ଏହି ସଫଳ କାହାଣୀ ମେଘାଳୟର ଜଣେ ଶିକ୍ଷୟତ୍ରୀଙ୍କର । ଯିଏକି ପିଲାଟି ଦିନରୁ ଗାଁ ମହିଳାଙ୍କ ସହିତ ପାଣି ପାଇଁ କରିଆସିଛନ୍ତି ସଂଘର୍ଷ । ରୋଗ ସେଜରେ ହେଉ ଅବା ମାସିକ ଋତୁସ୍ରାବ ସମୟରେ ହେଉ ମହିଳାଙ୍କ କାନ୍ଧରେ ରହିଛି ଜଳ ଯୋଗାଡ଼ର ଦାୟିତ୍ୱ । ଆଉ ଏହି ଟିଚର ଜଣଙ୍କ ପିଲାଟି ଦିନରୁ ଏସବୁ ସମସ୍ୟାକୁ ଅଙ୍ଗେ ନିଭାଇ ବଡ଼ ହୋଇଛନ୍ତି । ଏହି ଟିଚରଙ୍କ ନାଁ ହେଉଛି ଲକମନି ମେରୀ । ଲକମନିଙ୍କ ଘର ହେଉଛି ମେଘାଳୟର ଛୋଟ ଅଥଚ ଅତି ସୁନ୍ଦର ଗାଁ କିରଦେ ମଖଲା ଗାଁରେ । ଲକମନି ଯେତେବେଳେ ସ୍କୁଲ ଯାଉଥିଲେ ସେତେବେଳୁ ସେ ଅତି ପାଖରୁ ଦେଖି ଆସିଛନ୍ତି ପାଣିର କଷ୍ଟ ଓ ମହିଳାଙ୍କ ଦୁଃଖ । ଲକମନିଙ୍କ ସ୍କୁଲ ଆରମ୍ଭ ହେଉଥିଲା ସକାଳ ୧୦ରୁ । ସେ ସକାଳ ୯ରେ ପାଣି ପାଇଁ ଦୁରକୁ ଯାଇ ଲମ୍ବା ଲାଇନରେ ଠିଆ ହେଉଥିଲେ ।
ମେଘାଳୟର ଏହି ଗାଁରେ ସବୁଠୁ ଅଧିକ ବର୍ଷା ହୁଏ । ସରକାରୀ ରେକର୍ଡ ଅନୁଯାୟୀ ଏଠାରେ ବାର୍ଷିକ ୧୧.୮୭୧ ମିଲିମିଟର ବର୍ଷା ହୋଇଥାଏ । କିନ୍ତୁ ସ୍ଥାନୀୟ ଭୂଗୋଳ ଏଭଳି ଯେ ବର୍ଷା ହେବା ମାତ୍ରେ ପ୍ରବଳ ବେଗରେ ପ୍ରବାହିତ ହୋଇଯାଏ ପାଣି । ବର୍ଷା ଛାଡ଼ିଯିବା ପରେ ପାଣି ପାଇଁ ଆରମ୍ଭ ହୁଏ ଘଣ୍ଟା ଘଣ୍ଟା ପରିଶ୍ରମ । ଲକମନ ଉଚ୍ଚ ଶିକ୍ଷା ପରେ ନିଜ ଗାଁ ସ୍କୁଲରେ ଶିକ୍ଷୟତ୍ରୀ ଭାବେ ନିଯୁକ୍ତି ପାଇଲେ । ପିଲାଙ୍କୁ ପଢ଼ାଇବା ସହିତ ଜଳ ସଂରକ୍ଷଣ ପାଇଁ ଉପାୟ ଚିନ୍ତା କଲେ । ସେ ଇଂଜିନିୟର ନଥିଲେ କିମ୍ବା ନଥିଲେ ଧନୀ । କିନ୍ତୁ ପାଣି ସମସ୍ୟାର ସମାଧାନ ପାଇଁ ସେ ଆରମ୍ଭ କଲେ ମିଶନ । ଗାଁର ବୟସ୍କ ଲୋକଙ୍କ ଜ୍ଞାନ ଓ ଯୁବକ ମାନଙ୍କ ଉତ୍ସାହ ଓ ପରିଶ୍ରମକୁ ପାଥେୟ କରି ସେ ଗୋଟିଏ ଛୋଟ ଆଡ଼ିବନ୍ଧ ନିର୍ମାଣ କଲେ । ପାଣି ମହଜୁଦ ରହିବା ପାଇଁ ଖୋଲିଲେ ଛୋଟ ଛୋଟ ଜଳାଶୟ । ଗାଁ ଚାରିପଟେ ବ୍ୟାପକ ବୃକ୍ଷରୋପଣ ସହିତ ପଥର ବନ୍ଧ ନିର୍ମାଣ କରି ଜଳ ନିର୍ଗମନ ଓ ଜଳାଶୟ ପର୍ଯ୍ୟନ୍ତ ପହଂଚିବାର ବ୍ୟବସ୍ଥା କଲେ । ଏତେ କାମ କରିବାର ଫଳ ମଧ୍ୟ ମିଳିଲା । ବର୍ଷାଜଳ ସଂରକ୍ଷଣ ହେବା ସହିତ ଲୋକଙ୍କୁ ମିଳିଲା ଘର ପାଖରେ ଜଳ । ଜଣେ ଶିକ୍ଷୟତ୍ରୀ ଭାବେ ଗାଁ ପାଇଁ ତାଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଛନ୍ତି ଗ୍ରାମବାସୀ ।