ମା ହେଉଛି ନିଜ ସନ୍ତାନଙ୍କ ପାଇଁ ଅଭୟ ଆଶ୍ରୟ। ମାର ପଣତକାନି ପିଲାଙ୍କ ପାଇଁ କପଡ଼ା ଖଣ୍ଡ ଟିଏ ନୁହଁ, ଏହା ସ୍ନେହ ଶ୍ରଦ୍ଧା ଆଦର ଯତ୍ନ ଓ ଆବେଗର ଏକ କୁହୁକ ସ୍ପର୍ଶ। କୁହାଯାଏ ମାଆ ନାହଁ ଯାହାର ସାହା ନାହଁ ତାହାର। ମା ଅଛି ତ ସବୁ ଅଛି। ପିଲାଙ୍କ ପାଇଁ ସବୁ ଦୁଃଖକୁ ପଛ କରିଦେଇଥିବା ଏମିତି ଜଣେ ମହିଳା ହେଉଛନ୍ତି ରାଜସ୍ଥାନ କୋଚିଂ ଟାଉନ କୋଟାର ସ୍ଵପ୍ନା ସିଂ। ନିଜ ସ୍ଵାମୀଙ୍କ ଅକାଳ ତିରୋଧାନ ପରେ ସ୍ଵପ୍ନା ନିଜ ଝିଅ ପ୍ରେରଣା ପାଇଁ ସ୍ୱପ୍ନ ଦେଖିବା ଛାଡ଼ି ନ ଥିଲେ। ଝିଅ ପ୍ରେରଣା ଦଶମ ଶ୍ରେଣୀରେ ପଢୁଥିବା ବେଳେ ସ୍ଵାମୀଙ୍କ ମୃତ୍ୟୁ ଘଟିଲା।
ସେ ଥିଲେ ପରିବାରର ଏକମାତ୍ର ଉପାର୍ଜନକାରୀ । ତାଙ୍କର ଆକସ୍ମିକ ମୃତ୍ୟୁ ପରେ ଘର ଉପରେ ଥିଲା ୨୭ ଲକ୍ଷ ଟଙ୍କାର ଋଣ ବୋଝ । ଭାଙ୍ଗି ପଡ଼ିଥିଲା ୧୦ମ ଶ୍ରେଣୀରେ ପଢ଼ୁଥିବା ଝିଅ ପ୍ରେରଣା । ପାଠ ପଢ଼ା ନେଇ ଉଠିଥିଲା ସନ୍ଦେହ।ଭରସା ଦେଇଥିଲେ ମା। ବିବାହ ପୂର୍ବରୁ ଅଟୋ ରିକ୍ସା ଚଳାଇ ବାର ଅଭିଜ୍ଞତା ଥିଲା। ସେ ଘରୁ ବାହାରକୁ ଆସିଲେ ଓ ଝିଅର ଭବିଷ୍ୟତ ପାଇଁ ସଡକରେ ଗଡାଇଲେ ଅଟୋ। ବନ୍ଧୁ ବାନ୍ଧବ ବି ଆଗେଇ ଆସିଥିଲେ ସାହାଯ୍ୟ କରିବାକୁ ।ପିଲାଟିର ପାଠ ପଢା ପ୍ରତି ରହିଥିବା ଆଗ୍ରହ ମା କୁ ଅଧିକ ଖଟିବାକୁ ପ୍ରୋତ୍ସାହିତ କରୁଥିଲା। ସେମାନଂକୁ ଅନେକ ଥର ଦିନରେ ଗୋଟିଏ ବେଳା ଖାଇ ରହିବାକୁ ପଡୁଥିଲା ତଥାପି ବହି ଉପରୁ ଆଖି ଉଠାଉ ନ ଥିଲା ପ୍ରେରଣା। ପ୍ରତିଦିନ ୧୦ ରୁ ୧୨ ଘଣ୍ଟା ପାଠ ପଢୁଥିଲା । ଏହାର ଫଳ ମଧ୍ଯ ସେ ପାଇଛି । ପ୍ରଥମ ଉଦ୍ୟମରେ ସମୁଦାୟ ୭୨୦ ମାର୍କରୁ ୬୮୬ ରଖି NEET ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି ଓ ଡାକ୍ତର ହେଵାକୁ ଯୋଗ୍ୟ ବିବେଚିତ ହୋଇପାରିଛି । ଅଦମ୍ୟ ଅଧ୍ୟବସାୟ ବଳରେ ସଫଳତକୁ ହାତ ମୁଠାରେ ପାଇଛି ପ୍ରେରଣା । ନିଜ ନାମର ଯଥାର୍ଥତା ପ୍ରତିପାଦିତ କରିପାରିଛି ।