ଡିସେମ୍ବର ୫କୁ ପୁରିବ ଶହେ ବର୍ଷ । ଶତାୟୁ ଛୁଇଁବା ବେଳକୁ ରାଜ୍ୟର କୋଟି ହୃଦୟରେ ନମସ୍ୟ ପାଲଟିଛନ୍ତି ବ୍ରହ୍ମପୁରର ଅବସରପ୍ରାପ୍ତ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ କେ ଲକ୍ଷ୍ମୀବାଇ । ନିଜ ପୁଅକୁ ଛାତିରେ ଜାବୁଡି ଧରି ଶତ୍ରୁ ସୈନ୍ୟ ବିରୁଦ୍ଧରେ ମହାସଂଗ୍ରାମ ଲଢ଼ିଥିବା ରାଣୀ ଲକ୍ଷ୍ମୀବାଇଙ୍କ ସାହସ ଆମକୁ ଅନୁପ୍ରାଣିତ କରିଆସୁଥିବା ବେଳେ ଏବେ ଏହି ଲକ୍ଷ୍ମୀବାଇ ଶହେ ବର୍ଷ ବୟସରେ ନିଜ ସାରା ଜୀବନର ସଂଚିତ ସମସ୍ତ ୩ କୋଟି ୪୦ ଲକ୍ଷ ଟଙ୍କା ଏମ୍ସ ଭୁବନେଶ୍ୱରକୁ ଦାନ କରୁଛନ୍ତି । ଅର୍ଥ ଯେଉଁ ସମାଜରେ ସବୁ ବ୍ୟବସ୍ଥାକୁ କବଳିତ କରିସାରିଛି ସେଠାରେ ଲକ୍ଷ୍ମୀ ନିଜର ଅସାଧାରଣ ସାହସ ପ୍ରଦର୍ଶିତ କରି ଏହାକୁ ସର୍ବସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ପାଇଁ ଦାନ କରିଦେବାର ନିଷ୍ପତ୍ତି ନେଇ ଅନନ୍ୟ କୀର୍ତ୍ତିମାନ ସ୍ଥାପନ କରୁଛନ୍ତି ।
କେ ଲକ୍ଷ୍ମୀବାଇ କଟକ ଏସସିବି ମେଡିକାଲ କଲେଜର ପ୍ରଥମ ବ୍ୟାଚର ଡାକ୍ତରୀ ଛାତ୍ରୀ । ୧୯୫୦ ମସିହାରେ ଡାକ୍ତର ଭାବେ ସେ ଯୋଗ ଦିଅନ୍ତି । ଏବେ ସେ କାମରୁ ଅବସର ନେଇଛନ୍ତି ହେଲେ ଲୋକଙ୍କ ପାଇଁ ସେବା କରିବାର ଭାବନାରୁ ନୁହଁ। ଶତାୟୁ ଲକ୍ଷ୍ମୀ ଏବେ ବି ସୁସ୍ଥ । ସେ ଆଜି ପର୍ଯ୍ୟନ୍ତ କେବେ ବି ମେଡିକାଲ ଶଯ୍ୟାରେ ଶୋଇନାହାନ୍ତି । ନା ତାଙ୍କୁ ଡାଇବେଟିକ ହୋଇଛି ନା ତାଙ୍କର ଅଛି ବ୍ଲଡ଼ ପ୍ରେସର । ଅନ୍ୟକୁ ଜୀବନ ଦେଉଥିବା ଲକ୍ଷ୍ମୀ ଲମ୍ବା ଆୟୁଷ ସହିତ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି। ଶହେ ବର୍ଷରେ ସେ ପାଦ ଦେଉଥିବା ବେଳେ କ୍ୟାନସର ପୀଡିତା ମହିଳାଙ୍କ ଦୁଃଖ ନିବାରଣ ପାଇଁ ଇଛା କରିବା ସହିତ ମହିଳା କର୍କଟ ରୋଗ ଚିକିତ୍ସା ଓ ଯତ୍ନ କେନ୍ଦ୍ର ପାଇଁ ୩କୋଟି ୪୦ ଲକ୍ଷ ଟଙ୍କା ଦାନ କରୁଛନ୍ତି। ଡାକ୍ତର କେ ଲକ୍ଷ୍ମୀବାଇ କହନ୍ତି ଏହାରି ପଛରେ ରହିଛି ସନ୍ଥ ଚିନ୍ମୟାନନ୍ଦଙ୍କ ପ୍ରେରଣା ଓ ଆଦର୍ଶ । ସ୍ୱାମୀ ଚିନ୍ମୟାନନ୍ଦଙ୍କ ସହିତ ସାକ୍ଷାତ ତାଙ୍କ ଜୀବନକୁ ପ୍ରଭାବିତ କରିଥିବା କହଛନ୍ତି ଲକ୍ଷ୍ମୀ।