ମଙ୍ଗଳବାର ମଧ୍ୟ ରାତ୍ରରେ ପାକ ଉପରେ ଆକ୍ରମଣ କରି ଭାରତ ନେଇଛି ପ୍ରତିଶୋଧ । ପହଲଗାମ ଆକ୍ରମଣର ଦେଇଛି ଜବାବ । ବୁଧବାର ସକାଳୁ ଭାରତୀୟ ସେନାର ଦୁଇ ମହିଳା ଅଧିକାରୀ ଗଣମାଧ୍ୟମକୁ ସମ୍ବୋଧିତ କରି ସିନ୍ଦୁରର ଶକ୍ତି ବାବଦରେ ଶତ୍ରୁ ରାଷ୍ଟ୍ରକୁ ସୂଚାଇ ଦେଇଛନ୍ତି ।
ପହଲଗାମ ପର୍ଯ୍ୟଟନସ୍ଥଳରେ ଧର୍ମ ପଚାରି ୨୬ ଜଣଙ୍କୁ ନିର୍ମମ ହତ୍ୟା ପରେ ଗୋଟିଏ ଫଟୋ ଭାଇରାଲ ହୋଇଥିଲା । ଏହି ଫଟୋରେ ଜଣେ ନବ ବିବାହିତା ମହିଳା ଆତଙ୍କବାଦୀଙ୍କ ଗୁଳିରେ ଆଖିବୁଜିଥିବା ନିଜ ପତିଙ୍କ ଶବ ନିକଟରେ ନିର୍ବାକ ଭାବେ ବସି ରହିଥିଲେ । ଅନେକ ନାରୀଙ୍କ ଆଖିର ଲୁହର ଫଳ ଏବେ ପାକିସ୍ଥାନ ଭୋଗିବାକୁ ଯାଉଥିବା ନେଇ ସରଗରମ ଆଲୋଚନା ହେଉଛି । ଶତୃଦେଶ ଉପରେ ଭାରତର ଆକ୍ରମଣ ପରେ ଦେଶବାସୀ ଉତ୍ସାହିତ ହେଉଥିବା ବେଳେ ଭାରତୀୟ ସେନାର ମହିଳା ଅଧିକାରୀ କର୍ଣ୍ଣେଲ ସୋଫିଆ କ୍ୟୁରେସି ଓ ୱିଙ୍ଗ କମାଣ୍ଡର ଭ୍ୟୋମିକା ସିଂହ ପ୍ରେସକୁ ସମ୍ବୋଧିତ କରି ଅପରେସନ ସିନ୍ଦୁର ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ସେନମାର୍ଗ ,ଗୁଲମର୍ଗ ଓ ପହଁଲଗାମର ଆତଙ୍କବାଦୀ ମାନଙ୍କୁ ଯେଉଁଠାରେ ତାଲିମ ଦିଆଯାଉଥିଲା ଖୋଜି ଖୋଜି ଭାରତ ତାହାକୁ ଟାର୍ଗେଟ କରିଛି ବୋଲି କହିଥିଲେ ଭାରତୀୟ ବାୟୁସେନାର ପାଇଲଟ ଭ୍ୟୋମିକା ସିଂହ । ଅଢେଇ ହଜାର କିଲୋମିଟର ଉଡାଣ ଭରିଥିବା ବାୟୁସେନା ପାଇଲଟ ଭ୍ୟୋମିକା ଚିତା ଓ ଚେତକ ଉଡାଣରେ ରଖିଛନ୍ତି ଅଭିଜ୍ଞତା । ଭାରତୀୟ ନାରୀଶକ୍ତିର ଦୃଢ଼ତା ,ଶକ୍ତି ଓ ସମର୍ପଣ ଆଗରେ ଶତ୍ରୁ କିଭଳି ଫିକା ତାହା ଏହି ଦୁଇ ମହିଳା ଅଧିକାରୀଙ୍କ ପ୍ରେସମିଟରୁ ସ୍ପଷ୍ଟ ହୋଇଛି।