୬୮ ବର୍ଷ ବୟସରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇ ସଫଳ ହୋଇଛନ୍ତି କୋଏମ୍ବାଟୁରର ବୟସ୍କା ଛତ୍ରୀ ରାଣୀ ଏନ ଟି । ପଢିବା ପାଇଁ ବୟସ ଏକ ମାପକାଠି ନୁହଁ । ଇଛା ଆଉ ଆଗ୍ରହ ଥିଲେ ଜୀବନର ଯେ କୌଣସି ସ୍ତରରେ ରହି ମଧ୍ୟ ଦେଇହେବ ପରୀକ୍ଷା । ଅଧ୍ୟବସାୟ ଠିକ ରହିଲେ ସଫଳତା ଅପହଞ୍ଚ ନୁହଁ ବୋଲି କହିଛନ୍ତି ରାଣୀ । କୋଏମ୍ବାଟୁର ସହର ତଳି ଅଂଚଳରେ ରହୁଥିବା ରାଣୀ କହନ୍ତି ପିଲାଦିନେ ଅଧିକ ପଢ଼ିବାର ଆଗ୍ରହ ଥିଲା । କିନ୍ତୁ ଗାଁରେ ଉଚ୍ଚ ଶିକ୍ଷା ପାଇଁ ସୁଯୋଗ ନ ମିଳିବାରୁ ୧୯୭୨ ମସିହାରେ ଦଶମ ପାସ ପରେ ପଢ଼ାରେ ବାନ୍ଧିଥିଲେ ଡୋର । ତା ପରେ ସେ କୋଏମ୍ବାଟୁରରେ ବିବାହ କରି ସହରକୁ ଆସିଲେ କିନ୍ତୁ ପରିବାରର ଜଂଜାଳ ଭିତରେ ସେ ଅଧିକ ପଢ଼ିପାରିନଥିଲେ । ୨୦୨୦ ରେ ତାଙ୍କର ସ୍ବାମୀଙ୍କ ମୃତ୍ୟୁ ଘଟିଲା । ପିଲାମାନେ ନିଜ ନିଜ ଜାଗାରେ ଥଇଥାନ ହୋଇଯାଇଥିଲେ । ଘର କାମର ଚାପ ନ ଥିଲା । ନିଜ ପାଇଁ କିଛି କରିବାର ଆଗ୍ରହ ହେବାରୁ ସେ ପୁଣି ଧରିଲେ ବହି । ଶାରୀରିକ ଶିକ୍ଷାରେ ପାରଦର୍ଶୀ ଥିବା ରାଣୀ ଯୋଗ ଓ ପ୍ରାଣାୟାମ ଦ୍ୱାରା ନିଜ ମାନସିକ ଓ ଶାରୀରିକ ସୁସ୍ଥତା ବଜାୟ ରଖିଥିଲେ । ଘରୋଇ ଛାତ୍ରୀ ଭାବେ ଏକାଦଶ ଶ୍ରେଣୀ ପରୀକ୍ଷା ଦେଇ ଗତ ବର୍ଷ ସଫଳତା ପାଇବା ପରେ ଚଳିତ ବର୍ଷ ଦେଇଥିଲେ ଦ୍ୱାଦଶ ଶ୍ରେଣୀର ପରୀକ୍ଷା । ନିକଟରେ ପ୍ରକାଶିତ ଦ୍ୱାଦଶ ବୋର୍ଡ ପରୀକ୍ଷାଫଳରେ ରାଣୀ ସଫଳ ହେବା ସହିତ ମୋଟ ୬୦୦ ମାର୍କ ମଧ୍ୟରୁ ୩୪୬ ନମ୍ବର ରଖିଛନ୍ତି । ତାମିଲରେ ୧୦୦ ନମ୍ବର ରୁ ୮୯ ନମ୍ବର ରଖିଥିବା ବେଳେ ଇଂରାଜୀରେ ୫୦ ଏବଂ ଅର୍ଥନୀତିରେ ୪୮ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ରାଣୀ ।
ପରିଣତ ବୟସରେ ପରୀକ୍ଷା ଦେବା ଓ ସଫଳତା ପାଇବା କିଛି କମ କଥା ନୁହଁ । ଏପରି କରି ସେ ଖବରର ଶିରୋନାମା ସହିତ ଅନେକଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।