କାନ୍ଥରୁ ବଦଳିଛି କ୍ୟାଲେଣ୍ଡର । ପାର୍ଟି ,ପିକନିକ,ଜିରୋ ନାଇଟ ସେଲିବ୍ରେସନ ଭିତରେ ପୁରୁଣା ବର୍ଷର ବିଦାୟ ସହିତ ନୂଆବର୍ଷକୁ ସ୍ୱାଗତ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ । ନୂଆ ପୁରୁଣାର ସନ୍ଧିକ୍ଷଣରେ ସାମ୍ନାକୁ ଆସିଛନ୍ତି ଏମିତି କିଛି ବ୍ୟକ୍ତିତ୍ୱ ଯେଉଁମାନେ ନିଆରା ଉଦ୍ୟମ କରି ଅନ୍ୟ ପାଇଁ ପାଲଟିଛନ୍ତି ଆଦର୍ଶ । ଏଭଳି ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ସର୍ବ କନିଷ୍ଠ ଜାନଭି ଜିନ୍ଦଲ ଦେଶର ଗିନିଜ ପାୱାରହାଉସ୍ ଭାବେ ନିଆରା ପରିଚିତି ହାସଲ କରିଛନ୍ତି । ଯେଉଁ ବୟସରେ ପିଲାମାନେ ନୂଆ ନୂଆ କଲେଜ ପ୍ରବେଶ କରି କ୍ୟାରିୟର ପାଇଁ ଯୋଜନାରେ ସମୟ ଦେଉଥିବେ ସେହି ବୟସରେ ପଂଜାବର ୧୮ ବର୍ଷର ଜାହ୍ନବୀ ନିଜ ରୁଚି ,ଆଗ୍ରହ ଓ ଦକ୍ଷତା ପ୍ରମାଣିତ କରି ଗିନିଜ ରେକର୍ଡ ହାସଲରେ ଲାଗିଥିଲେ । ସକ୍ରିୟ ରହିବା ପାଇଁ ଲକଡାଉନ୍ ସମୟରେ ସେ ଯେଉଁ ଆଗ୍ରହ ପଛରେ ଦୌଡ଼ିଥିଲେ ପରେ ତାହା ଏକ ପଥ ପାଲଟିଥିଲା । ଏହା ତାଙ୍କୁ ଭାରତର ସର୍ବକାଳୀନ ରେକର୍ଡ ତାଲିକାରେ ସଚିନ ତେନ୍ଦୁଲକରଙ୍କ ପଛକୁ ରଖିଥିଲା ।
ରାମସର ଆୱାର୍ଡ ପାଇଲେ ଜୟଶ୍ରୀ
ତାମିଲନାଡୁର ୪୫ ବର୍ଷର ଜୟଶ୍ରୀ । ୪୪ ଟି ଜଳାଶୟର ସୁରକ୍ଷା,ସଂରକ୍ଷଣ ଓ ପୁନଃ ଉଦ୍ଧାର କରି ଦେଶର ପ୍ରଥମ ବ୍ୟକ୍ତି ଭାବେ ୨୦୨୫ ରାମସର ଆଦ୍ରଭୂମି ସଂରକ୍ଷଣ ସମ୍ମାନ ହାସଲ କରିଛନ୍ତି । ସହରର ପ୍ରାକୃତିକ ଐତିହ୍ୟକୁ ଜଣେ ବ୍ୟକ୍ତି ଯେ ଫେରାଇ ଆଣିପାରେ ତାହା ପ୍ରମାଣିତ କରିଛନ୍ତି ଜୟଶ୍ରୀ ।
କାଜିରଙ୍ଗାର ପ୍ରକୃତ ତତ୍ୱାବଧାରକ ସୋନାଲି ଘୋଷ
କାଜିରଙ୍ଗା ଜାତୀୟ ଉଦ୍ୟାନ ଓ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି ସୋନାଲି ଘୋଷ । ତାଙ୍କର ଏଭଳି କାମର ସ୍ୱୀକୃତି ସ୍ୱରୂପ ତାଙ୍କୁ ପ୍ରଥମ ଭାରତୀୟ ଭାବେ ୨୦୨୫ ବର୍ଷର ଆଇ ୟୁ ସି ଏନ କେଣ୍ଟନ ମିଲର ସମ୍ମାନ ପ୍ରଦାନ କରାଯାଇଥିଲା ।
ଦେଶର ପ୍ରଥମ ଛେଳି ବ୍ୟାଙ୍କର ପ୍ରତିଷ୍ଠାତା ଜୟନ୍ତୀ
କଳାହାଣ୍ଡିର ଜୟନ୍ତୀ ମହାପାତ୍ର । ବ୍ୟାଙ୍କ୍ ଚାକିରି ଛାଡ଼ି ଆରମ୍ଭ କରିଥିଲେ ଛେଳି ପାଳନ। ଆଜି କଳାହାଣ୍ଡିରେ ସେ ଏକ ଛେଳି ବ୍ୟାଙ୍କ ଗଢି ହଜାରେ ଚାଷୀଙ୍କୁ ସଶକ୍ତ କରିଛନ୍ତି । ତାଙ୍କ କମ୍ପାନୀ ଲକ୍ଷାଧିକ ଆୟ କରୁଛି ! ଗ୍ରାମୀଣ ଲୋକଙ୍କ ରୋଜଗାର ବୃଦ୍ଧି ଦିଗରେ ଜୟନ୍ତୀଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାବାସୀ ଜଣାଇଥିଲେ । ସେହିପରି ଢେଙ୍କାନାଳର ପ୍ରତିମା ନାୟକ ଛେଳି ପାଳନରେ ନିଜେ ସଫଳ ହୋଇ ଅନ୍ୟ ମହିଳାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ତିଆରି କରିଛନ୍ତି ଆତ୍ମନିର୍ଭରଶୀଳତାର ଜ୍ଵଳନ୍ତ ଉଦାହରଣ ।
ମାଣ୍ଡିଆ ରାଣୀ ଡ଼କ୍ଟର ରା଼ଇମତି
କୋରାପୁଟ ଜଙ୍ଗଲ ମୂଳକର ଝିଅ ରାଇମତି ଘିଉରିଆ:। ବେଶୀ ପାଠ ପଢିନାହାନ୍ତି । ଗାଁକୁ ଗାଁ ବୁଲି ସଂଗ୍ରହ କରିଛନ୍ତି ଦେଶୀ ବିହନ । ମିଲେଟର ପ୍ରସାର ଦିଗରେ ଦେଇଛନ୍ତି ବଡ଼ ଯୋଗଦାନ । ତାଙ୍କର ଏଭଳି କାମ ପାଇଁ ତାଙ୍କୁ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଆଯାଇଛି ସମ୍ମାନ ଜନକ ଡକ୍ଟରେଟ ଉପାଧି । ଜୈବିକ ମିଲେଟ ଚାଷରେ ସେ ପାଲଟିଛନ୍ତି ପ୍ରେରଣା । କୋରାପୁଟର "ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି:। ୧୩ ବର୍ଷୀୟା ଏହି ବାଳିକା ଆନ୍ତର୍ଜାତୀୟ ଇକୋ-ହିରୋ ପୁରସ୍କାର ଜିତିଛନ୍ତି। ପରିବେଶ ସୁରକ୍ଷା ଦିଗରେ ସେ ପିଲାଟି ଦିନରୁ କରି ଆସୁଛନ୍ତି ବଡ଼ ବଡ଼ ଅନୁଚିନ୍ତା । ଯାହା ତାଙ୍କୁ କମ ବୟସରେ ଅଗ୍ରଣୀ ମାନଙ୍କ ମଧ୍ୟରେ ଆଗୁଆ କରାଇଛି । ଆଉ ଜଣେ ପରିବେଶ ଯୋଦ୍ଧା ହେଉଛନ୍ତି "ସରୋଜିନୀ ମହାନ୍ତ । ଯିଏକି ବୋନାଇ ଜଙ୍ଗଲରେ ୩,୦୦୦ ଗଛ ଲଗାଇ 'ସରୋଜିନୀ ବନ' ସୃଷ୍ଟି କରିଛନ୍ତି । ରାଜ୍ୟର ଅନେକ ମହିଳା ମିଶନ ଶକ୍ତି ଜରିଆରେ କେବଳ ସ୍ୱାବଲମ୍ବୀ ହୋଇନାହାନ୍ତି ତିଆରି କରିଛନ୍ତି ନବ ସୃଜନର ଚମତ୍କାରିତା । ଫୁଲଚାଷ ,ଗୋପାଳନ ,ଆଚାର ଉଦ୍ୟୋଗ ,ଗାର୍ମେଣ୍ଟସ ଉଦ୍ୟୋଗ ,ଷ୍ଟାର୍ଟଅପରେ ମହିଳା ମାନେ ଆଗକୁ ବଢୁଛନ୍ତି ।