କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ଆଗକୁ ବଢୁଛି ଶ୍ରୀଅନ୍ନ ଅଭିଯାନ । ଏଥିରେ ଯୋଡି ହୋଇ କୋରାପୁଟ ଜୟପୁରର ବାସିନ୍ଦା ଜଗନ୍ନାଥ ଚିନାରି ଓ ତାଙ୍କର ପତ୍ନୀ ସି ଏଚ ସୁମିତ୍ରା ପାତ୍ର ସହରର ବାରିଣୀପୁଟ ଠାରେ ଖୋଲିଛନ୍ତି ନିଆରା ଏକ ମିଲେଟ ବ୍ୟାଙ୍କ । ଏହି ମିଲେଟ ବ୍ୟାଙ୍କକୁ ରାଜ୍ୟ ସରକାରଙ୍କ ଏମ ଏସ ଏମ ଇ ପକ୍ଷରୁ ଯୋଗାଇ ଦିଆଯାଇଛି ୧୦ ଲକ୍ଷ ଟଙ୍କାର ଋଣ ସହାୟତା । ମୋଟ ୨୦ ଲକ୍ଷ ଟଙ୍କାର ପୁଞ୍ଜିରେ ଆରମ୍ଭ ହୋଇଥିବା ଏହି ମିଲେଟ ବ୍ୟାଙ୍କ ୭୦ ଜଣଙ୍କୁ ରୋଜଗାର ଦେବା ସହିତ ମିଲେଟ ଉତ୍ପାଦ ଗୁଡିକର ପ୍ରସ୍ତୁତି ଓ ବିକ୍ରିରୁ ବାର୍ଷିକ ୫୦ ଲକ୍ଷ ଟଙ୍କା ରୋଜଗାର କରୁଛି । ସୁମିତ୍ରା କହନ୍ତି ୧୪ ବର୍ଷ ତଳେ ମାତ୍ର ଦୁଇ ହଜାର ଟଙ୍କା ଓ ଲଡୁ ଓ ବିସ୍କୁଟ ଭଳି ଦୁଇଟି ଉତ୍ପାଦରୁ ଆରମ୍ଭ ହୋଇଥିଲା ଜୟପୁର ମିଲେଟ ବ୍ୟାଙ୍କ । ଆଜି ଏହି ବ୍ୟାଙ୍କ ୩୦୦ ସ୍ୱୟଂ ସହାୟକ ଦଳକୁ ମିଲେଟ ସାମଗ୍ରୀ ତିଆରି ସମ୍ପର୍କିତ ତାଲିମ ଦେବା ସହିତ ୧୨ ଟି ସ୍ୱୟଂ ସହାୟକ ଦଳ ଜରିଆରେ ଉତ୍ପାଦ ବିକାଶ ଓ ବଜାର ପ୍ରବେଶରେ ଜଡିତ ଅଛି । ଆଗକୁ ବାର୍ଷିକ କୋଟିଏ ଟଙ୍କାର କାରବାର କରିବାର ରଖିଛି ଲକ୍ଷ ।
ଦିନେ ମାଣ୍ଡିଆ ଥିଲା ଗରିବଙ୍କ ଖାଦ୍ୟ । ଏଥିରେ କେବଳ ହେଉଥିଲା ଜାଉ,ତମ୍ପା,ଓ ପିଠା। କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରୀଅନ୍ନ ଅଭିଯାନ ଓ ମିଲେଟ ମିଶନ ଜରିଆରେ ଏହାକୁ ଦେଇଥିଲେ ନୂଆ ଉଚ୍ଚତା । ପ୍ରଚାର ପ୍ରସାର ଓ ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଥିଲା । ଋଣ ଓ ରିହାତି ,ବଜାର ସଂଯୋଗ ,ପ୍ରକ୍ରିୟାକରଣ ଓ ମୂଳ୍ୟଯୋଗ କରାଯିବା ଫଳରେ ଉତ୍ପାଦ ବିସ୍ତାରିତ ହୋଇଥିଲା । କୋରାପୁଟ ମିଲେଟ ବ୍ୟାଙ୍କ ଭଳି ଅନୁଷ୍ଠାନ ଆଗକୁ ଆସି ମିଲେଟରେ ମୁଡୁକି ,ନିମକୀ ,ଖଜା ,ମାଣ୍ଡିଆ ଚା ,ବିସ୍କୁଟ ,ଲଡୁ ,କୁକିତ୍ସ ଓ ମିକଶ୍ଚର ତିଆରି ସହିତ ବଜାରକୁ ଆସିଲେ । ଯାହା ଗରିବଙ୍କ ଖାଦ୍ୟ ଥିଲା ତାହା ପକେଟ ,ପରିବେଶ ଓ ମଣିଷର ସ୍ୱାସ୍ଥ୍ୟ ପାଇଁ ଅନୁକୂଳ ସାବ୍ୟସ୍ତ ହେବା ଫଳରେ ସଭିଏଁ ଉତ୍ସାହିତ ହେଲେ । ଜଗନ୍ନାଥ ଚିନାରିଙ୍କ ମିଲେଟ ବ୍ୟାଙ୍କ ଏବେ ଦୈନିକ ୭୦ ଜଣଙ୍କୁ କାମ ଦେଉଥିବା ବେଳେ ଏଠାରୁ ପ୍ରସ୍ତୁତ ଉତ୍ପାଦକୁ ଦେଶ ଓ ଦେଶ ବାହାରକୁ ପଠାଇ ମିଲେଟ ପ୍ରସାର ଦିଗରେ ପ୍ରଭାବୀ ଭୂମିକା ନେଇଛି ।