ପାରାଦୀପ ଲକପଡା ବସ୍ତିର ଏକ ପଲିଥିନ ଘେରା ଭଙ୍ଗାଘରେ ରହୁଛି ଲକ୍ଷ୍ମୀ ସିଂ । ଲକ୍ଷ୍ମୀ ଜନ୍ମରୁ ମୁକ ଆଉ ବଧିର । ଏସବୁ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ସେ ଦେଖୁଛି ଅଲମ୍ପିକ ଯିବାର ସ୍ବପ୍ନ । ରାଜ୍ୟ ଓ ଜାତୀୟ ସ୍ତରରେ ଜୁଡୋରେ ବ୍ରୋଞ୍ଜ ଓ ସ୍ବର୍ଣ୍ଣ ପଦକ ଜିତିଥିବା ଲକ୍ଷ୍ମୀ ନିଜର ଅଦମ୍ୟ ଓ ଅକୁଣ୍ଠିତ ସାହସ ସହିତ ଆଗକୁ ବଢୁଛି । ବାପାଙ୍କ ମୂଲ ମଜୁରିରେ ଚଳୁଥିବା ୫ଜଣିଆ ପରିବାରରେ ଶୁଖିଲା ଭାତ ସହିତ ଟିପେ ଲୁଣ ମଧ୍ୟ ସବୁବେଳେ ମିଳେନି । ବିପଦସଂଙ୍କୁଳ ସଂକୀର୍ଣ୍ଣ ଭଙ୍ଗା ଘର ଭିତରେ ଭୋକ ସହିତ ଜୀବନ ଆଗକୁ ବଢୁଥିବା ବେଳେ ଲକ୍ଷ୍ମୀର ସ୍ବପ୍ନ କିଭଳି ପୂରଣ ହେବ ତାକୁ ନେଇ ପରିବାରରେ ଅନେକ ଭାବନା । ଝିଅ ଉଡ଼ାଜାହାଜରେ ଚଢ଼ିବ ଆଉ ଜୁଡୋରେ ଅଲମ୍ପିକ ପଦକ ଆଣିବ ବୋଲି ଉଚ୍ଚ ସ୍ବପ୍ନ ଦେଖୁଥିବା ବେଳେ ଏହାକୁ ନେଇ ମା ହୋଇଛନ୍ତି ଆବେଗ । ଜୁଡୋ କଣ ବୁଝୁନଥିବା ତାଙ୍କ ବାପା ମା କିନ୍ତୁ ଏତିକି ବୁଝିଛନ୍ତି ଯେ ଝିଅ କିଛି ଗୋଟେ ଭଲ କାମରେ ଲାଗିଛି ।
ବସ୍ତିର ବଣମଲ୍ଲି ଲକ୍ଷ୍ମୀ । କହିବା ଓ ଶୁଣିବା ସମସ୍ୟା ସତ୍ୱେ ଜୁଡୋରେ ପ୍ରଦର୍ଶିତ କରିଛି ଅପୂର୍ବ ଦକ୍ଷତା । ଓଡିଶା ପାଇଁ ଜାତୀୟ ସ୍ତରରେ ଖେଳି ପଦକ ଆଣିଛି । ନ୍ୟାସନାଲ ଖେଳି ରାଙ୍କ ଦୁଇରେ ରହିବାରୁ ଦିବ୍ୟାଙ୍ଗଙ୍କ ପାଇଁ ଅନୁଷ୍ଠିତ ସ୍ୱତନ୍ତ୍ର ଅଲମ୍ପିକ ଖେଳିବା ସୁଯୋଗରୁ ଅଳ୍ପକେ ବଂଚିତ ହୋଇଛି । କିନ୍ତୁ ଖେଳ ପ୍ରତି ରହିଛି ତାର ଆଗ୍ରହ ସାଙ୍ଗକୁ ସମର୍ପିତ ମନୋଭାବ । ସାଙ୍କେତିକ ଭାଷା ଶିଖି ଲକ୍ଷ୍ମୀକୁ ଗାଇଡ଼ କରୁଛନ୍ତି ଜୁଡୋ କୋଚ ଲୋପାମୁଦ୍ରା ପତି । ଲକ୍ଷ୍ମୀଙ୍କ ନିକଟରେ ଜୋତା ୟୁନିଫର୍ମ କିଣିବା ତ ଦୁରକଥା ସୁଷମ ଖାଦ୍ୟ ଗଣ୍ଡେ ଯୁଟେନି । ଖେଳିବା ପରେ ତାଙ୍କ ପାଇଁ ଛତୁଆ ପ୍ରସ୍ତୁତ ସହିତ ଆବଶ୍ୟକୀୟ କୌଶଳ ଶିକ୍ଷା ଦେଇଥାନ୍ତି ଲୋପାମୁଦ୍ରା । ଲକ୍ଷ୍ମୀଙ୍କ କ୍ରୀଡା ନୈପୁଣ୍ୟ ଚମତ୍କାର । ତାଙ୍କ ଦ୍ୱାରା ବାରମ୍ବାର ପରାସ୍ତ ହୋଇଥିବା କହନ୍ତି ସହ ଶିକ୍ଷାର୍ଥୀ । ସକାଳ ପାଇଲେ ଭାତ ସହିତ ପିଆଜ ଟିକେ ଖାଇ ଲକ୍ଷ୍ମୀ ସାଇକେଲରେ ବାହାରି ପଡନ୍ତି ଇଣ୍ଡୋର ଷ୍ଟାଡିୟମକୁ ଅଭ୍ୟାସ ପାଇଁ । ଆଉ ଅଭ୍ୟାସ ପରେ ଘରକୁ ଫେରି ଦେଖନ୍ତି ଉଡାଣ ଭରିବାର ସ୍ବପ୍ନ ।