• Thursday, October 16, 2025

ରାଜ୍ୟର ସର୍ବକନିଷ୍ଠା ମହୁଚାଷୀ ପୁଷ୍ପଲକ୍ଷ୍ମୀ

Subhadra Live:Pushlakshmi-the-youngest-beekeeper-in-the-kingdom
ଖବର ଓଡିଶା :13/10/2025

ପଢିବା ବୟସରେ ଆୟତ୍ତ କରିଛନ୍ତି ରୋଜଗାର କରିବାର କଳା। ଜେଜେଙ୍କ ଅମଳରୁ ଘରେ ଥିବା ୩ଟି ମହୁ ବାକ୍ସରୁ ଶିଖିଛନ୍ତି ମହୁମାଛି ପାଳନର ବିଜ୍ଞାନ । ନିଜ ଘର ବାଡ଼ିରେ ୧୦୦ ମହୁ ବାକ୍ସ ବସାଇ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି କେନ୍ଦ୍ରାପଡା ଜିଲ୍ଲା ଡେରାବିଶି ବ୍ଲକ ବନ୍ଧପଡ଼ା ଗାଁର ଛାତ୍ରୀ ପୁଷ୍ପଲକ୍ଷ୍ମୀ ବେହେରା ।ପୁଷ୍ପଲକ୍ଷ୍ମୀଙ୍କ ବୟସ ୨୪ । ଡେରାବିଶି ପଲିଟେକନିକ କଲେଜରେ ମେକାନିକାଲ ବ୍ରାଞ୍ଚର ଦ୍ୱିତୀୟ ବର୍ଷର  ଡିପ୍ଲୋମା ଛାତ୍ରୀ । ଏହି ବୟସରେ ସେ ନିଜକୁ ସ୍ୱରୋଜଗାରୀ ଭାବେ ଗଢିବା ସହିତ ଜିଲ୍ଲାର ସର୍ବକନିଷ୍ଠ ମହୁଚାଷୀ ଭାବେ ସାଉଣ୍ଟିଛନ୍ତି ସୁନାମ । ନ୍ୟୁନ ନିବେଶରେ ରୋଜଗାର କରିବାର ପରିକଳ୍ପନା କଲାବେଳେ ତାଙ୍କ ମନକୁ ଆସିଥିଲା ଘରେ ଥିବା ତିନୋଟି ମହୁବାକ୍ସର କଥା । କମ ନିବେଶ ଓ କମ ପରିଶ୍ରମ ବିନିମୟରେ ମହୁଚାଷ ପାଇଁ ସେ ପ୍ରସ୍ତୁତ ହେଲେ । ଉଦ୍ୟାନ ବିଭାଗ ପକ୍ଷରୁ ୪୦ ପ୍ରତିଶତ ସବସିଡିରେ ସେ ୨୦ ଟି ମହୁବାକ୍ସ ଯୋଗାଡ଼ କଲେ । ଏବେ ତିନିବର୍ଷ ଭିତରେ ସେ ଢେର ଆଗକୁ ବଢ଼ିଛନ୍ତି । ଏବେ ତାଙ୍କ ନିକଟରେ ରହିଛି ୧୦୦ ବାକ୍ସ । ପ୍ରତି ବାକ୍ସରୁ ୨ରୁ ୩ କେଜି ମହୁ ସଂଗ୍ରହ ହେଉଥିବା ବେଳେ କେଜି ପ୍ରତି ୧୨୦୦ ଟଙ୍କା ଦରରେ ସେ ଏହାକୁ ବିକ୍ରି କରିଥାନ୍ତି ।

ପୁଷ୍ପଲକ୍ଷ୍ମୀ କରିଛନ୍ତି  ସପ୍ତଫେଣୀ ପ୍ରଜାତିର ମହୁମାଛି ପାଳନ । ଏକ କିଲୋମିଟର ପରିମିତ ଅଂଚଳରୁ ପ୍ରକୃତିରୁ ସେମାନେ ଖାଦ୍ୟ ସଂଗ୍ରହ କରିଥାନ୍ତି । ଯେଉଁଠି ଆମ୍ବ ,ନିମ୍ବ ,ଜାମୁ ,କରଞ୍ଜ ଗଛ ଅଧିକ ସେଠାରେ ଉତ୍ପାଦିତ ହୋଇଥାଏ ଅଧିକ ମହୁ । ପୁଣି ମହୁମାଛିଙ୍କ ରହିଛି ବିଭିନ୍ନ ବର୍ଗ । ଏଗୁଡ଼ିକୁ ଚିହ୍ନି ମହୁ ଉତ୍ପାଦନ ଜରିଆରେ ଆୟ ବୃଦ୍ଧିକୁ ଫୋକସ କରିଛନ୍ତି ପୁଷ୍ପଲକ୍ଷ୍ମୀ । ସୋସିଆଲ ମିଡ଼ିଆରେ ଓଡିଶା ମହୁମାଛି ସୁରକ୍ଷା ଦଳ ଗଢି ପାରସ୍ପରିକ ସହଯୋଗ ଓ ବିକାଶ ପ୍ରତି ଦୃଷ୍ଟି ଦେଇଛନ୍ତି । ଇତିମଧ୍ୟରେ ସେ କେନ୍ଦ୍ରାପଡ଼ାର ୬୦ ମହୁଚାଷୀଙ୍କ ନେଟୱର୍କ ଗଢିବା ସହିତ ରାଜ୍ୟର ୧୨୦ ମହୁଚାଷୀଙ୍କ ଗ୍ରୁପ ତିଆରି କରିଛନ୍ତି । ବାକ୍ସ ଗୁଡିକର ରକ୍ଷଣାବେକ୍ଷଣ ସାଙ୍ଗକୁ ମହୁର ପ୍ରକ୍ରିୟାକରଣ ଓ କଲୋନୀ ସାଙ୍ଗକୁ ମହମ ବିକ୍ରି ଦିଗରେ ସେ ହାସଲ କରିଛନ୍ତି ବହୁ ଅଭିଜ୍ଞତା । ମହୁ ,ମହମ ,ମାଛି ବିକି ସେ ଅତିରିକ୍ତ ଆୟ କରିବା ସହିତ ତାଲିମଦାତା ଭାବେ ନିଜକୁ ଗଢ଼ିଛନ୍ତି । ମହୁଚାଷରେ ସେ ନାଁ କରିବେ ଓ ଆଗକୁ ଯିବେ ବୋଲି ଲକ୍ଷ ରଖିଛନ୍ତି ରାଜ୍ୟର ସର୍ବକନିଷ୍ଠା ଏହି ମହୁଚାଷୀ ।

TAGS

Author Image

Henil Prava Swain

Author

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.