କୋରାପୁଟ ସେମିଲିଗୁଡାର ଗଦବା ଆଦିବାସୀ ସମ୍ପ୍ରଦାୟର ଝିଅ ସୁନିତା ଖିଲ ଦକ୍ଷିଣ ଭାରତୀୟ ସିନେମାରେ ଅଭିନୟ କରି ସାଉଣ୍ଟିଛନ୍ତି ପ୍ରସଂଶା । ସେ ଅଭିନୟ କରିଥିବା ତେଲୁଗୁ ସିନେମା ମଙ୍ଗଲଭରମ ଦକ୍ଷିଣ ଭାରତର ୫ଟି ଭାଷାରେ ରିଲିଜ ହୋଇ ଦର୍ଶକଙ୍କ ଅଜସ୍ର ତାଳିମାଡ଼ ପାଇଛି । ପିଲାଟି ଦିନରୁ ମଡେଲିଂ ଓ ଅଭିନୟ ପ୍ରତି ଆକର୍ଷିତ ସୁନିତା କୋରାପୁଟର ବଣମଲ୍ଲି କହିଲେ ଅତ୍ୟୁକ୍ତି ହେବନାହିଁ । ଭୁବନେଶ୍ୱରରୁ ଫେସନ ଡିଜାଇନ ପାଠ୍ୟକ୍ରମ କରି ସମ୍ପ୍ରତି ସେ କୋରାପୁଟ ପର୍ଯ୍ୟଟନ ବିକାଶ ଦିଗରେ କରୁଛନ୍ତି କାମ । ଅଜୟ ଭୂପତିଙ୍କ ନିର୍ଦେଶିତ ମଙ୍ଗଳ ଭରମ ବ୍ୟତୀତ ତାମିଲ ,କନ୍ନଡ଼ ,ମାଲାୟାଲାମ ଓ ତେଲୁଗୁ ଭାଷାରେ ସେ ଛୋଟ ବଡ଼ କେତୋଟି ସିନେମାରେ ଅଭିନୟ କରିଛନ୍ତି ।
ସମ୍ମାନ ଆଣିଛନ୍ତି ସସ୍ମିତା
କ୍ରୀଡା ,ସଂଗୀତ ,ମଡେଲିଂ ଓ ଅଭିନୟ ଜଗତରେ କୋରାପୁଟର ଝିଅ ମାନଙ୍କ ରହିଛି ପ୍ରବେଶ ଓ ପ୍ରସିଦ୍ଧି । କୋରାପୁଟର ଆଉ ଜଣେ ଝିଅ ସସ୍ମିତା ନାଗ କୋରାପୁଟରୁ ମୁମ୍ବାଇ ଯାତ୍ରା କରି ଆଇୱା ମିସ ଇଣ୍ଡିଆ ପ୍ରତିଯୋଗିତାରେ ଅନ୍ୟ ୧୦୦୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟପ ଟ୍ୱେଣ୍ଟିକୁ ଉତ୍ତୀର୍ଣ୍ଣ ହୋଇଥିଲେ । ଓଡ଼ିଆ ଭାଷା ଓ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ଶେଷ କରିଥିବା ସସ୍ମିତା ମଡେଲିଂ ଜଗତରେ ଆଉ ଏକ ନୂଆ ସମ୍ଭାବନା କହିଲେ ଅତ୍ୟୁକ୍ତି ହେବନାହିଁ ।
ଟି ଟ୍ୱେଣ୍ଟି ମହିଳା କ୍ରିକେଟ ଦଳରେ କୋରାପୁଟ ଝିଅ ପ୍ରିୟଙ୍କା
ପଛୁଆ ଜିଲ୍ଲାର ସେ ହେଉଛନ୍ତି ଆଉ ଜଣେ ଆଗୁଆ ଝିଅ । ଜିଲ୍ଲାରେ ନା ଅଛି କ୍ରୀଡା ଭିତ୍ତିଭୂମି ନା ଅଛନ୍ତି ପ୍ରଶିକ୍ଷକ । କିନ୍ତୁ ଏଇ ମାଟିର ଝିଅ ପ୍ରିୟଙ୍କା ବର୍ମା ୨୩ ବର୍ଷରୁ କମ ମହିଳା କ୍ରିକେଟ ଟି ଟ୍ୱେଣ୍ଟିରେ ପ୍ରତିନିଧିତ୍ବ କରିବାର ପାଇଛନ୍ତି ସୁଯୋଗ । ଅଲିପସା ବିଶ୍ୱାଳଂକ ନେତୃତ୍ୱରେ ଗଠିତ ୧୬ ଜଣିଆ ଟିମରେ ପ୍ରିୟଙ୍କାଙ୍କ ସ୍ଥାନ ପକ୍କା ହେବା ପରେ ଜିଲ୍ଲାରେ ଖେଳିଯାଇଛି ଖୁସିର ମାହୋଲ ।