ମାଟିରୁ ସଫଳତା । ଘର ବାଡ଼ିରେ ଛତୁଚାଷ କରି ଏବେ ଲକ୍ଷପତି ନୂଆପଡାର ଦମ୍ପତ୍ତି । ଏହି ଦମ୍ପତ୍ତି ହେଉଛନ୍ତି ନୂଆପଡା ଜିଲ୍ଲା ପରସା ଗୁଡା ଗାଁର ଧିରୁ ସାହୁ ଓ ସ୍ଵର୍ଣ୍ଣଲତା ସାହୁ । ନିଜ ଘର ବାଡ଼ିରେ ଦୁଇ ପ୍ରକାର ଛତୁଚାଷ କରି ଏହି ଦମ୍ପତ୍ତି ପୌଷ୍ଟିକ ଆହାର ସହିତ ନିଜର ଅର୍ଥନୀତିକୁ ସୁଦୃଢ କରିଛନ୍ତି । ଉଦ୍ୟାନ କୃଷି ବିଭାଗର ସହାୟତା ଓ ପରାମର୍ଶକୁ ଆଧାର କରି ସାହୁ ଦମ୍ପତ୍ତି ପ୍ରଥମେ ଆରମ୍ଭ କରିଥିଲେ ଧିଙ୍ଗିରି ଛତୁ । ପରେ ପରେ ଧିଙ୍ଗିରି ସହିତ ଆରମ୍ଭ କରିଛନ୍ତି ପାଳଛତୁ । ପାଳ ଛତୁ ୮ ମାସ ହେଉଥିବା ବେଳେ ଧିଙ୍ଗିରି ଛତୁ ହେଉଛି ୪ ମାସ । ବର୍ଷସାରା ଛତୁ ଉତ୍ପାଦନ କରି ସ୍ୱାବଲମ୍ବୀ ସାହୁ ଦମ୍ପତ୍ତି । ଏଥିରୁ ମିଳୁଥିବା ଆୟରେ ପରିବାର ପ୍ରତିପୋଷଣ ହେବା ସହିତ ଝିଅକୁ ମେଡିକାଲ ପ୍ରବେଶିକା ପାଇଁ ପ୍ରସ୍ତୁତ କରୁଛନ୍ତି । ପୁଅ ମଧ୍ୟ ପଡୋଶୀ କଳାହାଣ୍ଡି ଜିଲ୍ଲାରେ ରହି ପଢୁଛନ୍ତି ପାଠ । ଛତୁ ଚାଷରୁ ମାସିକ ୬୦ରୁ ୭୦ ହଜାର ରୋଜଗାର ହେଉଥିବା କହନ୍ତି ଏହି ଦମ୍ପତ୍ତି ।
ଘର ବାଡ଼ିରେ କରାଯାଇଛି ଛତୁ ଚାଷ । କମ ଜାଗା ଓ କମ ନିବେଶରେ ଲାଭ ଦେଉଛି ଏହି ଆୟକାରୀ ଫସଲ । ଦିନଥିଲା ଛତୁ କହିଲେ କେବଳ ଉପକୂଳ ଓଡିଶାର ଅମଳ ବୋଲି ବୁଝାଯାଉଥିଲା । ଏବେ ସାରା ରାଜ୍ୟରେ ଚାଷୀଙ୍କ ପସନ୍ଦ ପାଲଟିଛି ଛତୁ ଉଦ୍ୟୋଗ । ଧିଙ୍ଗିରି ,ପାଳ ଓ ବଟମ ଛତୁ ଉତ୍ପାଦନ କରି ଚାଷୀ ହେଉଛନ୍ତି ସ୍ୱାବଲମ୍ବନ । ଭୂମିହୀନ ଓ ନାମମାତ୍ର ଚାଷୀଙ୍କ ପାଇଁ ଛତୁ ଚାଷରେ ରହିଛି ଅନେକ ସମ୍ଭାବନା । ଛତୁଚାଷ ପାଇଁ ତାଲିମ ,ଭିତ୍ତିଭୂମି ବିକାଶ ,ବିହନ ଉତ୍ପାଦନ ,ଖାଦ୍ୟ ପ୍ରକ୍ରିୟାକରଣ ଓ ବଜାର ସଂଯୋଗ ପାଇଁ ରହିଛି ଅନେକ ପ୍ରକାର ସରକାରୀ ଯୋଜନା । କୃଷି ଉଦ୍ୟାନ ମିଶନ ,ଜାତୀୟ ଉଦ୍ୟାନ ମିଶନ ଓ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ରହିଛି ଋଣ ସହାୟତା । ଛତୁ ଉଦ୍ୟୋଗ ପାଇଁ ୪୦ ହଜାରରୁ ୧୦ ଲକ୍ଷ ଟଙ୍କା ଯାଏଁ ମିଳୁଛି ସରକାରୀ ରିହାତି ସହିତ ଋଣ । ଉଦ୍ୟାନ କୃଷି ବିଭାଗର ସହଯୋଗ ଆଧାରରେ ଧିରୁ ଓ ସ୍ଵର୍ଣ୍ଣଲତା ପାଲଟିଛନ୍ତି ଜିଲ୍ଲାର ସଫଳ ଛତୁ ଚାଷୀ ।