ପ୍ରତିବର୍ଷ, ୟୁପିଏସସି ସିଭିଲ୍ ସେବା ପରୀକ୍ଷାର ଫଳାଫଳ ସାରା ଦେଶର ଶହ ଶହ ଘରକୁ ଖୁସିର ଆଲୋକରେ ଭରିଦିଏ । କିନ୍ତୁ ଏହି ରାଙ୍କ ଓ ରୋଲ୍ ନମ୍ବରର ପଛରେ ଥାଏ ବ୍ୟକ୍ତିଗତ ସଂଘର୍ଷ ଓ ସଂଘାତର ସୁଦୃଢ କାହାଣୀ । ରାତିରାତି ଅଧ୍ୟୟନ, ଅଶ୍ରୁଭରା ବିଫଳତା, ଓ ନିରବ ବଳିଦାନ, ଯାହା ଶେଷରେ ଖୁସି ଆଣେ ଓ ଖବରରେ ଆସେ ।
ଏହା କେବଳ ଶିକ୍ଷାଗତ ସଫଳତାର କାହାଣୀ ନୁହେଁ । ଏହା ଆମକୁ ମନେ ପକାଏ ଯେ ସ୍ଵପ୍ନ ଗଢୁଥିବା ମଣିଷଙ୍କ ନିରବ ବିଳ୍ପବ ଓ ବଳିଦାନ — ଜଣେ ମାଆର ହାତରେ, ଜଣେ ବାପାଙ୍କ ନିରବତାରେ, ଜଣେ ଯୁବା ଭାଇ ଓ ଭଉଣୀର ସହିଷ୍ଣୁତାରେ, କିମ୍ବା ଗୋଟିଏ ପରିବାରର ଶକ୍ତିରେ ତିଆରି ହୁଏ ସ୍ବପ୍ନ ।
ଯଦି ପ୍ରେମ ଓ ଦୃଢ଼ ଇଚ୍ଛାଶକ୍ତି ସହିତ ସ୍ବପ୍ନକୁ ଅନୁସରଣ କରାଯାଏ, ତେବେ ସେଥିରେ କଦାପି ବ୍ୟର୍ଥତା ଆସେନି । ଏହାକୁ ପ୍ରମାଣ କରିଛନ୍ତି ହର୍ଷିତା ଗୋୟଲ । ହର୍ଷିତା ନିଜ ମାଆଙ୍କୁ ହରାଇବା ପରେ ବାପାଙ୍କ ସହିତ ଏକ ଉତ୍ତମ ଭବିଷ୍ୟତ ଆଶାରେ ରାଜସ୍ଥାନରୁ ଗୁଜରାଟକୁ ନେଇ ଆସିଥିଲେ । ବଡୋଦାର ଏକ ସ୍ନାତକ ଓ ଚାର୍ଟର୍ଡ ଆକାଉଣ୍ଟେଣ୍ଟ ଅନୁଷ୍ଠାନରେ ପଢ଼ୁଥିବା ବେଳେ ଏବେ ନିଜର ତୃତୀୟ ଚେଷ୍ଟାରେ ୟୁପିଏସସି ଉତ୍ତୀର୍ଣ୍ଣ କରିଛନ୍ତି। “ମୁଁ ସମାଜ ପାଇଁ କିଛି କରିବାକୁ ଚାହୁଁଥିଲି। ମୋତେ ୟୁପିଏସସି ପ୍ରସ୍ତୁତି ନେବା ଓ ଆଇଏଏସ୍ ହେବା ପାଇଁ ମୋ ବାପା ଉତ୍ସାହିତ କରିଥିଲେ,” ବୋଲି ସେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି । ତାଙ୍କର ସଫଳତା ବିଷୟରେ କହିବାକୁ ଯାଇ ତାଙ୍କ ବାପା କହିଛନ୍ତି, “ସେ ପ୍ରମାଣ କରିଛି ଯେ ଝିଅମାନେ କିଛି ବି କମ୍ ନୁହଁନ୍ତି । ଝିଅର ନିଷ୍ଠା ଓ ପରିଶ୍ରମକୁ ନେଇ ଆମେ ଗର୍ବିତ।” ହର୍ଷିତାଙ୍କ ଯାତ୍ରା ଏକ ଶକ୍ତିଶାଳୀ ଉଦାହରଣ । ସେହିପରି ଜଣେ ପୋଲିସ ଅଧିକାରୀଙ୍କ ଝିଅ ଶକ୍ତି ଦୁବେ ୟୁପିଏସସି ରେ ଦେଶରେ ପ୍ରଥମ ସ୍ଥାନ ହାସଲ କରି ସାରା ଦେଶର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି ।
ଶକ୍ତିଙ୍କ ବାପା, ଦେବେନ୍ଦ୍ର କୁମାର ଦୁବେ, ଜଣେ ନିଷ୍ଠାବାନ ପୁଲିସ ଅଧିକାରୀ । ସେ ନିଜ ଶ୍ରମ ,ସମୟ ଓ ସଂଚୟ ଝିଅର କ୍ୟାରିୟର ଗଢିବାରେ ସମର୍ପିତ କରିଥିଲେ । ଝିଅ ପାଇଁ ଯାହା ଆବଶ୍ୟକ ଥିଲା ତାହା ସେ ଯୋଗାଇବା ସହିତ ବାକି ସବୁ ଝିଅର ପରିଶ୍ରମ ଓ ଭଗବାନଙ୍କ କୃପା।”ଉପରେ ଛାଡିଥିଲେ । ବାପାଙ୍କ ତ୍ୟାଗକୁ ଦେଖି ଝିଅ ନିଜର ଅଧ୍ୟୟନରେ ନିଜ ପିତାଙ୍କ ତ୍ୟାଗର କାହାଣୀକୁ ଏକ ଜାତୀୟ ଗର୍ବର କାହାଣୀରେ ପରିଣତ କରିଦେଲେ । ଦିନକୁ ୮ରୁ ୧୦ ଘଣ୍ଟା ଅଧ୍ୟୟନ କରି ୟୁପିଏସସି ପରୀକ୍ଷାରେ ସାରା ଦେଶରେ ଚମକିଲେ ।