ମହିଳା ସଶକ୍ତିକରଣ ପ୍ରତି ଦୃଢ଼ ବିଶ୍ୱାସ ନେଇ, ମେରି କେ ଏଶ୍ ୧୯୬୩ ମସିହାରେ ମେରି କେ କସ୍ମେଟିକ୍ସ ନାମରେ ଏକ ବ୍ୟବସାୟ ଆରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ସେ ଏଥିପାଇଁ ୫ହଜାର ଡଲାର ବିନିଯୋଗ କରିଥିଲେ । ଲୋକଙ୍କୁ ସମ୍ମାନ ଦେବା , ସେମାନଙ୍କ ଛୋଟ ଛୋଟ ସଫଳତା ପାଇଁ ଅଭିନନ୍ଦନ ଜଣାଇବା ଓ ମହିଳାଙ୍କ ଆର୍ଥିକ ଉନ୍ନତି ପାଇଁ କିଛି କରିବାର ମୂଲ୍ୟବୋଧ ତାଙ୍କ ବ୍ୟବସାୟର ଆଧାର ଥିଲା । ସେ ଏକ ଏମିତି ପରିବେଶ ସୃଷ୍ଟି କଲେ, ଯେଉଁଠି ମହିଳାମାନେ ନିଜ ଲକ୍ଷ୍ୟ ସ୍ଥିର କରିବାର ସ୍ୱାଧୀନତା ସହିତ ଆତ୍ମବିଶ୍ୱାସ ପାଇପାରିଲେ । ତାଙ୍କର ନିତୀ ଓ ଦୃଷ୍ଟିକୋଣ ଏତେ ପ୍ରେରଣାଦାୟକ ଥିଲା ଯେ, ସେ ଦେଶ-ବିଦେଶର ଅନେକ ଲୋକଙ୍କୁ ପ୍ରଭାବିତ କରିପାରିଲେ। ସେ ଅନେକ ସମ୍ମାନ ଓ ପୁରସ୍କାର ଜିତିଥିଲେ, ଯାହା ତାଙ୍କ ସଂଘର୍ଷ ଓ ସଫଳତାର ପ୍ରମାଣ । ଅନେକ ମହିଳା ତାଙ୍କ ଠାରୁ ପ୍ରେରଣା ନେଇ ନିଜ ଦୁନିଆ ଗଢ଼ିଛନ୍ତି ।
ମେରୀଙ୍କ ଜନ୍ମ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ବେଳକୁ ମେ ୧୨,୧୯୧୮ ମସିହାରେ ଆମେରିକାର ଟେକ୍ସସରେ ହୋଇଥିଲା । ନିଜର ସଂଚୟ ଓ ମହିଳାଙ୍କ ଆର୍ଥିକ ଉନ୍ନତି ପାଇଁ ସେ ନିଜ ପିଲାମାନଙ୍କ ସହିତ ମିଶି ବ୍ୟବସାୟରେ ପାଦ ଥାପିଥିଲେ । ତ୍ୱଚା ର ଯତ୍ନ ପାଇଁ ପ୍ରସାଧାନିକ ସାମଗ୍ରୀ ଉତ୍ପାଦନ ପାଇଁ ସେ ଯୋଜନା କଲେ । ମେରୀ କେ କସମେଟିକ୍ସ ଇଙ୍କ ର ସେ ଥିଲେ ପ୍ରତିଷ୍ଠାତା । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ୯୮ ମିଲିୟନ ଡଲାରର ସମ୍ପତ୍ତି ଥିଲା । ତାଙ୍କର କମ୍ପାନୀର ବିକ୍ରି ୧.୨ ବିଲିୟନ ଡଲାରରୁ ଅଧିକ ଥିଲା । ୩୬ ଟି ଦେଶରେ ଥିଲେ ୮ ଲକ୍ଷରୁ ଅଧିକ ବିକ୍ରୟ ପ୍ରତିନିଧି । ଜଣେ ମହିଳା ନିଜର ବୁଦ୍ଧି ବଳରେ ବିଶ୍ୱର ଅଗ୍ରଣୀ ଉଦ୍ୟୋଗୀ ଭାବେ ଅତି କମ ଦିନରେ ନିଜକୁ ପ୍ରତିଷ୍ଠିତ କରାଇଥିଲେ । ବ୍ୟବସାୟିକ ଜଗତରେ ନିଜେ ପ୍ରତିଷ୍ଠିତ ହେବା ସହିତ ହଜାର ସଂଖ୍ୟକ ଲୋକଙ୍କୁ ଜୀବିକା ଦେଇଥିବାରୁ ତାଙ୍କୁ ଆମେରିକାନ ଏକାଡେମୀ ଅଫ ଆଚିଭମେଣ୍ଟ ଗୋଲଡେନ ପ୍ଲେଟ ଆୱାର୍ଡରେ ସମ୍ମାନିତ କରାଯାଇଥିଲା ।