ଆନ୍ଧ୍ର ପ୍ରଦେଶର ଦମ୍ପତ୍ତି କଦଳୀ ପାଟୁଆରୁ ତିଆରି କରିଛନ୍ତି ବ୍ୟବସାୟିକ ବୁଦ୍ଧି । ମୂଷା ଫାଇବ୍ରାଲ ନାଁରେ ଷ୍ଟାର୍ଟଅପ ତିଆରି କରି ୨୫ ପ୍ରକାରର ଉତ୍ପାଦ ତିଆରି କରୁଛନ୍ତି । ଆନ୍ଧ୍ର ପ୍ରଦେଶର ୪ ଟି ସହରରେ ପ୍ରକ୍ରିୟାକରଣ ୟୁନିଟ ତିଆରି ସହିତ ୪୦ ମହିଳାଙ୍କୁ ଦେଇଛନ୍ତି ରୋଜଗାର । ପରୋକ୍ଷରେ ଗରିବ ଚାଷୀ ମାନଙ୍କ ଆୟ ବଢ଼ିବାରେ କରିଛନ୍ତି ସହଯୋଗ । ଏହି କାହାଣୀର ନାୟକ ହେଉଛନ୍ତି ଶ୍ରୀନିବାସଲୁ ଓ ତାଙ୍କ ପତ୍ନୀ ଆନନ୍ଦକୁମାରୀ । ଶ୍ରୀନିବାସଲୁ ଓ ଆନନ୍ଦକୁମାରୀଙ୍କ ଘର ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରରେ । କଦଳୀ ଚାଷ ପରେ ଚାଷୀ ମାନେ ଗଛର ଗଣ୍ଡିକୁ ଅଦରକାରୀ ଭାବି ଫିଙ୍ଗି ଦେଉଥିବା ଦେଖି ସେ ଏହାକୁ ନେଇ କଣ କରାଯାଇପାରିବ ଚିନ୍ତା କରୁଥିଲେ । ଏଭଳି ସମୟରେ ତାମିଲନାଡୁ ଓ କର୍ଣ୍ଣାଟକର ଚାଷୀ ମାନେ କଦଳୀ ଗଣ୍ଡିରୁ ତନ୍ତୁ ବାହାର କରି ସେଥିରେ ଅନେକ ଉତ୍ପାଦ ତିଆରି କରୁଥିବା ସୋସିଆଲ ମିଡ଼ିଆରୁ ଦେଖିଲେ । ଏକ ଜାତୀୟ ସ୍ତରର ସଂସ୍ଥା ଏ ବାବଦରେ ତାଲିମ ଦେଉଥିବା ଜାଣିବା ପରେ ଆଗ୍ରହୀ ହେଲେ ଓ ଉଭୟ ଦମ୍ପତ୍ତି ତାଲିମ ନେବା ସହିତ ଲଖ୍ୟଧିକ ଟଙ୍କାର ଋଣ ସୁବିଧା ପାଇ ଉତ୍ପାଦନ ୟୁନିଟ ଆରମ୍ଭ କରିଥିଲେ ।
ମୁଷା ଫାଇବ୍ରାଲ ଏବେ ଅଦରକାରୀ କୁହାଯାଉଥିବା କଦଳୀ ଗଣ୍ଡିରୁ ହସ୍ତଶିଳ୍ପ ,କାଗଜ ,କପଡା ,କାର୍ଡବୋର୍ଡ ,ଜୈବିକ ଖତ,କଣ୍ଢେଇ ,ସାନିଟାରୀ ନାପକିନ ଏବଂ ସାଜସଜ୍ଜା ସାମଗ୍ରୀ ତିଆରି କରି ରାଜ୍ୟ ସରକାରଙ୍କ ନିକଟରୁ ଶ୍ରେଷ୍ଠ କୁଟୀରଶିଳ୍ପୀ ପୁରସ୍କାର ହାସଲ କରିଛନ୍ତି । ଆଗକୁ ମେସିନ ସଂଖ୍ୟା ବଢିଲେ ଉତ୍ପାଦନ ଆକାର ବଢିବ ଓ ଅଧିକ ଲୋକଙ୍କୁ ନିୟୋଜିତ କରାଯିବ ବୋଲି ସେ କହିଛନ୍ତି । କଦଳୀ ଚାଷ ଲାଭଜନକ କିନ୍ତୁ ଏହାର ଗଣ୍ଡି ଅଦରକାରୀ ବୋଲି ଲୋକଙ୍କ ଧାରଣା ଥିଲା ଏବେ ଏଥିରୁ ଏତେ ସବୁ ସାମଗ୍ରୀ ତିଆରି ହେଉଥିବା ଦେଖିବା ପରେ କଦଳୀ ପାଟୁକା କୁଟୀର ଶିଳ୍ପ ସହିତ ଆୟର ନିଶ୍ଚିତତା ଦେବ ବୋଲି ବିଶ୍ୱାସ ଆସିଯାଇଛି ।