ଉତ୍ତରପ୍ରଦେଶ ଚରଖୀ ଦାଦରୀର କାଦମାରେ ରହୁଥିବା ୧୦୭ ବର୍ଷୀୟା ଅନ୍ତରାଷ୍ଟ୍ରୀୟ ଖେଳାଳି ରାମବାଇଙ୍କ ପରିବାର ମହିଳା ସଶକ୍ତିକରଣର ଏକ ଜ୍ୱଳନ୍ତ ନିଦର୍ଶନ । ରାମବାଇ ନିଜେ ଜଣେ ବିଶ୍ୱସ୍ତରୀୟ ଖେଳାଳି ହୋଇଥିଲେ ହେଁ ଖୁବ କମ ଲୋକ ଜାଣନ୍ତି ତାଙ୍କର ଅଭାବୀ ସଂସାରର ଦୁଃଖ ଯାତନା । ରାମବାଇଙ୍କ ଝିଅ ସନ୍ଥରା କ୍ରୀଡା କ୍ଷେତ୍ରରେ ଶତାଧିକ ମେଡାଲ ହାସଲ କରିଛନ୍ତି । ସନ୍ଥରା ଦେବୀଙ୍କ ଝିଅ ଶର୍ମିଲା ଦିଲ୍ଲୀ ପରିବହନ ନିଗମର ବସ ଡ୍ରାଇଭର ଭାବେ ନିଜ ସଂସାର ନିର୍ବାହ କରୁଥିବା ବେଳେ ଶ୍ରମିଳାଙ୍କ ଝିଅ ଜେନିଥ ଏବେ ଚଳାଇବେ ବିମାନ । ବିମାନର ଉଡାଣ ଭରିବା ପାଇଁ ସେ ୬୨ ଘଂଟାର ପ୍ରଶିକ୍ଷଣ ନେଉଛନ୍ତି । ୬୨ ଘଣ୍ଟା ଅବଧିର ଉଡାଣ ଭରିବା ପରେ ତାଙ୍କ ହାତକୁ ଆସିଯିବ ପାଇଲଟ ପ୍ରମାଣପତ୍ର । ନୀଳ ଆକାଶରେ ଉଡାଣ ଭରିବା ଜେନିଥ ପାଇଁ ଏତେ ସହଜ ନଥିଲା ।
ମା ଶର୍ମିଲା ଏଥିପାଇଁ ନିଜ ଜୀବନକୁ ଲଗାଇଦେଇଥିଲେ ବାଜି । ୧୭ ବର୍ଷ ତଳେ ଶର୍ମିଲା ନିଜ ସ୍ୱାମୀଙ୍କୁ ହରାଇଥିଲେ । ଏକ ସଡକ ଦୁର୍ଘଟଣାରେ ଚାଲିଯାଇଥିଲା ତାଙ୍କର ପ୍ରାଣ । ସେତେବେଳକୁ ଜେନିଥର ବୟସ ମାତ୍ର ୩ ବର୍ଷ । ୩ ବର୍ଷର ପିଲାଟିକୁ ଯେମିତି ହେଲେ ମଣିଷ କରିବେ ବୋଲି ସେଦିନ ସେ ପଣ କରିଥିଲେ । ଅଭାବ ସତ୍ୱେ ସେ ନିଜ ସ୍ୱପ୍ନକୁ ସାକାର ପାଇଁ ଦିଲ୍ଲୀ ପରିବହନ ନିଗମର ବସ ଡ୍ରାଇଭର ବୃତ୍ତିରେ ଯୋଗଦେଲେ ଓ ଝିଅ ପାଇଁ ବଡ଼ ସ୍ବପ୍ନ ଦେଖିଲେ । ଏବେ ଝିଅ ପାଇଲଟ ହେବେ । ଜେନିଥଙ୍କ ଆଇ ଓ ମାଉସୀ ମାନେ ଯେଉଁ ପରମ୍ପରାକୁ ଆଗକୁ ନେଇଛନ୍ତି ସେହି ପରମ୍ପରାକୁ ଏବେ ୨୦ ବର୍ଷର ଜେନିଥ ନୂଆ ଉଚ୍ଚତାକୁ ନେଇଛନ୍ତି । ପରିବାରର ଚାରି କାନ୍ଥ ଭିତରେ ନିଜକୁ ସୀମିତ ନ ରଖି ପରିବାରର ପ୍ରତ୍ୟେକ ମହିଳା ସଦସ୍ୟ ଯେଉଁ ସଂକଳ୍ପ ଓ ଦାୟିତ୍ୱ ନିର୍ବାହ କରିଛନ୍ତି ତାହା ନୂଆ କୀର୍ତ୍ତିମାନ ସୃଷ୍ଟି କରିଛି ।