ଧନୁ ଓ ଧାନର ଗଡ଼ ବରଗଡ଼ । ଧାନ ଅମଳ ହୋଇ ମଣ୍ଡିକୁ ଯାଇଥିବା ବେଳେ ଏପଟେ ଧନୁ ଯାତ୍ରା ପାଇଁ ପ୍ରସ୍ତୁତ ହେଲାଣି ବରଗଡ଼ । ଧନୁଯାତ୍ରାର ଦୁଇଦିନ ପୂର୍ବରୁ ସହରରେ ଆୟୋଜିତ ହୋଇଯାଇଛି ବିଶାଳ ରଙ୍ଗୋଲି ପ୍ରତିଯୋଗିତା । ଗୋଟିଏ ଗୋଟିଏ ଦଳରେ ୫ ଜଣ ପ୍ରତିଯୋଗୀଙ୍କୁ ନେଇ ମୋଟ ୭୫ ଟି ଦଳର ୩୦୦ରୁ ଅଧିକ ପ୍ରତିଭାଗୀ ରଙ୍ଗୋଲିରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ତଥା ଜିଲ୍ଲା ବାହାରର ପ୍ରତିଯୋଗୀଙ୍କ ସମେତ ବିଦ୍ୟାଳୟ ଗୁଡ଼ିକରୁ ବହୁ ଛାତ୍ରୀ ଏଥିରେ ଯୋଗଦେଇଥିଲେ ।
ଧନୁ ଯାତ୍ରାର ପ୍ରଚାର ପ୍ରସାର ଉଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮୦ ପ୍ରତିଶତ ଗୃହିଣୀ ,ଛାତ୍ରୀ ଓ ଯୁବତୀ ଅଂଶ ଗ୍ରହଣ କରି ପୌରାଣିକ ପ୍ରସଙ୍ଗ ଆଧାରରେ ଚିତ୍ରରେ ରଙ୍ଗ ଭରିଥିଲେ । ରାସ୍ତା ଉପରେ ଆୟୋଜିତ ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ବରଗଡ଼ ସହରକୁ ମଥୁରା ନଗରୀର ରୂପ ଦେବାରେ ପ୍ରଯତ୍ନ କରିଥିଲା । ନନ୍ଦ ,ଯଶୋଦା ,କୃଷ୍ଣ ,ବଳରାମ ,କାଳୀୟଦଳନ ,କଂସ ମହାରାଜଙ୍କ ଦରବାର ,ମା ସମଲେଇ ,ବରଗଡ଼ର ଧନୁଯାତ୍ରା ଭିଡକୁ ନେଇ ଅତି ସୁନ୍ଦର ଚିତ୍ର ଓ ରଙ୍ଗୋଲି ପ୍ରସ୍ତୁତ ହୋଇଥିଲା । କମ୍ପ୍ୟୁଟର ଓ କୃତ୍ରିମ ବୁଦ୍ଧିମତା ଯୁଗରେ ମଧ୍ୟ ମହିଳା ମାନଙ୍କ ଆଙ୍ଗୁଳି ମୁନରେ ସୁନ୍ଦର ରଙ୍ଗୋଲି ତିଷ୍ଠି ରହିଛି ଓ ଏହି ପରମ୍ପରା ଆଗକୁ ଯିବାରେ ରହିଛି ମହିଳାଙ୍କ ସବୁଠୁ ବଡ଼ ଭୂମିକା । ବିଶ୍ୱର ସବୁଠୁ ବଡ଼ ମୁକ୍ତାକାଶ ରଂଗମଂଚକୁ ନେଇ ବରଗଡ଼ ଧନୁଯାତ୍ରାର ରହିଛି ପ୍ରସିଦ୍ଧି । ଏଥିରେ ବିଭିନ୍ନ ବର୍ଗର ଜନଗଣଙ୍କୁ ସିଧା ସଳଖ ଯୋଡି ରଖିବାର ରହିଛି ବ୍ୟବସ୍ଥା । ଚଳିତ ବର୍ଷ ରାଜ୍ୟ ସରକାର ଏହି ଲୋକ ପରମ୍ପରାକୁ ସମ୍ମାନ ଦେବା ପାଇଁ ସମସ୍ତ କଳାକାରଙ୍କ ନିମିତ୍ତ ଆର୍ଥିକ ସହାୟତାର ବ୍ୟବସ୍ଥା କରିଛନ୍ତି ।