ଆରମ୍ଭରୁ ସୁଖମୟ ଥିଲା ଶୈଶବ । ବାପା ,ମା ,ଜେଜେ ,ଜେଜେ ମାଙ୍କ ସହିତ ପରିବାରରେ ବିରାଜମାନ ଥିଲା ଶାନ୍ତି । ହେଲେ ଭାଗ୍ୟ ଦେଲାନି ସାଥ । କାହାର କଳାନଜର ଲାଗିଗଲା ଯେପରି । ଦେଢ଼ ବର୍ଷ ବୟସର ହୋଇଥିବା ବେଳେ ପର ପୁରୁଷ ସହିତ ଚାଲିଗଲା ମା । ଅବେଳରେ ଆଖି ବୁଜିଲେ ଶିକ୍ଷକ ବାପା । ବୟସର ବୋଝରେ ଅଂଟା ନଇଁଯାଇଥିବା ଜେଜେ ଓ ଜେଜେ ମାର ବେକରେ ବନ୍ଧା ହୋଇଗଲା ଦେଢ଼ ବର୍ଷର ନିଷ୍ପାପ ଶିଶୁ ଯମୁନା ।
ଏଭଳି ଲୁହ ଓ କୋହଭରା କାହାଣୀର କେନ୍ଦ୍ରବିନ୍ଦୁରେ ରହିଛି ଯମୁନା। ଯମୁନାଙ୍କୁ ଘର କଟକ ଜିଲ୍ଲା ବଡ଼କମ୍ବିଲୋ ଗାଁରେ । ତାଙ୍କ ବାପା ହେଉଛନ୍ତି ରାଜକିଶୋର ପ୍ରଧାନ । ରାଜକିଶୋର ପେସାରେ ଜଣେ ଶିକ୍ଷକ ଥିଲେ । ଛାଞ୍ଚୁଣିଆ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରୁଥିଲେ। ଯମୁନାକୁ ଦେଢ଼ବର୍ଷ ବୟସ ହୋଇଥିବା ବେଳେ ଶିକ୍ଷକ ସ୍ୱାମୀ ରାଜକିଶୋରଙ୍କ ହାତ ଛାଡି ଦେଇ ପର ପୁରୁଷ ସହିତ ପଳାଗଲେ ଯମୁନାଙ୍କୁ ମା । ମା ଛାଡ଼ି ଗଲା ପରେ ପୁଣି ଆଉ ଥରେ ବିବାହ ପାଇଁ ଚାହିଁ ନଥିଲେ ରାଜକିଶୋର । ବୟସର ଅପରାହ୍ନରେ ପହଁଚିଥିବା ବାପା ମୂରଲୀ ଓ ମାଆ ମୁକୁତା ପ୍ରଧାନଙ୍କ କୋଳରେ ଝିଅ ଯମୁନାକୁ ଛାଡ଼ି ଦେଖୁଥିଲେ କେତେ ସ୍ୱପ୍ନ । ଝିଅକୁ ଭଲ ସଂସ୍କାର ଦେଇ ଭଲ ମଣିଷଟିଏ କରିବା ପାଇଁ ଦେଖୁଥିଲେ କେତେ କେତେ ସ୍ୱପ୍ନ । ଜନ୍ମ କଲା ମାଆଠାରୁ ଅଧିକ ସ୍ନେହ ଦେଉଥିଲେ ଝିଅ ଯମୁନାକୁ । ଝିଅ ପାଇଁ ପ୍ରତିଦିନ ସମୟ ଦେବା ସହିତ ବୁଝୁଥିଲେ ଭଲମନ୍ଦ । ବାପା ସ୍କୁଲରୁ ଫେରିବା ମାତ୍ରେ ପାଖ ଛାଡ଼ୁନଥିଲା ଝିଅ । ପିତା ପୁତ୍ରୀଙ୍କ ଏ ଅନାବିଳ ସମ୍ପର୍କକୁ ସହିପାରିଲାନି ଦଇବ ! ଅବେଳରେ ବାପା ରାଜକିଶୋରଙ୍କୁ ଯମୁନା ପାଖରେ ଛଡ଼ାଇ ନେଲା। ଦିନେ ସର୍ପ ଦଂଶନରେ ଆଖି ବୁଜିଲେ ରାଜକିଶୋର । ଯମୁନାକୁ ଏକା କରି ଚାଲିଗଲେ ଅଫେରା ରାଇଜକୁ ।
ମାଆଙ୍କ ପରେ ବାପାଙ୍କ ହାତ ଧରି ଦୁନିଆ ଦେଖୁଥିବା ଯମୁନା ଏବେ ପୂରା ବେସାହାରା ହୋଇଯାଇଛି । ବାର୍ଦ୍ଧକ୍ୟରେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଜେଜେବାପା ଓ ଜେଜେମାଆଙ୍କ କୋଳରେ ଯମୁନା ଏବେ ଖୋଜୁଛି ବାପାଙ୍କୁ । ଆଉ ବେଳେ ବେଳେ ବାପାଙ୍କୁ ମନେ ପକାଇ ଗୁମୁରୀ କାନ୍ଦୁଛି । ହେଲେ ନିଜ ମନରେ ଉଠୁଥିବା ଦୁଃଖକୁ କାହାକୁ କହିପାରୁନି । ଏବେ ଯମୁନା ତୃତୀୟ ଶ୍ରେଣୀରେ ପାଠ ପଢ଼ୁଛି। ପୁଅର ରୋଜଗାରରେ ଚଳୁଥିଲା ପରିବାର। ରୋଜଗାରିଆ ପୁଅକୁ ହରାଇବା ପରେ ନାନା ଯନ୍ତ୍ରଣାରେ ଜୀବନ କାଟୁଛନ୍ତି ଯମୁନାଙ୍କ ଜେଜେ ମାଆ ଓ ଜେଜେ ବାପା । ମୁଲମଜୁରୀ ଓ ଛେଳି ଚାଷ କରି ନିଜେ ସଂଘର୍ଷ କରିବା ସହିତ ଯମୁନା ପାଇଁ ଦେଖୁଛନ୍ତି ସ୍ବପ୍ନ । ସେମାନଙ୍କ ପରେ ଯମୁନା କୁଆଡେ ଯିବ ,କେଉଁଠି ରହିବ ସେ ଚିନ୍ତାରେ ଏବେ ବୃଦ୍ଧ ଦମ୍ପତ୍ତିଙ୍କ ସରୁଛି ଦିନ ବିତୁଛି ରାତି ।