ନାରୀବାଦର ନୂଆ ନାୟିକା ଭାବେ ଉଭା ହୋଇଛନ୍ତି ଜିସେଲ୍ ପେଲିକୋଟ୍ । ନିକଟରେ ତାଙ୍କୁ ଫାଇନାନ୍ସିଆଲ୍ ଟାଇମ୍ସ ପକ୍ଷରୁ ୨୦୨୪ର ଶ୍ରେଷ୍ଠ ପ୍ରଭାବଶାଳୀ ମହିଳା ଭାବେ ସମ୍ମାନିତ କରାଯାଇଛି । ନିଜ ବ୍ୟକ୍ତିଗତ ଜୀବନରେ ଉଠିଥିବା ଝଡ଼କୁ ସେ ନିଜର ବେଡ଼ରୁମର ରହସ୍ୟ ହେବାକୁ ନଦେଇ ସାହସର ସହିତ ଲୋକଲୋଚନକୁ ଆଣିଲେ ଓ ଦୋଷୀ ସ୍ୱାମୀଙ୍କୁ ଉପଯୁକ୍ତ ଦଣ୍ଡ ଦେଇ ବିଶ୍ୱର ନାରୀ ମାନଙ୍କ ମଧ୍ୟରେ ସାହସର ପ୍ରତୀକ ପାଲଟିଗଲେ ।
ସୂଚନା ଯୋଗ୍ୟ ଯେ ତାଙ୍କ ସ୍ୱାମୀ ତାଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା ସହ ତାଙ୍କୁ ଦୁଷ୍କର୍ମ କରିବା ପାଇଁ ଅନ୍ୟ ପୁରୁଷଙ୍କୁ ପ୍ରବର୍ତ୍ତାଇଥିଲେ। ଦିନେ ଦିନେ ତାଙ୍କର ସ୍ବାମୀଙ୍କ ସହିତ ଅନ୍ୟ ୧୦ ଜଣ ଲେଖାଏଁ ଲୋକଙ୍କ ଶଯ୍ୟାସଙ୍ଗିନୀ ହେବାକୁ ତାଙ୍କୁ ବାଧ୍ୟ କରାଯାଇଛି ।
ସଭ୍ୟସମାଜରେ ଏଭଳି ଘୃନ୍ୟ ଆଚରଣ ଓ ବ୍ୟବହାର ବିରୋଧରେ ଜିସେଲ୍ ଏକ ଲମ୍ବା ଲଢ଼େଇ ଲଢ଼ିବାକୁ ପ୍ରସ୍ତୁତ ହୋଇଥିଲେ । ତାଙ୍କପ୍ରତି ଅନାବିଳ ଶ୍ରଦ୍ଧା, ସମ୍ମାନ ତଥା ସମର୍ଥନ କରି ମାତ୍ର କିଛିଦିନରେ ଫ୍ରାନ୍ସରେ ଏକ ବିରାଟ ନିରବ ଆନ୍ଦୋଳନର ଝଡ଼ ସୃଷ୍ଟି ହୋଇଥିଲା । ରାତାରାତି ସେ ସାରା ବିଶ୍ୱର ମହିଳାଙ୍କ ଆଦର୍ଶ ପାଲଟି ଯାଇଥିଲେ। ସାମାଜିକ ନିନ୍ଦା ଅପବାଦ ଓ ମନର ଯନ୍ତ୍ରଣାକୁ ଭୃକ୍ଷେପ ନକରି ନିଜ ସ୍ବାମୀଙ୍କ ଧମକ ତଥା ନିର୍ଯାତିତ ଶରୀର ଓ ହୃଦୟର ଗଭୀର କ୍ଷତ ପ୍ରତି ତିଳେମାତ୍ର ଖାତିର ନକରି ଜିସେଲ୍ ଆଇନର ଆଶ୍ରୟ ନେଇ ଶେଷରେ ବିଜୟୀ ହୋଇଥିଲେ। ଏଭଳି ବିରଳ ବ୍ୟକ୍ତିଙ୍କର ନାରୀସମାଜ ପ୍ରତି ରହିଥିବା ଦାୟିତ୍ୱବୋଧ ଓ ନିଜର ତ୍ୟାଗ ପାଇଁ ତାଙ୍କୁ ଅନେକ ପ୍ରଶଂସା ଓ ସୁଖ୍ୟାତି ମିଳିଛି। ଜିସେଲ୍ କହନ୍ତି, “ମୁଁ ଜାଣେ ମୁଁ ଏକ ଘୃଣ୍ୟ ପାପର ଶିକାର ହୋଇଛି। ପ୍ରଥମେ ଭାବୁଥିଲି ମୁଁ ସ୍ୱର ଉଠାଇଲେ ହୁଏତ ଆଉ ଏକ ବିଦ୍ରୂପର ପାତ୍ର ପାଲଟିବି। କିନ୍ତୁ ମୋ ଅନ୍ତରଆତ୍ମା ମୋତେ କହିଲା ଯେ, ମୋ ସ୍ୱର ଭବିଷ୍ୟତର ନାରୀସମାଜ ପାଇଁ ଏକ ସୁରକ୍ଷା କବଚ ସାଜିବ ଏବଂ ଏଭଳି ପାପୀଙ୍କ କବଳରୁ ଅନେକ ନାରୀ ବଞ୍ଚିବାର ସୁଯୋଗ ପାଇବେ ସେତେବେଳେ ମୁଁ ଆଗକୁ ବଢ଼ିଲି। ନାରୀ ପଣ୍ୟ ନୁହଁ । କାହାର ଭୋଗ ବିଳାସର ସାମଗ୍ରୀ ନୁହଁ । ନାରୀ ମଧ୍ୟ ଜଣେ ରକ୍ତମାଂସ ଧାରୀ । ଏହାକୁ ନେଇ ସେ ସ୍ଵାମୀଙ୍କ ବିରୁଦ୍ଧରେ ମାମଲା ଲଢ଼ିଲେ। କୋର୍ଟ ଭିତରେ ହେଉଥିବା ଆଲୋଚନାକୁ ସାର୍ବଜନୀନ କଲେ। ଶେଷରେ ତାଙ୍କ ସ୍ଵାମୀଙ୍କ ସମେତ 50 ଜଣ ଦୁଷ୍କର୍ମକାରୀଙ୍କୁ ଅଦାଲତ ଦଣ୍ଡ ଶୁଣାଇଲେ।