ୍ଥଟଙ୍ଗା ,ଦେବ ବିଗ୍ରହ ,ଫାଟୋଫ୍ରେମ ଗୋଲାପ ଫୁଲ ,ପେନଷ୍ଟାଣ୍ଡ ,ସୁନ୍ଦର,ସୁନ୍ଦର ଦୀପ ଓ କଳସି । ଏସବୁ କାମର କୌଶଳ ସେ ନିଜର ଅନୁଗାମୀ ମାନଙ୍କୁ ଦେବାପାଇଁ ତିଆରି ବେଳର ଭିଡିଓ କରି ୟୁଟ୍ୟୁବରେ ଅପଲୋଡ଼ କରି ଅନେକଙ୍କୁ ଶିଖାଇବା ସହିତ ନିଜେ ସ୍ୱାବଲମ୍ବୀ ହୋଇଛନ୍ତି । ବାପା ମା ଜେଜେମା , ଭାଇ ଓ ପରିବାରର ଅନ୍ୟ ସଦସ୍ୟଙ୍କ ଗହଣରେ ଫଟୋ ଦେବାବେଳେ ଅର୍ପିତାଙ୍କ ହାତରେ ରହିଛି ୟୁଟ୍ୟୁବରୁ ପାଇଥିବା ପ୍ରଶସ୍ତି ଫଳକ । ତାଙ୍କର କ୍ରାଫ୍ଟ ଗ୍ୟାଲେରୀ ଚାନେଲରେ ଅଧିକ ଅନୁଗାମୀ ପାଇଁ ତାଙ୍କୁ ଏଭଳି ପ୍ରଶଂସା ମିଳିଛି । ଅର୍ପିତାଙ୍କ ପିତା ନିରଞ୍ଜନ ଖଟୁଆ କହନ୍ତି ଝିଅ ସିଟି ପାସ କରି ଘରେ ବସିଥିବା ବେଳେ ସମୟର ସଦୁପଯୋଗ କରି ଏତେ ବାଟ ଯାଇପାରିଛନ୍ତି । ତା କାମରେ ଆମେ ବହୁତ ଖୁସି ବୋଲି ମା କହିଥିବା ବେଳେ ପିଉସୀ କହିଛନ୍ତି ଆମେ ଚାକିରୀ କରି ଯାହା କରିପାରିନୁ ସେ ୟୁଟ୍ୟୁବରୁ ସେସବୁ ଘର ପାଇଁ କରିପାରୁଛି । ସମୟର ଉପଯୁକ୍ତ ବିନିଯୋଗ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଗ୍ରାମୀଣ ଭଦ୍ରକର ଦୀପଶୀଖା ଅର୍ପିତା ଅନ୍ୟ ମାନଙ୍କୁ ହସ୍ତଶିଳ୍ପ ଜରିଆରେ ଆୟର ମାର୍ଗ ଦେଖାଇ ପ୍ରେରଣା ପାଲଟିଛନ୍ତି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.