ମିଲେଟ ଓ ଅନ୍ୟାନ୍ୟ ଦେଶୀ ବିହନ ସାଇତି ରଖି ପ୍ରସିଦ୍ଧି ପାଇଛନ୍ତି କୋରାପୁଟ ଜିଲ୍ଲା ନୂଆଗୁଡା ଗାଁର ଭୂମିଆ ଆଦିବାସୀ ମହିଳା ରାଇମତି ଘିଉରିଆ । ରାଇମତି ନିଜେ ସପ୍ତମ ଶ୍ରେଣୀଯାଏଁ ପଢ଼ିଛନ୍ତି ସତ କିନ୍ତୁ ନିଜ ଗାଁରେ କୃଷି ବିଦ୍ୟାଳୟ ଖୋଲି ଲୋକଙ୍କୁ ଶିଖାଉଛନ୍ତି ଜୀବିକାର ପାଠ । ଦେଶୀ ବିହନ ସୁରକ୍ଷା ,ସଂରକ୍ଷଣ ପ୍ରଚାର ଓ ପ୍ରସାର ଦିଗରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ତାଙ୍କୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରୁ ମିଳିଛି ସମ୍ମାନ ଜନକ ଡକ୍ଟରେଟ ଉପାଧି । ଡ଼କ୍ଟର ରାଇମତି ନୂଆଦିଲ୍ଲୀରେ ଆୟୋଜିତ ଜି ନାଇନ ସମ୍ମେଳନରେ ଭାଗ ନେବାର ସୁଯୋଗ ସହିତ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ । ପଦ୍ମଶ୍ରୀ କମଳା ପୂଜାରୀଙ୍କ ପ୍ରେରଣାରେ କୃଷି କ୍ଷେତ୍ରରେ ନିଜକୁ ଉତ୍ସର୍ଗ କରିଥିବା ରାଇମତି ମିଲେଟର ୩୦ ପ୍ରଜାତିର ବିହନ ସଂରକ୍ଷଣ କରିଛନ୍ତି । ତାଙ୍କ ନିକଟରେ ରହିଛି ୮୦ ପ୍ରଜାତିର ଧାନ ବିହନ । ପାତ୍ରପୁଟ ଗାଁର ଏକ ଚାଷୀ ପରିବାରରେ ଜନ୍ମିତ ରାଇମତି ବିଜ୍ଞାନ ସମ୍ମତ ବିହନ ସଂରକ୍ଷଣ କୌଶଳ ଆୟତ୍ତ କରି ଅନ୍ୟ ଚାଷୀକୁ ବାଣ୍ଟିଛନ୍ତି । ସ୍ଵାମୀ ନାଥନ ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ପ୍ରାକ୍ ପର୍ଯ୍ୟାୟରେ ତାଲିମ ନେଇ ରାଇମତି କୋରାପୁଟ ଜିଲ୍ଲାରେ ଉପଲବ୍ଧ ବିଭିନ୍ନ ପ୍ରଜାତିର ମିଲେଟ ବିହନକୁ ବିଲୁପ୍ତି ପ୍ରକ୍ରିୟା ରୁ ବଞ୍ଚାଇବା ପାଇଁ ଉଦ୍ୟମ କରି ସଫଳ ହୋଇଛନ୍ତି। ମାଇନର ଶ୍ରେଣୀ ଯାଏଁ ଆନୁଷ୍ଠାନିକ ପାଠ ପଢିଥିଲେ କଣ ହେଲା ଜାତୀୟ ସ୍ତରର ଆଲୋଚନାରେ ଭାଗ ନେଇ ନିଜ ଅଞ୍ଚଳର ବିହନ ସାର୍ବଭୌମତ୍ଵ ପ୍ରତିଷ୍ଠାର ନିଶାରେ ଆଗକୁ ବଢ଼ି ପାଲଟିଛନ୍ତି ପ୍ରେରଣା।