ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲା ଏକ ମରୁଡି ପ୍ରବଣ ଜିଲ୍ଲା । ଏହି ଜିଲ୍ଲାର କୃଷକ ମାନଙ୍କୁ କ୍ଷେତ ଦେଇଛି ଲୁହ ଓ ଯନ୍ତ୍ରଣାର ଫସଲ । ଚାଷରେ କ୍ଷତିକୁ ସାମ୍ନା କରିନପାରି ଅନେକ କୃଷକ ଆତ୍ମହତ୍ୟା କରିବା ପରେ ସେମାନଙ୍କ ବିଧବା ମାନଙ୍କୁ ନେଇ ଆରମ୍ଭ ହୋଇଛି ସାମୁହିକ ପ୍ରାକୃତିକ କୃଷି ପ୍ରୟାସ । ଏଭଳି ଏକ ଅଭିନବ ପନ୍ଥା ବାଛିବା ପଛରେ ରହିଛି REDS ନାମକ ଏକ ସାମାଜିକ ସଂଗଠନର ସକ୍ରିୟ ମାର୍ଗଦର୍ଶନ ।
ଚାଷରେ କ୍ଷତିକୁ ସାମ୍ନା କରିନପାରି ଯେଉଁ ଚାଷୀମାନେ ଆତ୍ମହତ୍ୟାର କ୍ରୁର ପନ୍ଥା ବାଛି ନେଇଥିଲେ ସେହି ପରିବାରର ମହିଳା ଏବେ ଶକ୍ତିର ପ୍ରତୀକ ଏବଂ ସ୍ୱାବଲମ୍ବୀ ପାଲଟିଛନ୍ତି । ବିଧବା ,ଏକାକୀ ରହୁଥିବା ମହିଳା ଓ ଆର୍ଥିକ ଅଭାବୀ ମହିଳାଙ୍କ ଦ୍ୱାରା ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲାର ମରୁଡି ପ୍ରବଣ ଅଂଚଳରେ ଏବେ ପ୍ରାକୃତିକ ଓ ଜୈବିକ ଚାଷ କଡ଼ ଲେଉଟାଇଛି । REDS ପକ୍ଷରୁ ମହିଳା ମାନଙ୍କୁ ପର୍ଯ୍ୟାୟ କ୍ରମେ ଉଚ୍ଚ ମୂଲ୍ୟ ଦେଉଥିବା ଜୈବିକ କୃଷି ,ଖାଦ୍ୟ ପ୍ରକ୍ରିୟା କରଣ ଓ ପ୍ୟାକେଜିଙ୍ଗ ସହିତ ବଜାର ପ୍ରବେଶ କରାଯିବା ଫଳରେ ଧୀରେ ଧୀରେ ସେମାନଙ୍କ ଜୀବନରେ ସୁଖର ରୋଷଣୀ ଦେଖିବାକୁ ମିଳୁଛି ।
REDS ସଂଗଠନର ମୁଖ୍ୟ ହେଉଛନ୍ତି ଭାନୁଜା । ଭାନୁଜା କହନ୍ତି ସୂର୍ଯ୍ୟ ଉଦୟ ହେଉଥିବା ସମୟରେ ମୋର ଜନ୍ମ । ତେଣୁ ସୂର୍ଯ୍ୟଙ୍କର ଉପନାମ ଭାନୁ ସହିତ ମିଶାଇ ମୋ ନାଁ ଭାନୁଜା ରହିଥିଲା । ଭାନୁ ଯେପରି ସଂସାରର ସବୁ ଅନ୍ଧାର ଦୂର କରନ୍ତି ମୁଁ ସେପରି ପରିବାର ପାଇଁ ସୁଖର ଆଲୋକ ନେଇ ଆସିଥିବା କୁହାଯାଉଥିଲା । ମୁଁ ନିଜ ଅଂଚଳ ପାଇଁ କିଛି ଉନ୍ନତିମୂଳକ କାମ କରିବା ପାଇଁ ଏଭଳି ଏକ ସଂଗଠନ ଗଢିଥିଲି । କୃଷି ଛାଡୁଥିବା ଲୋକଙ୍କୁ ପୁଣିଥରେ ଚାଷ ମୁଁହା କରିବା ପାଇଁ କିଛି ଯୋଜନା କଲି । ଯୋଜନା ସଫଳ ହେଲା । ୧୦ ବର୍ଷର ନିରବଛିନ୍ନ ପ୍ରୟାସ ଫଳରେ ସତ୍ୟସାଇ ଜିଲ୍ଲାରେ ୨୦୦ ଅସହାୟ ମହିଳା କୃଷିରେ ନୂଆ ବିଳ୍ପବର ସୂତ୍ରପାତ କରି ସ୍ୱାବଲମ୍ବୀ ହେଲେ ।
ପ୍ରାକୃତିକ ଉପାୟରେ କୃଷି ବର୍ତ୍ତମାନ ସମୟର ଆହ୍ବାନ । ମାଟିକୁ କ୍ଷତି ନ କରି ଫସଲ ଉତ୍ପାଦନ ଏହି କୃଷିର ଲକ୍ଷ । ସତ୍ୟସାଇ ଜିଲ୍ଲାର ୨୦୦ ମହିଳା କୃଷି ଉତ୍ପାଦକ ଦଳ ଗଢି ବିପୁଳ ପରିମାଣର ଲଙ୍କା ଉତ୍ପାଦନ କରୁଛନ୍ତି । ଜିରା ,ଲଙ୍କା ,ଧନିଆ ,ପାନମଧୁରୀ ଭଳି ମସଲା ଚାଷ କରିବା ସହିତ ଚାଉଳ ଓ ଡାଲିର ପ୍ରକ୍ରିୟା କରଣ ୟୁନିଟ ସ୍ଥାପନ କରିଛନ୍ତି । ଏଥିପାଇଁ ରିହାତି ସହିତ ବ୍ୟାଙ୍କ ଋଣ ମିଳିଛି । ଭାନୁଜା କହନ୍ତି ପ୍ରତ୍ୟେକ ମହିଳା ଦିନକୁ ଅନ୍ୟୁନ ହଜାରେ ଟଙ୍କା କିଭଳି ରୋଜଗାର କରିବେ ସେ ଦିଗରେ ତାଙ୍କ ସଂସ୍ଥା କାମ କରୁଛି ।