ବନ୍ଧୁକ ଛାଡି ମିଶାଇଛନ୍ତି ବନ୍ଧୁତ୍ୱର ହାତ । ଲାଲ ହିଂସାକୁ କରିଛନ୍ତି ନାଁ । ପାହାଡ଼ ପର୍ବତ ନିଘଞ୍ଚ ଜଙ୍ଗଲରୁ ମୁହଁ ଫେରାଇ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି 4 ମହିଳା ମାଓବାଦୀ । ଛତିଶଗଡ଼ ଓଡିଶା ସୀମାନ୍ତ ଗରିଆବନ୍ଧ ଜୀବିକା କଲେଜରେ ନାଁ ଲେଖାଇ ଆରମ୍ଭ କରିଛନ୍ତି ଜୀବନର ନୂଆ ଆରମ୍ଭ । ଯେଉଁ ହାତରେ ଦିନେ ସେମାନଙ୍କର ଗର୍ଜୁଥିଲା ଏକେ୪୭ ,ଏବେ ସେହି ହାତ ଧରିଛି ସିଲେଇ ମେସିନ । କାହା ଛାତିରୁ ରକ୍ତ ବୁହାଇବା ବଦଳରେ ଏବେ ଜୀବନ ଓ ଜୀବିକାକୁ ପ୍ରେମ । ୧୫ ବର୍ଷ ଧରି ଜଙ୍ଗଲରେ ଆତଙ୍କ ରଚିଥିବା ମହିଳା ମାଓବାଦୀ ଏବେ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ମୁଖ୍ୟାଳୟରେ ଥିବା ଜୀବିକା କଲେଜର ଶୁଙ୍ଖଳିତ ବିଦ୍ୟାର୍ଥୀ । ପୁରୁଷ ଓ ମହିଳା ମାଓବାଦୀଙ୍କ ରୁଚି ଅନୁଯାୟୀ ଏଠାରେ ପ୍ରସ୍ତୁତ ହୋଇଛି ପାଠ୍ୟକ୍ରମ । କାହାକୁ ଡ୍ରାଇଭିଂ ଟ୍ରେନିଂ ତ କାହାକୁ ଦିଆଯାଉଛି ଟେଇଲରିଙ୍ଗ । ପ୍ଲମ୍ବିଙ୍ଗ ସହିତ ନିର୍ମାଣ ମିସ୍ତ୍ରୀର କୌଶଳ ଶିକ୍ଷା ଦେଇ ରୋଜଗାରର ସାମର୍ଥ୍ୟ ବିକଶିତ ହେଉଛି । ତାଲିମ ସମୟରେ ମାସିକ ୧୦ ହଜାର ଟଙ୍କାର ଷ୍ଟାଇପେଣ୍ଡ ବ୍ୟବସ୍ଥା ରହିବା ସହିତ ତାଲିମ ପରେ କାମ ଯୋଗାଇଦିଆଯିବାର ରହିଛି କଥା । ଏଠି ତାଲିମ ନେଉଥିବା ମାଓବାଦୀଙ୍କ ଆଚରଣରେ ଢେର ପରିବର୍ତ୍ତନ ଆସିଛି ବୋଲି କହନ୍ତି ତାଲିମ ପ୍ରତିଷ୍ଠାନର ସହକାରୀ ପ୍ରକଳ୍ପ ଅଧିକାରୀ ସୃଷ୍ଟି ମିଶ୍ର । ସୃଷ୍ଟି କହନ୍ତି ଲାଲ ହିଂସା ଛାଡି ତାଲିମ ଶିବିରରେ ଯୋଗଦେଇଥିବା ମହିଳା ମାଓବାଦୀ ଏବେ ଅନ୍ୟକୁ ଭଲପାଇବା ଦେଉଛନ୍ତି । ତାଲିମର ସହ ଶିକ୍ଷାର୍ଥୀଙ୍କ ସହିତ ଭଲ ଆଚରଣ କରୁଛନ୍ତି ।
ଗୋଟିଏ ପଟେ ଦୁର୍ଗମ ଅଂଚଳରେ ବିକାଶର ଗତିଶୀଳତା ଓ ଅନ୍ୟପଟେ ଆତ୍ମ ସମର୍ପଣ କରୁଥିବା ମାଓବାଦୀଙ୍କ ପାଇଁ ସରକାରଙ୍କ ପ୍ରଭାବୀ ପୁନର୍ବାସନ ନୀତି ନକ୍ସଲଙ୍କୁ ମୁଖ୍ୟଧାରାରେ ସାମିଲ ପାଇଁ ପ୍ରୋତ୍ସାହିତ କରିଛି । ୨୦୨୬ ସୁଦ୍ଧା ଦେଶରୁ ମାଓବାଦୀ ମୁଳୋତ୍ପାଟନ ପାଇଁ ଆରମ୍ଭ ହୋଇଥିବା ମିଶନ -ଆତ୍ମସମର୍ପଣର ଅନ୍ୟ ଏକ କାରଣ ବୋଲି କୁହାଯାଉଛି । ନିକଟରେ ଗରିଆବନ୍ଧ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ମିଳିଥିଲା ବଡ଼ ସଫଳତା । ମୁଣ୍ଡ ଉପରେ କୋଟିଏ ଟଙ୍କାର ପୁରସ୍କାର ଥିବା ନକ୍ସଲ ସେଣ୍ଟ୍ରାଲ କମିଟି ସଦସ୍ୟ ମନୋଜ ଓରଫ ମୋଡେମ ରାମକୃଷ୍ଣଙ୍କ ସମେତ ୧୦ ମାଓବାଦୀ ସଫା ହୋଇଥିଲେ । ବିଗତ ଦୁଇବର୍ଷ ମଧ୍ୟରେ କେବଳ ଛତିଶଗଡ଼ରୁ ୧୬୦୦ରୁ ଅଧିକ ମାଓବାଦୀ ବନ୍ଧୁକ ଛାଡି ସାଧାରଣ ଜୀବନ ଭିତରକୁ ପ୍ରବେଶ କରିଛନ୍ତି । ଆତ୍ମ ସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କ ପାଇଁ କରାଯାଇଛି ଜୀବିକା ଶିକ୍ଷାର ବ୍ୟବସ୍ଥା । ଦିନେ ଓଡିଶା ଛତିଶଗଡ଼ ସୀମା ଥିଲା ମାଓବାଦୀଙ୍କ ବଡ଼ ଟାର୍ଗେଟ । ଦଳରେ ଥିଲେ ଶତାଧିକ ମହିଳା ମାଓବାଦୀ । ଏବେ ସେମାନଙ୍କ ମଧ୍ୟରୁ ଅଧିକ ସଂଖ୍ୟାରେ ସମାଜର ମୁଖ୍ୟସ୍ରୋତକୁ ଫେରିଥିବା ଜଣାଯାଇଛି ।