ମନ୍ଦିରର ବାସି ମଉଳା ଫୁଲକୁ ବ୍ୟବହାର କରି ମଙ୍ଗଳମ ଧୂପବତୀ ମିଶନ ଶକ୍ତି ଗ୍ରୁପର ମହିଳାମାନେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।
ଯେଉଁ ଫୁଲ ପୂଜା ପରେ ରାସ୍ତା କଡ଼ରେ ଫୋପାଡ଼ି ଦିଆଯାଉଥିଲା, ଆଜି ସେହି ଅଦରକାରୀ ଫୁଲ ହଜାର ହଜାର ଟଙ୍କାର ସୁଗନ୍ଧିତ ଧୂପକାଠି ହୋଇ ବଜାରକୁ ଯାଉଛି । ଗଞ୍ଜାମ ଜିଲ୍ଲା ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ରଣ୍ଢା ପଞ୍ଚାୟତର ମଙ୍ଗଳମ ଧୂପବତୀ ମିଶନ ଶକ୍ତି ମହିଳା ଗ୍ରୁପ ଏହି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି।
ରଣ୍ଢା ଅଞ୍ଚଳରେ ଅନେକ ପୁରୁଣା ମଠ-ମନ୍ଦିର ରହିଛି। ପ୍ରତିଦିନ ହଜାର ହଜାର ଭକ୍ତ ପୂଜା-ଅର୍ଚ୍ଚନା କରିବାକୁ ଆସନ୍ତି। ସେମାନେ ଧୂପ-ଦୀପ ଓ ଫୁଲ ଆଣନ୍ତି । ଠାକୁରଙ୍କ ମସ୍ତକରୁ ଓହ୍ଲାଇବା ପରେ ସେ ଫୁଲ ମାଟିରେ ଫୋପାଡ଼ି ଦିଆଯାଉଥିଲା ।
କିନ୍ତୁ ମଙ୍ଗଳମ ଧୂପବତୀ ଗ୍ରୁପର ମହିଳାମାନେ ସେହି ଫୁଲ ବାଛି ଆଣନ୍ତି, ଶୁଖାଇ ପେଷ୍ଟ କରନ୍ତି ଓ ତା’ ସହିତ ଅନ୍ୟ ସୁଗନ୍ଧିତ ଉପାଦାନ ମିଶାଇ ସୁନ୍ଦର ଧୂପକାଠି ପ୍ରସ୍ତୁତ କରନ୍ତି । ଏହି ଧୂପକାଠି ବର୍ତ୍ତମାନ ରଣ୍ଢା ବଜାର ସହ ଗୋପାଳପୁର, ବ୍ରହ୍ମପୁର ଆଦି ସ୍ଥାନରେ ବହୁତ ଚାହିଦା ହେଉଛି ।
ସରକାରୀ ସହାୟତା ଓ ତାଲିମ
ରଙ୍ଗେଈଲୁଣ୍ଡା ବ୍ଲକର ଉତ୍ପାଦକ ଗୋଷ୍ଠୀ (PG) ତରଫରୁ ଏହି ଗ୍ରୁପକୁ ୨ ଲକ୍ଷ ୪୦ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଛି। TPSODL ତରଫରୁ ଧୂପକାଠି ତିଆରି ମେସିନ ଓ ଅନ୍ୟ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଇଛି । ବ୍ଲକ ପ୍ରକଳ୍ପ ପରିଚାଳକଙ୍କ ନିର୍ଦ୍ଦେଶରେ ମହିଳାମାନଙ୍କୁ ବିଶେଷ ତାଲିମ ମଧ୍ୟ ଦିଆଯାଇଛି।
ଏହି ଗ୍ରୁପରେ ୧୨ରୁ ଅଧିକ ମହିଳା ସଦସ୍ୟ କାମ କରୁଛନ୍ତି । ସେମାନେ ପ୍ରତିଦିନ ବଜାରକୁ ନୂଆ ଧୂପକାଠି ପଠାଉଛନ୍ତି ଏବଂ ଭଲ ଲାଭ ପାଉଛନ୍ତି ।
ନାରୀ ଶକ୍ତିର ଉଜ୍ଜ୍ୱଳ ଉଦାହରଣ
ଆଜିର ଯୁଗରେ ନାରୀ ଅବଳା ନୁହନ୍ତି, ସବଳା । ମଙ୍ଗଳମ ଧୂପବତୀ ଗ୍ରୁପର ମହିଳାମାନେ ଏହାର ଜୀବନ୍ତ ଉଉଦାହରଣ । ଘର କୋଣରୁ ବାହାରି ସେମାନେ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି ଏବଂ ଅନ୍ୟ ମହିଳାଙ୍କୁ ମଧ୍ୟ ସ୍ୱାବଲମ୍ବୀ ହେବାକୁ ପ୍ରେରଣା ଦେଉଛନ୍ତି ।
ଆଗକୁ ଆହୁରି ଅଧିକ ପ୍ରୋତ୍ସାହନ ଓ ବଜାର ସୁବିଧା ମିଳିଲେ ଏହି ଗ୍ରୁପ ଆହୁରି ବଡ଼ ଉଚ୍ଚତାକୁ ପହଞ୍ଚିବ ବୋଲି ସଦସ୍ୟାମାନେ ଆଶା ରଖିଛନ୍ତି।
ଅଦରକାରୀ ଫୁଲକୁ ମୂଲ୍ୟବାନ ସାମଗ୍ରୀରେ ରୂପାନ୍ତର କରି ରଣ୍ଢାର ମହିଳାମାନେ ପ୍ରମାଣ କରିଛନ୍ତି —
“ଯଦି ଇଚ୍ଛାଶକ୍ତି ଥାଏ, ତେବେ ଅସମ୍ଭବ କିଛି ନାହିଁ।”