କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ପୁରୁଣା ବାନ୍ଧଗୋଡ଼ା ଗାଁର ସଂଘମିତ୍ରା ମିଶ୍ର । ମାମି ନାନୀ ଭାବରେ ଜଣାଶୁଣା ସଂଘମିତ୍ରା ପିଲାଟି ଦିନରୁ ଦିବ୍ୟାଙ୍ଗ । ପୋଲିଓରେ ଆକ୍ରାନ୍ତ ହେବା ପରେ ଗୋଟିଏ ଗୋଡ଼ ତାଙ୍କର ଅଚଳ ହୋଇପଡିଛି । ସିଧା ହୋଇ ଠିଆହେବାକୁ ହେଲେ ତାଙ୍କ ପାଇଁ ଲୋଡ଼ା ହୁଏ ବାଡ଼ି । ଏସବୁ ସତ୍ୱେ ବି ପରିବାରକୁ ସହଯୋଗ କରିବା ପାଇଁ ରହିଛି ତାଙ୍କର ପ୍ରବଳ ଆଗ୍ରହ । ପିଲାଦିନେ ନିଜ ମା ପାଖରୁ ଶିଖିଥିବା ହାତ ତିଆରି ବଡି ଓ ଖଇଁଚି ତିଆରି କରି ସେ କରୁଛନ୍ତି ଅତିରିକ୍ତ ଆୟ । ସଂଘମିତ୍ରାଙ୍କ ରହିଛି ଛୋଟ ଏକ ପରିବାର । ତାଙ୍କର ସ୍ୱାମୀ ସ୍ଥାନୀୟ ଜଗନ୍ନାଥ ମନ୍ଦିରର ପୂଜକ ହୋଇଥିବା ବେଳେ ଏକ ମାତ୍ର ପୁଅ ଭଦ୍ରକରେ ଚାକିରୀ କରନ୍ତି । ପୁଅ ,ବୋହୁ ,ସ୍ୱାମୀ ଓ ଛୋଟ ଏକ ନାତୁଣୀଙ୍କୁ ନେଇ ତାଙ୍କର ପାଂଚଜଣିଆ ପରିବାର । ମନ୍ଦିରରୁ ମିଳୁଥିବା ଦକ୍ଷିଣାରେ ପରିବାର ଚଳିବା କଷ୍ଟ । ଏହାକୁ ବୁଝି ସଂଘମିତ୍ରା ଅତିରିକ୍ତ ରୋଜଗାର ପାଇଁ ଆଗକୁ ଆସିଛନ୍ତି । ନିଜକୁ କେବେ ସେ ଦିବ୍ୟାଙ୍ଗ ବୋଲି ଭାବିନାହାନ୍ତି କି ପରିବାର ମଧ୍ୟ ତାଙ୍କୁ ବୋଝ ବୋଲି ମନେ କରିନି ।
କେନ୍ଦୁଝର ବଡିର ସାରା ରାଜ୍ୟରେ ରହିଛି ନାଁ । ଜିଲ୍ଲାର ଅନେକ ମହିଳା ଏହାକୁ ଜୀବିକା କରି ସଫଳ ହୋଇଥିବା ବେଳେ ମାମି ନାନୀ ଓରଫ ସଂଘମିତ୍ରା ସ୍ୱାଦିଷ୍ଠ ବଡି ପକାଇ ଘରେ ଘରେ ହୋଇଛନ୍ତି ଚର୍ଚ୍ଚିତ । ସେ ପ୍ରଥମେ ବିରି ଚାଉଳକୁ ପେଷି ଆଣନ୍ତି । ଏଥିରେ ଅଦା ଲଙ୍କା ଛେଚା ସାଙ୍ଗକୁ ମିଶାନ୍ତି ଗୋଟା ଜିରା ଆଉ ହେଙ୍ଗୁ । ଭଲ ଭାବେ ଗୋଳାଇ ଖଇଁଚିରେ ଶୁଖାନ୍ତି । ବଡି ତିଆରିରେ ମିଳିଥାଏ ତାଙ୍କୁ ପରିବାରର ସହଯୋଗ । ସଂଘମିତ୍ରାଙ୍କ ହାତରେ ସବୁ ପ୍ରକାର ବଡି ହୋଇଥାଏ । ଖଇବଡି ,ଖସାବଡି ,ବାଦାମ ବଡି ଓ କଖାରୁ ବଡି ହେଉଥିବା ବେଳେ ଫୁଲ ବଡିର ରହିଛି ଅଧିକ ଚାହିଦା । ଲୋକେ ଘରୁ ଆସି କିଣି ନେଉଥିବାରୁ ବିକ୍ରି ପାଇଁ ବଜାରକୁ ଯିବାକୁ ପଡ଼େନି । ବଡି ସହିତ ସଂଘମିତ୍ରା ନଡ଼ିଆ ପତ୍ରରୁ କଞ୍ଚି ବାହାର କରି ବୁଣନ୍ତି ଖଇଁଚି । ଜୀବିକାର ଏହି ଦୁଇ ପ୍ରକାର କଳା ସେ ନିଜ ମାଙ୍କ ପାଖରୁ ଶିଖିଥିବା କହିଥିବା ବେଳେ ତାଙ୍କର ହାତ ତିଆରି ବଡିକୁ ପସନ୍ଦ କରିଛନ୍ତି ଖାଉଟି ।