ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଛୋଟ ଏକ ଗାଁ ଝାଡିଙ୍ଗ । ସମୁଦ୍ର କୂଳରେ ଅବସ୍ଥିତି କାରଣରୁ ପାଣି ପବନକୁ ନେଇ ରହିଥାଏ ସବୁବେଳେ ଲୋକଙ୍କ ଡର । ୧୯୯୯ ମହାବାତ୍ୟାର ବିଭୀଷିକା ଦେଖିବା ପରେ ଏମାନଙ୍କ ମନରେ ଆସିଥିଲା ହେନ୍ତାଳ ବୃକ୍ଷ ରୋପଣର ଭାବନା । ପରିବେଶ ସୁରକ୍ଷା ଅଭିଯାନ ଟ୍ରଷ୍ଟ ପକ୍ଷରୁ ସଚେତନା ମିଳିବା ପରେ ମନରେ ଥିବା ଉପାୟକୁ ସେମାନେ କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଲେ । ଗାଁ ନିକଟରେ ୧.୫ କିଲୋମିଟର ବ୍ୟାପି ରୋପିତ ହେଲା ନାନା ପ୍ରଜାତିର ହେନ୍ତାଳ ଚାରା । ରାଇ ,ବନି,କଣି ଆଦି ହେନ୍ତାଳ ଚାରା ଗୁଡିକ ବଢୁଥିବା ବେଳେ ମନରୁ କମି କମି ଆସୁଥିଲା ବାତ୍ୟା ବନ୍ୟା ଝଡ଼ ପ୍ରତି ରହିଥିବା ଭୟ ।
ବାତ୍ୟା ହେଉକି ମହାବାତ୍ୟା ପ୍ରତିଥର ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ପ୍ରଶାସନ ଆମକୁ ଗାଁ ଛାଡିବାକୁ କହୁଥିଲା । କିନ୍ତୁ ବିଗତ ୧୦ ବର୍ଷ ହେଲା ଆମ ମନରେ ଥିବା ବାତ୍ୟା ଦର କମିଛି । ଏହା ସମ୍ଭବ ହୋଇଛି ହେନ୍ତାଳ ଜଙ୍ଗଲ ସୃଷ୍ଟି ଓ ବୃଦ୍ଧି କାରଣରୁ ବୋଲି କହିଛନ୍ତି ଗାଁର ଜଣେ ମହିଳା ନଳିନୀ କାଣ୍ଡି । ନଳିନୀଙ୍କ ବୟସ ୪୫ ବର୍ଷ । ୨୦୧୯ରେ ଉପକୂଳ ଓଡ଼ିଶାରେ ଲ୍ୟାଣ୍ଡଫଲ କରିଥିବା ଫୋନି ବାତ୍ୟାର ସ୍ମୃତି ଉଜ୍ଜୀବିତ କରି ସେ କହିଥିଲେ ବାତ୍ୟା ଆମ ଗାଁରେ ମାଡ଼ କରିବ ବୋଲି ପ୍ରଶାସନ ଆମକୁ ସୂଚନା ଦେବା ପରେ ଆମେ ଜରୁରୀ ଜିନିଷ ସାଥିରେ ଧରି ଘର ଛାଡି ସ୍କୁଲକୁ ଆଶ୍ରୟ ପାଇଁ ଆସିଥିଲୁ । ବାତ୍ୟା ଛାଡିବା ପରେ ସକାଳୁ ଗାଁ ଭିତରକୁ ଯାଇ ଯେତିକି କ୍ଷତି ହେବ ବୋଲି ଚିନ୍ତାରେ ଥିଲୁ ତାହା ହୋଇନଥିବା ଦେଖି ଆସ୍ୱସ୍ଥି ହୋଇଥିଲୁ । ଏହା କେବଳ ହେନ୍ତାଳ ବନ ଥିବାରୁ ସମ୍ଭବ ହୋଇଥିଲା । ନଳିନୀଙ୍କ ଠାରୁ ଆରମ୍ଭ କରି ବନଅଧିକାରୀଙ୍କ ଯାଏଁ ସଭିଏଁ ଏବେ ହେନ୍ତାଳକୁ ଦେଇଛନ୍ତି ଶ୍ରେୟ । ନଳିନୀଙ୍କ ପରି ଗାଁର ମହିଳା ମାନେ ହେନ୍ତାଳ ନର୍ସରୀ ଠାରୁ ,ଚାରା ରୋପଣ ଓ ସୁରକ୍ଷା ଯାଏଁ ଅନେକ କାମ କରିଥିବାରୁ ସାମୁଦ୍ରିକ ବାତ୍ୟାରୁ ଝାଡିଙ୍ଗ ଗାଁ ପାଉଛି ରକ୍ଷା । ଅସ୍ତରଙ୍ଗ ତଟବର୍ତ୍ତୀ ୮୦ ଖଣ୍ଡ ଗାଁରେ ଏବେ ମହିଳା ଶକ୍ତି ତତକ୍ଷୟ ରୋକିବା ଦିଗରେ ନେଉଛନ୍ତି ଅଗ୍ରଣୀ ଭୂମିକା ।