• Saturday, September 21, 2024

ବରା,ପିଆଜି ଛାଣି ୫ ପ୍ରାଣୀ କୁଟୁମ୍ବ ପୋଷୁଛନ୍ତି ପାପଡାହାଣ୍ଡିର ବେବି ପାଇକ

Subhadra Live:Bara-Baby-Pique-of-Papadahandi
ଭୁୁବନେଶ୍ୱର,ଖବରଓଡ଼ିଶା

ଅବେଳରେ ପରପାରିକୁ ଚାଲିଗଲେ ବାପା । ପାଠରେ ଡୋରିବାନ୍ଧି ସଂସାର ସମ୍ଭାଳିବାକୁ ବାହାରକୁ ପାଦ କାଢ଼ିଲେ ମଝିଆ ଝିଅ ବେବି । ମା ଓ ୪ ଭଉଣୀଙ୍କ ଦାୟିତ୍ୱ ନିଜ କାନ୍ଧକୁ ନେଇ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ସୁବାସ ପାଇକଙ୍କ ଝିଅ ବେବି ପାଇକ ଛୋଟ ଏକ ଜଳଖିଆ ଦୋକାନ ଖୋଲିଲେ । ଦୋକାନରେ ମିସ୍ତ୍ରୀ ହୋଇ ତିଆରି କଲେ ଦୋସା । ଛାଣିଲେ ବରା,ପିଆଜି ଆଉ ପ୍ରସ୍ତୁତ କଲେ ସ୍ୱତନ୍ତ୍ର ରାଗଚଣା ଆଉ ଚଟଣୀ । ଝିଅଟିଏ ହୋଇ ପୁରୁଷଙ୍କ ବୃତ୍ତିରେ ପାଦ ଥାପିଥିବା ବେବୀ ଙ୍କ ବ୍ୟବହାର ଓ ସ୍ୱାଦିଷ୍ଠ ଜଳଖିଆ ଗ୍ରାହକଙ୍କୁ ଦୋକାନ ଆଡ଼କୁ ଟାଣିଆଣୁଥିଲା । ନିଜେ ମାଲିକ ଆଉ ନିଜେ ମିସ୍ତ୍ରୀ ଆଉ ହେଲ୍ପର୍ ସାଜି ବେବି ବେଶ ଦୁଇପଇସା ସଞ୍ଚୟ ରେ ସକ୍ଷମ ହୋଇଥିଲେ । ଏହି ଅର୍ଥରେ ନିଜ ଦୁଇ ବଡ଼ ଭଉଣୀଙ୍କୁ ବିବାହ କରାଇ ପ୍ରସଂଶା ପାଇଥିଲେ ବେବି ।

ପାପଡାହାଣ୍ଡି ଭଳି ଅଳ୍ପ ବିକଶିତ ଛୋଟ ଏକ ବ୍ଲକରେ ଅସୀମ ସାହସ ଓ ଧୈର‌୍ୟ୍ୟକୁ ପାଥେୟ କରି ଝିଅଟିଏ ହୋଇ ସୁଦ୍ଧା ଜଳଖିଆ ଦୋକାନ ଜରିଆରେ ତାଙ୍କର ସ୍ୱାବଲମ୍ବିର ଯାତ୍ରାକୁ ପସନ୍ଦ କରିଥିଲେ ସ୍ଥାନୀୟ ବାସିନ୍ଦା ।

ଭୋର ୫ରୁ ବେବିଙ୍କ ଆରମ୍ଭ ହୁଏ ଦିନ ଚର‌୍ୟ୍ୟା । ଦୋସା, ଚକୁଳି, ଚଟଣୀ ଆଉ ଚା ତିଆରି ସହିତ ତାଳ ଦେଇ ବାସନ ମଜା, ପାଣି ସଂଗ୍ରହ, ଗ୍ରାହକଙ୍କ ଠାରୁ ପଇସା ରଖିବା ଯାଏଁ କାମ ଯନ୍ତ୍ରବତ କରିଥାନ୍ତି । ବେବି କହନ୍ତି କୌଣସି ବି କାମ ଛୋଟ ନୁହଁ କି ବଡ଼ ନୁହଁ । ଲକ୍ଷ୍ୟ ପ୍ରତି ସମର୍ପିତ ରହିଲେ ଆମେ ବିଜୟୀ ହୋଇପାରିବା । ଲକ ଡାଉନ କଟକଣା ରେ ବିପର‌୍ୟ୍ୟସ୍ତ ହୋଇପଡିଥିବା ବେବି ଙ୍କ ବ୍ୟବସାୟ ଏବେ ପୁଣିଥରେ ମୁଣ୍ଡ ଟେକିବାକୁ ପ୍ରୟାସ କରିଛି । ଅଳ୍ପ ପାଠ ପଢିଥିବା ବେବି ନିଜସ୍ୱ ପରିଶ୍ରମ ବଳରେ ପିତାଙ୍କ ସ୍ୱପ୍ନକୁ କାନ୍ଧ ଦେଇ ପୁରା କରିବାରେ ଲାଗିଛନ୍ତି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.