ଯୁଆଡେ ଆଖି ଦେଖୁଛି ଫୁଲ ଆଉ ଫୁଲ । କେଉଁଠି ଲାଲ ,ହଳଦିଆ ଆଉ ଧଳା ଗୋଲାପ ଶୋଭା ପାଉଛି। ତ ଆଉ କେଉଁଠି ସୁନ୍ଦର ସୁଢଳ ଡାଲିଆ । ସେବତୀ, ଗେଣ୍ଡୁ, ଜିନିଆ, ଆଷ୍ଟର, କାଲେଣ୍ଡୁଲା, ଲିଲିୟମ୍, ଗ୍ଲାଡିଓଲି, ଆଷ୍ଟ୍ରରିୟମ, ସାଲଭିଆ, ଆଣ୍ଟିରିନିଅମ୍ ପରି ନାମୀ ଦାମୀ ଫୁଲର ଆସର ଭିତରେ ସୁନ୍ଦରମୟ ହୋଇ ଉଠିଛି ଏକାମ୍ର କାନନ । ଫୁଲ ସମେତ ଭିନ୍ନ ଭିନ୍ନ କିସମର ପତ୍ର ଗଛ ଯଥା ଫଣି, ଆଗ୍ଲୋନିମା, ପାମ୍, ଫିଲୋଡେଣ୍ଡ୍ରନ୍ ଆଦି ଦେଖିବାକୁ ମିଳୁଛି । ବିଭିନ୍ନ ରଙ୍ଗ ଓ କିସମ ଫୁଲକୁ ଦିଆଯାଇଛି ନିର୍ଦିଷ୍ଟ ଆକାର । କେଉଁଠି ଫୁଲରେ ସ୍ୱାଗତ ତୋରଣ ତିଆରି ହୋଇଛି ତ କେଉଁଠି ଫୁଲରେ ଫୁଲରେ ସଜ୍ଜିତ ହୋଇଛି ନୌକା । ଏକାମ୍ର କାନନର ଜଳାଶୟରେ ଫୁଲ ନୌକା ଦର୍ଶକଙ୍କ ହୃଦୟକୁ ଛୁଇଁଥିବା ବେଳେ ଓଡ଼ିଶାର ଆରାଧ୍ୟ ଠାକୁର ଶ୍ରୀଜଗନ୍ନାଥ ,ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଫୁଲରେ ସଜାଇ ସୃଷ୍ଟି କରାଯାଇଛି ଆଧ୍ୟାତ୍ମିକ ପରିବେଶ ।
ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନ ମିଳିତ ସହଯୋଗରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ, ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବ।ହୀ ସୁରେଶ କୁମାର ପନ୍ତ, ପ୍ରଶାସନିକ ଅଧିକାରୀ ଋତୁପର୍ଣ୍ଣା ମହାପାତ୍ର, ପ୍ଲାଣ୍ଟ ଲଭର୍ସ ଆସୋସିଏସନ ସଭାପତି କ୍ଷୀରୋଦ ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଓଡ଼ିଶାର ଫୁଲ ଚାଷ ବିଶେଷ କରି ଉଦ୍ଭିଦ ବିବିଧତା ଓ ଅର୍ଥନୀତି ତଥା ପର୍ଯ୍ୟଟନ କ୍ଷେତ୍ର ପ୍ରତି ଅବଦାନ ବାବଦରେ ସୂଚିତ କରାଇଥିଲେ । ପ୍ରବାସୀ ଭାରତୀୟ ମାନେ ଏହି ପୁଷ୍ପ ପ୍ରଦର୍ଶନୀକୁ ପରିଦର୍ଶନ କରି ଭୁରି ଭୁରି ପ୍ରସଂଶା କରିଛନ୍ତି ।