ସିଏ ଜଣେ ସାଧାରଣ ଅଙ୍ଗନୱାଡ଼ି କର୍ମୀ । କିନ୍ତୁ କରିଛନ୍ତି ଅସାଧାରଣ କାମ । ନିଷ୍ଠା ,ଆଗ୍ରହ ଓ ଅସାଧାରଣ ସାଧନା ବଳରେ ସେ ଶୈଶବକୁ ନୂଆ ଏକ ପରିଭାଷା ଦେଇଛନ୍ତି । ନିଆରା କାମ କରିଥିବା ଏହି କର୍ମୀ ଜଣଙ୍କ ହେଉଛନ୍ତି ୨୮ ବର୍ଷୀୟା ଜୈଲାନି ।
୬ ବର୍ଷରୁ କମ ବୟସର ପିଲାଙ୍କୁ ଆମୋଦିତ ଢଙ୍ଗରେ ଦେଖିବାକୁ ମିଳିଛି । ହାତରେ ଅଁକା ଯାଇଥିବା ସୂର୍ଯ୍ୟ ,ମେଘ ଓ ଇନ୍ଦ୍ରଧନୁର ଚିତ୍ର ସହିତ ସେମାନେ କେନ୍ଦ୍ର ସାମ୍ନାରେ ଠିଆ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ହାତରେ ରହିଛି ଛତା । ବିନା କିଛି ଶବ୍ଦରେ ବିନା କଥାରେ ସେମାନେ ଅନେକ କଥା ଏଭଳି ନିଆରା ଢଙ୍ଗରେ କହିପାରୁଛନ୍ତି । ସେମାନଙ୍କ ଏଭଳି ପ୍ରଦର୍ଶନରୁ ଜଣାଯାଉଛି ଯେ ଲମ୍ବା ନିଦାଘ ପରେ ଆସିଛି ବର୍ଷା । ଆକାଶରେ ମେଘର ଉହାଡରେ ଲୁଚକାଳି ଖେଳ ଖେଳୁଛନ୍ତି ସୂର୍ଯ୍ୟଦେବ । ଇନ୍ଦ୍ରଧନୁର ସାତ ରଙ୍ଗକୁ ନେଇ ସେମାନେ ବର୍ଷାର ବର୍ଣ୍ଣନା ଏଭଳି ଢଙ୍ଗରେ ଦେଉଛନ୍ତି । ପିଲାଙ୍କ କଳ୍ପନା ,ବାସ୍ତବତା ଓ ସୃଜନଶୀଳତାକୁ ଏଭଳି ଭାବେ ସଜାଇ ପିଲାଙ୍କ ଶିକ୍ଷାରେ ଓ ସ୍ୱପ୍ନରେ ଡେଣା ଯୋଡ଼ିଛନ୍ତି ଶଙ୍କର ଲିଂଗପୁରମ ଗାଁର ଜୈଲାନି ।
ଜୈଲାନି କମର୍ସରେ ସ୍ନାତକୋତ୍ତର କରିଛନ୍ତି । ଶିଶୁ ଓ ଶିକ୍ଷାର ପ୍ରସାର ପାଇଁ ଇଛା ଥିବାରୁ ସେ ଅଙ୍ଗନବାଡ଼ି କର୍ମୀ ଭାବେ ଯୋଗଦେଇ ନିଜର ନିଆରା କାମ ପାଇଁ ଚର୍ଚ୍ଚାରେ ଅଛନ୍ତି । ୭ ବର୍ଷ ତଳେ ସେ ଏଠାରେ ଯୋଗଦେବା ବେଳକୁ ଏଠି ୧୫ ଜଣ ଶିଶୁ ଥିଲେ ଏବେ ପଡୋଶୀ ଗାଁର ୧୦ ପିଲାଙ୍କ ସହିତ ମୋଟ ୪୦ ପିଲା ନିୟମିତ ଆସୁଛନ୍ତି । ନାଚ ,ଗୀତ ,କାରିଗରୀ ,ଶିକ୍ଷା ଓ ପରିକଳ୍ପନା ଏହି କେନ୍ଦ୍ରର ନୂତନତା ହୋଇଥିବାରୁ ପିଲାଙ୍କ ସଂଖ୍ୟା ଓ ଦିଦିଙ୍କ ପ୍ରସଂଶା ବଢ଼ିବାରେ ଲାଗିଛି ।