ସ୍ୱାମୀ ଭାରତୀୟ କ୍ରିକେଟର ଅଲରାଉଣ୍ଡର । କିନ୍ତୁ ପତ୍ନୀ ନିଜର ପରିଚିତିରେ ଅଦ୍ୱିତୀୟ ହେବା ପାଇଁ ଖୋଲିଛନ୍ତି ବେକେରି। ୨୦୨୩ ପରଠାରୁ ଖୋଲାଯାଇଥିବା ବେକେରି ଏବେ ୨.୨ କୋଟି ଟଙ୍କାର ବ୍ୟବସାୟିକ ପୁଞ୍ଜି ନିବେଶ କରିବା ସହିତ ପ୍ରସିଦ୍ଧି ଅର୍ଜନ କରିଛି । ଏହି ବେକେରି ରହିଛି ମହାରାଷ୍ଟ୍ରର ଥାନେରେ । ଏହାର ମାଲିକାଣି ହେଉଛନ୍ତି କ୍ରିକେଟ ଖେଳାଳି ଶାର୍ଦୁଳ ଠାକୁରଙ୍କ ପତ୍ନୀ ମିତାଲି ପାରୁଲକର । ମିତାଲି ଓ ଶାର୍ଦୁଳ ସହପାଠୀ ଥିଲେ । ଉଭୟେ ସାଙ୍ଗରୁ ପାଲଟିଛନ୍ତି ଅର୍ଦ୍ଧାଙ୍ଗିନୀ । ୨୦୨୩ ମସିହାରେ ଉଭୟଙ୍କ ବାହାଘର ହେବା ପରଠାରୁ ମିତାଲି ସ୍ୱାମୀଙ୍କ ପରିଚୟ ନେଇ ନୁହଁ ବରଂ ନିଜସ୍ୱ ପରିଚୟରେ ପରିଚିତି ପାଇଁ ଅଂଟା ଭିଡିଛନ୍ତି । ଥାଣେରେ ଅଲ ଜାଜ ନାଁରେ ସେ ଖୋଲିଛନ୍ତି ଏକ ବେକେରି । ଏଠାରେ କେକ ,କୁକିତ୍ସ ,ବ୍ରେଡ ସହିତ ସ୍ୱାଦିଷ୍ଟ ଚିପ୍ସ ଓ ମୃଦ୍ୟୁ ପାନୀୟ ବିକ୍ରିର ବ୍ୟବସ୍ଥା ରହିଛି । ମିତାଲିଙ୍କ ପିତା ଜଣେ ବ୍ୟବସାୟୀ ହୋଇଥିବା ବେଳେ ମା ହେଉଛନ୍ତି ଜଣେ ଗୃହିଣୀ । ବ୍ୟବସାୟୀ ପରିବାରରୁ ଆସିଥିବାରୁ ସ୍ୱାଧୀନ ଭାବେ କିଛି ବ୍ୟବସାୟ କରିବାର ଆଗ୍ରହ ତାଙ୍କର ଥିଲା । ବିବାହ ପରେ ସେ ସଂସାର ସହିତ ଉଦ୍ୟୋଗକୁ ସମାନ ଭାବେ ଆଗକୁ ବଢିବାକୁ ଦେଉଛନ୍ତି । କ୍ରିକେଟ ତାରକା ବିରାଟ କୋହିଲିଙ୍କ ପତ୍ନୀ ଅନୁଷ୍କା ଓ ରୋହିତ ଶର୍ମାଙ୍କ ପତ୍ନୀ ରୀତିକାଙ୍କ ଭଳି ମିତାଲି ବୁଦ୍ଧିମତୀ ଓ ସୁନ୍ଦରୀ । ବାଣିଜ୍ୟରେ ସ୍ନାତକ ପରେ ସେ କମ୍ପାନୀ ସେକ୍ରେଟାରୀ ଭାବେ ଆରମ୍ଭ କରିଥିଲେ ଚାକିରୀ ଜୀବନ । କିନ୍ତୁ ପରେ ଚାକିରୀରୁ ମୁହଁ ଫେରାଇ ବ୍ୟବସାୟ ଜଗତରେ ଦେଇଥିଲେ ପାଦ । ଏବେ ସେ ଜଣେ ବ୍ୟବସାୟୀ ମହିଳା ଭାବେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି ।