ସେ ଜଣେ ବଣମଲ୍ଲୀ । କିନ୍ତୁ ପ୍ରତିଭାର ସୌରଭରେ ସେ ହେଉଛନ୍ତି ମହକିତ । ଓଡିଶୀ ନୃତ୍ୟ ପାଇଁ ଗଜପତି ଭଳି ପଛୁଆ ଜିଲ୍ଲାର ଝିଅ ଏବେ ପାଇବାକୁ ଯାଉଛନ୍ତି ଜାତୀୟ ସ୍ତରର ଜୁନିୟର ଛାତ୍ରବୃତ୍ତି । ଏହି ଝିଅ ଜଣଙ୍କ ହେଉଛନ୍ତି ମାଧବୀ । ପୁରା ନାଁ ମାଧବୀ ମାଝୀ । ଗଜପତି ଜିଲ୍ଲା ମୋହନା ବ୍ଲକ ଦମାଦୁଆ ଗ୍ରାମର ସ୍ବର୍ଗତ ପଦ୍ମଲୋଚନ ମାଝୀଙ୍କ ଝିଅ ଶୈଶବରୁ ସଂଘର୍ଷ କରି ଆଗକୁ ବାଢୁଛନ୍ତି । ଛୋଟ ବେଳୁ ବାପା ଆରପାରିରେ । ବହୁ କଷ୍ଟରେ ମା ରଞ୍ଜିତା ମାଝୀ ପିଲାମାନଙ୍କୁ ନେଇ ସ୍ବପ୍ନ ଦେଖିଆସିଚନ୍ତି । ମାଧବୀ ଛୋଟ ବେଳୁ ଓଡିଶୀ ନୃତ୍ୟ ପ୍ରତି ଆକର୍ଷିତ ହୋଇଥିଲେ । ପ୍ରାଥମିକ ଶିକ୍ଷା ପରେ ଦାଦାପୁଅ ଭାଇଙ୍କ ସହ ବ୍ରହ୍ମପୁରରେ ରହି ପାଠ ପଢ଼ିବା ସହ ଓଡ଼ିଶୀ ନୃତ୍ୟ ପ୍ରଶିକ୍ଷଣ ନେଲେ । ଦାଦା ପୁଅ ଭାଇ ତଥା ଓଡ଼ିଶୀ ନୃତ୍ୟ ଶିଳ୍ପୀ ରବି ଶଙ୍କର ମାଝୀ ଭଉଣୀକୁ ନୃତ୍ୟ ଶିକ୍ଷା ଦେଇ ଆସୁଥିଲେ । ଦୀର୍ଘ ସାତ ବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ବର୍ତ୍ତମାନ ମାଧବୀ ଜଣେ ନୃତ୍ୟ ଶିଳ୍ପୀ ଭାବେ ପାଇଛନ୍ତି ପରିଚୟ । ଅନେକ ମଞ୍ଚରେ ନିଜର ନୃତ୍ୟ ପରିବେଷଣ କରି ସୁନାମ ଅର୍ଜନ କରିବା ସହ ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶୀ ନୃତ୍ୟର ଜାତୀୟ ଜୁନିୟର ଛାତ୍ର ବୃତ୍ତିରେ ଭାଗ ନେଇ କୃତିତ୍ବ ଲାଭ କରିଛନ୍ତି । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତାଙ୍କୁ ଚୟନ କରିଛନ୍ତି ।
କେବଳ ଏତିକି ନୁହଁ ଗୋପାଳପୁର ବିଚ୍ ଫେଷ୍ଟିଭାଲ ,ଭୁବନେଶ୍ୱର ଲିଙ୍ଗରାଜ ମହୋତ୍ସବ ,ଆଲେଶ୍ୱର୍ ବିଚ୍ ଫେଷ୍ଟିଭାଲ, ଭଳି ଅନେକ କାର୍ଯ୍ୟକ୍ରମରେ ନିଜର ନୃତ୍ୟ ପରିବେଷଣ କରିଛନ୍ତି ମାଧବୀ । ଦୁର୍ଗମ ଆଦିବାସୀ ଗାଁର ଝିଅ ମାଧବୀ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଚୟନ ହୋଇ ଜାତୀୟ ଜୁନିୟର ଛାତ୍ରବୃତ୍ତି ହାସଲ କରି ନିଜ ଅଂଚଳ ପାଇଁ ଗୌରବ ଆଣିଛନ୍ତି ।