ଆଗାମୀ ଜାନୁଆରୀ ୧୩ରୁ ଫେବୃୟାରୀ ୨୬ ଯାଏଁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହେଉଛି ମହାକୁମ୍ଭ ମେଳା । ଏହା ହେଉଛି ବିଶ୍ୱର ସବୁଠୁ ବଡ଼ ଧାର୍ମିକ ଜନ ସମାଗମ । ୪୦ ରୁ ୫୫ କୋଟି ଶ୍ରଦ୍ଧାଳୁ ମେଳାରେ ଯୋଗଦେବାର ଆକଳନ କରାଯାଇଛି । ମେଳାରେ ୨୫ ହଜାର କୋଟି ଟଙ୍କାର ବଜାର ବସିବ । ତେଣୁ ଏହାକୁ କେବଳ ଧାର୍ମିକ ସମାବେଶ କହିଲେ ଭୁଲ ହେବ । ସାମାଜିକ ,ସାଂସ୍କୃତିକ ଓ ଅର୍ଥନୀତିର ବଡ଼ ବିପଣି ଏଠାରେ ଦେଖିବାକୁ ମିଳିବ । କୁମ୍ଭମେଳାର ପରିସର ଭିତରେ ତିଆରି ହେବ ତମ୍ବୁ ନଗରୀ । ହଜାର ହଜାର ବିଳାସୀ ତମ୍ବୁ ଘର ବିଶ୍ଵବ୍ୟାପୀ ପର୍ଯ୍ୟଟକଙ୍କ ଚାହିଦା ମେଣ୍ଟାଇବା ସହିତ ଗିନିଜ ବୁକ ଅଫ ୱାଲଡ ରେକର୍ଡରେ ସ୍ଥାନିତ ପାଇଁ ଦାବିଦାର ସାଜିବ । ରାଜସ୍ବ ଓ ନିଯୁକ୍ତି ସୃଷ୍ଟିରେ ବଡ଼ ଯୋଗଦାନ ଦେଉଥିବା ମହାକୁମ୍ଭରେ ରହିଛି ମହିଳାଙ୍କ ଅତୁଳନୀୟ ଯୋଗଦାନ । ମହିଳା ସାଧୁ ,ସନ୍ଥ ମାନଙ୍କୁ ନେଇ ସ୍ୱତନ୍ତ୍ର ସାହିସ୍ନାନର ଦିବ୍ୟ ଅନୁଭବ ଦେଖିବ ବିଶ୍ୱ । ଶତାଧିକ ମହିଳା ସନ୍ୟାସୀ ଶୋଭାଯାତ୍ରାରେ ପରିକ୍ରମା କରି ସାହିସ୍ନାନ କରିବେ ।
ମହିଳା ନେତୃତ୍ବାଧୀନ ଆଖଡାର କାର୍ଯ୍ୟକ୍ରମକୁ ଶ୍ରଦ୍ଧାଳୁ ମାନେ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ ହେବେ । ଏହି ଐତିହାସିକ ଓ ଆଧ୍ୟାତ୍ମିକ ବିଶାଳ କାର୍ଯ୍ୟକ୍ରମରେ ମହିଳା ମାନଙ୍କ ଅତୁଳନୀୟ ଅବଦାନ ରହିଛି । ଭାରତୀୟ ଆଧ୍ୟାତ୍ମିକ ଜଗତରେ ମହିଳା ସାଧୁ ମାନଙ୍କର ଯୋଗଦାନକୁ ନେଇ ଯେଉଁ ମାନଙ୍କର ସନ୍ଦେହ ରହିଥିବ ସେମାନେ କୁମ୍ଭମେଳାରୁ ଏହାର ଉତ୍ତର ପାଇପାରିବେ । ଭାରତୀୟ ପ୍ରାଚୀନ ସମାଜ ମହିଳା ମାନଙ୍କୁ କିଭଳି ଧାର୍ମିକ ,ସାଂସ୍କୃତିକ ଓ ଅର୍ଥନୈତିକ କାର୍ଯ୍ୟକ୍ରମର କେନ୍ଦ୍ର ଭାଗରେ ରଖିଛି ତାହା କୁମ୍ଭମେଳା ପ୍ରମାଣିତ କରିଥାଏ । ୨୫ ହଜାର କୋଟି ଟଙ୍କାର ନେଣଦେଣ କରିବାର ଆକଳିତ ହୋଇଥିବା ଏହି ମେଳାର ୫୦ ପ୍ରତିଶତରୁ ଅଧିକ କ୍ଷୁଦ୍ର ବେପାରୀଙ୍କ ମଧ୍ୟରେ ରହିଛନ୍ତି ମହିଳା ଉଦ୍ୟୋଗୀ । ଆତିଥେୟତା ,ଖାଦ୍ୟ ପ୍ରସ୍ତୁତି ,ହସ୍ତଶିଳ୍ପ ସାମଗ୍ରୀ ବିକ୍ରେତା ,ମନୋହାରୀ ସାମଗ୍ରୀ ବିକ୍ରେତାଙ୍କ ମଧ୍ୟରୁ ସିଂହ ଭାଗ ମହିଳା ଉଦ୍ୟୋଗୀ । ଭାରତୀୟ ସାଂସ୍କୃତିକ ଜାଗରଣର ଗୁରୁତ୍ୱପୂର୍ଣ୍ଣ ଏହି ମହାକୁମ୍ଭ ମେଳା ପୁରୁଷ ଓ ମହିଳାଙ୍କ ସମାନତାର କଥା କହିଥାଏ ।