ଆନ୍ଧ୍ରପ୍ରଦେଶର ଦୁଇ ମହିଳା କୃଷି ବର୍ଜ୍ୟକୁ ବ୍ୟବହାର କରି ପରିବେଶ ଅନୁକୂଳ ପ୍ଲେଟ ,କପ,ଚାମଚ ଓ ଗ୍ଲାସ ତିଆରି ଉଦ୍ୟୋଗ ସ୍ଥାପନ କରି ସୁସ୍ଥ ସମାଜ ସହିତ ସ୍ୱାବଲମ୍ବନର ବାର୍ତ୍ତା ପ୍ରଦାନ କରିଛନ୍ତି । ଆମ ସାମାଜିକ କାର୍ଯ୍ୟକ୍ରମ ଗୁଡିକରେ ପ୍ଲାଷ୍ଟିକ ବ୍ୟବହାର ସୀମା ଲଂଘିଛି । ବାହାଘର ,ବ୍ରତଘର ଓ ଅନ୍ୟାନ୍ୟ ସାମାଜିକ ଉତ୍ସବ ଗୁଡିକରେ ବ୍ୟବହୃତ ହେଉଛି ବିପୁଳ ପରିମାଣର ପ୍ଲାଷ୍ଟିକ ସାମଗ୍ରୀ ଯାହା ପରିବେଶକୁ ସାଙ୍ଘାତିକ ଭାବେ ପ୍ରଦୂଷଣ କରୁଛି । ଏହାର ବିକଳ୍ପ ପାଇଁ ଅନେକ ଜାଗାରେ ଜୈବ ବିଘଟନ କପ ପ୍ଲେଟ ତିଆରି ହୋଇ ବଜାରକୁ ଆସିଥିବା ବେଳେ ଆନ୍ଧ୍ର ପ୍ରଦେଶର ଭାନୁ କିରଣ ଓ ରାୟୁଡୁ ଲକ୍ଷ୍ମୀ ଧାନ ଗଛର ନଡା ,ଚଷୁ ,କୁଣ୍ଡାକୁ ବ୍ୟବହାର କରି ପରିବେଶ ଅନୁକୂଳ ବ୍ୟବସାୟ ଆରମ୍ଭ କରିଛନ୍ତି । ରାସାୟନିକ ପ୍ରଲେପ କିମ୍ବା ପ୍ଲାଷ୍ଟିକ ଠାରୁ ଶତ ପ୍ରତିଶତ ମୁକ୍ତ ନଡା ତିଆରି ପ୍ଲେଟ ଓ କପ ଥରେ ମାତ୍ର ବ୍ୟବହାର କରି ଫିଙ୍ଗାଯାଇଥାଏ । ଏହା ୯୦ ରୁ ୧୨୦ ଦିନ ମଧ୍ୟରେ ମାଟିରେ ସମ୍ପୂର୍ଣ ମିଶି ଯାଉଥିବା ବେଳେ ପ୍ଲାଷ୍ଟିକ ବର୍ଜ୍ୟ ଶହେ ବର୍ଷ ପରେ ବି ମାଟିରେ ଜମି ରହେ । ମାଟି ,ପାଣି ,ପବନରେ ବିଷ ମିଶାଯାଉଥିବା ପ୍ଲାଷ୍ଟିକକୁ ବହୁଳ ବ୍ୟବହାରରୁ ଜିରୋ କୁ କମାଇବାକୁ ହେବ ବୋଲି ଭାନୁକିରଣ କହନ୍ତି ।
ପାଲନାଡ଼ୁ ଜିଲ୍ଲାର କାକନି ନାମକ ଏକ ଗାଁରେ କୃଷି ବର୍ଯ୍ୟରୁ ପ୍ଲେଟ ତିଆରି କାରଖାନା ବସିଛି । ଏଥିପାଇଁ କରାଯାଇଛି ୩କୋଟି ଟଙ୍କାର ନିବେଶ । ସରକାରୀ ଯୋଜନାର ରିହାତି ସାଙ୍ଗକୁ ହୋଇଛି ସମ୍ପୂର୍ଣ୍ଣ ବ୍ୟାଙ୍କ ଲୋନ । ସି ଏସ ଆଇ ଆର ର ଜ୍ଞାନ କୌଶଳରେ ନିର୍ମିତ ଏହି ମେସିନ ୪୦୦ ଡିଗ୍ରୀ ତାପମାତ୍ରାରେ କୃଷି ବର୍ଜ୍ୟରେ ତିଆରି ପ୍ଲେଟ ,କପ ,ଚାମଚ ,ଗ୍ଲାସ ଓ ଟ୍ରେ କୁ ନିର୍ଦ୍ଧାରିତ ଛାଞ୍ଚରେ ଗଢେ । ଗୋଟିଏ ପ୍ଲେଟର ଦାମ ୭ ଟଙ୍କା ଓ କପର ଦାମ ୩ ଟଙ୍କା ହୋଇଥିବାରୁ ସବୁ ପ୍ରକାର ଗ୍ରାହକଙ୍କୁ ସୁହାଏ । ନାବାର୍ଡର ଜଣେ କୃଷି ବିଜ୍ଞାନୀ କହନ୍ତି ପଞ୍ଜାବ ଭଳି ରାଜ୍ୟରେ ନଡାରେ ଲଗାଇଦିଆଯାଉଥିବା ଧୂଆଁରେ ଦିଲ୍ଲୀ ଅଣନିଶ୍ୱାସୀ । ସେଠାରେ ଏଭଳି ପ୍ରକଳ୍ପ ହେଲେ ପରିବେଶ ସୁସ୍ଥ ସହିତ ସହଜ ହେବ ଜୀବିକା । ଧାନ ନଡ଼ାରୁ ପ୍ଲେଟ ତିଆରି ସ୍ଥାନୀୟ ପରିବେଶ ପାଇଁ ହିତକର ହୋଇଥିବା ବେଳେ ଅନେକ ମହିଳାଙ୍କୁ ରୋଜଗାର ଦେଇଛି ।