ଦିବ୍ୟାଙ୍ଗଙ୍କ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି ମୃଣାଳିନୀ ପାଢ଼ୀ । ସେ ରେଡକ୍ରସ ଦ୍ୱାରା ପରିଚାଳିତ ସହାୟ ଅନୁଷ୍ଠାନର ସମ୍ପାଦିକା ଭାବେ ଦାୟିତ୍ୱ ନିର୍ବାହ ସହିତ ମହିଳା ସଶକ୍ତିକରଣ ଦିଗରେ କରିଛନ୍ତି ଉଲ୍ଲେଖନୀୟ କାମ । ସହାୟରେ ଯୋଗ ଦେବା ପୂର୍ବରୁ ସେ ଭିନ୍ନକ୍ଷମ ପିଲାଙ୍କ ପାଇଁ ଏକ ଧନ୍ଦା ମୂଳକ ସ୍କୁଲ ଗଢି ଅନେକ ପିଲାଙ୍କୁ ସ୍ୱାବଲମ୍ବୀ ଦିଗରେ ସକ୍ଷମ କରାଇଛନ୍ତି । ବାରିଷ୍ଟର ଗୋବିନ୍ଦ ଦାସ ଓ ଶାନ୍ତି ଦାସଙ୍କ କନ୍ୟା ମୃଣାଳିନୀ ଏକାଧାରରେ ଜଣେ ଲେଖିକା ,ଆଇନଜୀବୀ ଓ ସମାଜସେବୀ । ଓଡ଼ିଆ ରାଣୀ ମାନଙ୍କୁ ନେଇ ତାଙ୍କର ଏକ ବହି ଅଛି । ସେଥିରେ ସେ ଅନେକ ଲୁକ୍କାୟିତ ରାଣୀଙ୍କ ତଥ୍ୟ ଲୋକଲୋଚନକୁ ଆଣିଛନ୍ତି । ତାଙ୍କର କହିବା କଥା ହେଲା ଆମର ଐତିହାସିକ ମାନେ ପୁରୁଷ ବାଦୀ ଦ୍ରୁଷ୍ଟିଭଙ୍ଗିରୁ ମୁକୁଳି ପାରିନାହାନ୍ତି । ଇତିହାସ ସବୁବେଳେ ରାଜା ମହାରାଜା ମାନଙ୍କ କଥା କହିଛି ଓ ରାଣୀ ମହାରାଣୀଙ୍କୁ ଉପେକ୍ଷା କରିଛି । ମୃଣାଳିନୀ କହନ୍ତି ପୁରୀ ମହାରାଣୀ ସୂର୍ଯ୍ୟମଣି ପାଟମହାଦେଈ ୩୮ ବର୍ଷ ଧରି ବ୍ରିଟିଶ ମାନଙ୍କ ସହିତ ଆଇନର ଯୁଦ୍ଧ ଲଢ଼ିଥିଲେ । କିନ୍ତୁ ଇତିହାସ ତାଙ୍କର ଏହି ସାହସ ଓ ବୀରତ୍ୱକୁ ଲିପିବଦ୍ଧ କରିବାରେ କୁଣ୍ଠିତ ହୋଇଛି । ଓଡ଼ିଶାର ଅନେକ ରାଣୀଙ୍କୁ ମୃଣାଳିନୀ ନିଜ ପୁସ୍ତକରେ ଆଣିଛନ୍ତି । ଜଣେ ଆଇନଜୀବୀ ଭାବେ ସେ ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଚାବି ହଜିବା ପ୍ରସଙ୍ଗକୁ ନେଇ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଓ ଏହି ମାମଲାରେ ବିଜୟୀ ହୋଇଥିଲେ । ତାଙ୍କର ଏଭଳି ସମାଜସେବା କାମ ପାଇଁ କ୍ୟାପିଟାଲ ଫାଉଣ୍ଡେସନ ,ନୂଆଦିଲ୍ଲୀ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।