ଗୋଟିଏ ପରିବାରର ସଂଘର୍ଷ ଓ ସଫଳତାର କାହାଣୀ ଏବେ ଆନ୍ଧ୍ରପ୍ରଦେଶର ପ୍ରେରଣାଦାୟୀ ରୋଚକ ଖବର ପାଲଟିଛି।ପିଲାଟି ଦିନରୁ ମା 'ଙ୍କ ସଂଘର୍ଷ ଦେଖିଆସିଥିବା ପରିବାରର ଚାରି ଝିଅ ଏକତା ଓ ଦୃଢ଼ତା ବଳରେ କିଭଳି ସରକାରୀ ଚାକିରୀ ପାଇ ପରିବାରର ଗରିବୀ ଦୂର କରିବା ସହିତ ମା ମୁହଁରେ ଚେନାଏ ଖୁସି ଆଣିପାରିଛନ୍ତି ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ,ସବୁଠି ପ୍ରସଂଶା ।
ଘଟଣାଟି ଆନ୍ଧ୍ର ପ୍ରଦେଶର ଚିତୋର ଜିଲ୍ଲାର । ୪ ଝିଅ ଓ ପତ୍ନୀଙ୍କୁ ନେଇ ସଂସାର ମେଲାଇଥିଲେ ମୁନି ଭେଙ୍କଟପ୍ପା । ମୁନି ଥିଲେ ଜଣେ ମଧ୍ୟବିତ୍ତ ଚାଷୀ । ଧାନ ଓ ପରିବା ଚାଷ କରି ସେ ତାଙ୍କର ପରିବାର ପ୍ରତିପୋଷଣ କରୁଥିଲେ । ଯେଉଁ ବର୍ଷ ବର୍ଷା ବା ମରୁଡି ହେଉଥିଲା ସେ ବର୍ଷ ହେଉଥିଲା ଖାଦ୍ୟର ସମସ୍ୟା । ଅଧା ଖୁସି ଅଧା ଲୁହକୁ ନେଇ ସଂସାର ଚକ ଆଗକୁ ବଢୁଥିବା ବେଳେ ଅପ୍ରତ୍ୟାଶିତ ଭାବେ ମୁନି ଭେଙ୍କଟପ୍ପାଙ୍କର ତିରୋଧାନ ହେଲା । ସ୍ୱାମୀଙ୍କ ମୃତ୍ୟୁ ପରେ ଗୋରିମ୍ମାଙ୍କ କାନ୍ଧରେ ପଡିଲା ୪ ଝିଅଙ୍କ ଶିକ୍ଷା ଓ ବାହାଘର ଚିନ୍ତା । ସେ ନିଜକୁ ଦୃଢ କରି ଘରୁ ବାହାରିଲେ । କେବେ କ୍ଷେତରେ ତ କେବେ ଖାଦାନରେ ଆରମ୍ଭ କଲେ କାମ । ରୋଜଗାର କରି ଆଣୁଥିବା ଟଙ୍କାରେ ୪ ଝିଅ ବାଣୀ ,ବିଣା,କୁମାରୀ ଓ ବନଯାକ୍ଷୀଙ୍କୁ ପଢ଼ିବାର ସୁବିଧା କରିଦେଲେ ଗୋରମ୍ମା ।
ଝିଅ ମାନେ ମାଙ୍କ କଷ୍ଟ ଦେଖି ପରସ୍ପର ମଧ୍ୟରେ ଏକତା ଓ ଦୃଢ ରହିବାର ବ୍ରତ କଲେ ଓ ଗୋଟିଏ ଲକ୍ଷ ସ୍ଥିର କଲେ ଯେମିତି ହେଲେ ହାସଲ କରିବେ ସରକାରୀ ଚାକିରୀ । ୨୦୧୪ ମସିହାରେ ଘରର ବଡ଼ ଝିଅ ବାଣୀ ପାଇଲେ ପୋଲିସ କନଷ୍ଟେବଳ ଚାକିରୀ । ବାଣୀ ଙ୍କ ସହଯୋଗରେ ବନଯାକ୍ଷୀ ମଧ୍ୟ ପୋଲିସ ଚାକିରୀ ପାଇବା ସହିତ ଅନ୍ୟ ଦୁଇ ଭଉଣୀ ଶୀରିଶା ଓ ବିଣା ସେକେଣ୍ଡାରୀ ଗ୍ରେଡ଼ ଟିଚର ଭାବେ ଚୟନ ହେଲେ । ଶୈଶବରୁ ଅଭାବ ସହିତ ସଂଘର୍ଷ କରୁଥିବା ଏହି ୪ ଭଉଣୀ ନିଜ ମାଙ୍କ ସହିତ ଗରିବରୁ ମଧ୍ୟବିତ୍ତ ଜୀବନର ଯାତ୍ରା ଆରମ୍ଭ କରିଛି । ନିଷ୍ଠା ,ପରିଶ୍ରମ ଓ ଆଗ୍ରହ ସହିତ ଲକ୍ଷ ଠିକ ରହିଲେ ଜଣେ କିଭଳି ସଫଳ ହୁଏ ତାହା ଏହି ୪ ଭଉଣୀଙ୍କ କାହାଣୀରୁ ସ୍ପଷ୍ଟ ।