କୃଷିକୁ କୁହାଯାଏ ଅଶିକ୍ଷିତ ଲୋକଙ୍କ ବୃତ୍ତି । ପୁଣି ଏହା ପୁରୁଷ ପ୍ରାଧାନ୍ୟ ଭାବେ ରହି ଆସିଛି ଧାରଣା । ପ୍ରଚଳିତ ଏହି ଧାରଣାକୁ ଭୁଲ ପ୍ରମାଣିତ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଧୂମାତ ପଂଚାୟତର ଉଚ୍ଚ ଶିକ୍ଷିତ ଯୁବତୀ ଦେବସ୍ମିତା ଜେନା ଓରଫ ପୂଜା । ପୂଜା ସ୍ନାତକ ପରେ କରିଛନ୍ତି କମ୍ପ୍ୟୁଟର ଶିକ୍ଷା । କିନ୍ତୁ ଚାକିରୀ ଖୋଜିବା ବଦଳରେ କୃଷିକୁ ବୃତ୍ତି ଭାବେ ଗ୍ରହଣ କରି କରୁଛନ୍ତି ଅଗ୍ରଗତି । ବୃତ୍ତି ତ ନୁହଁ ଚାଷ ଯେପରି ପାଲଟିଯାଇଛି ତାଙ୍କର ବ୍ରତ । ମହିଳା ଚାଷୀ ଭାବେ କ୍ଷେତରେ ସକ୍ରିୟ ରହି ଅନ୍ୟ ପାଇଁ ପ୍ରେରଣା ପାଲଟିଥିବା ବେଳେ ସାପ୍ତାହିକ ହାଟରେ ବେପାରୀ ସାଜି ହାସଲ କରିଛନ୍ତି ବ୍ୟବସାୟିକ ଅଭିଜ୍ଞତା । ପରିବାର କହିଲେ ପୂଜାଙ୍କ ବାପା ବୋଉ ଓ ଦୁଇଭଉଣୀ । ଦୁଇ ଭଉଣୀଙ୍କ ବାହାଘର ସରିଥିବା ବେଳେ ଏବେ ବୟୋଜ୍ୟେଷ୍ଠ ପିତାମାତାଙ୍କ ସହ ରହୁଛନ୍ତି ପୂଜା । ଦିନେ ବାପାଙ୍କ ପାଇଁ ଚାଷ କ୍ଷେତକୁ ଖାଦ୍ୟ ଆଣୁଥିବା ପୂଜା କାମ ଦେଖି ଦେଖି ପାଲଟିଛନ୍ତି ଅସଲି ଚାଷୀ । ଏବେ ବାପାଙ୍କ ସହିତ ମିଶି ୭ ଏକର ଜମିକୁ କରିଛନ୍ତି ସବୁଜ ସଫଳ ।
ମାଟି ସହିତ ଏକାକାର ହୋଇ କାମ କରିଥାନ୍ତି ପୂଜା । କେବେ କୋଦାଳରେ ଜମିକୁ ସମତଳ କରିଥାନ୍ତି ତ କେବେ ତିଆରି କରିଥାନ୍ତି ଫସଲ ପାଇଁ ଶଯ୍ୟା । ବାପାଙ୍କ ସହଯୋଗରେ ଫସଲ ଅମଳ କରୁଥିବା ବେଳେ କେବେ ଜମିରେ ପାଣି ମଡାଇ ଗଛକୁ ରଖିଥାନ୍ତି ତାଜା । ଚାଷରେ ଏଭଳି ଅଗ୍ରଣୀ ଭୂମିକା ପୂଜାଙ୍କୁ ଦେଇଛି ନିଆରା ଖ୍ୟାତି । ଚାଷକୁ ଏକା ପାରୁନଥିବା ବାପାଙ୍କ ସହିତ ମିଶି ପୂଜା ୭ ଏକର ଜମିରେ କରିଛନ୍ତି କଲରା ,ପୋଟଳ ,ଭେଣ୍ଡି ,ବାଇଗଣ ,ଲାଉ ଆଉ ଲଙ୍କା । ଋତୁକାଳୀନ ବିରି କୋଳଥ ଆଉ ଧନିଆ ଚାଷରୁ ମଧ୍ୟ ଆୟ କରିଥାନ୍ତି ଏହି ବାପା ଝିଅ । କ୍ଷେତରୁ ବଜାରକୁ ତଟକା ପରିବା ଆଣୁଥିବାରୁ ପୂଜାଙ୍କୁ ଦେଖିବା ମାତ୍ରେ କିଣି ନିଅନ୍ତି ଖାଉଟି । ବିଭିନ୍ନ ପ୍ରକାର ପରିବା ଚାଷ ଓ ବ୍ୟବସାୟ କରି ପୂଜା ବାର୍ଷିକ ୬ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ଜଣେ ଝିଅ ଭାବେ ଫସଲ ଉତ୍ପାଦନ ,ବିକ୍ରି ବଟ୍ଟା ଓ ପରିବାରର ଦାୟିତ୍ୱ ନେଇ ସେ ପାଲଟିଛନ୍ତି ପ୍ରେରଣା ।