କଟକ ଆଠଗଡ଼ରେ ହୋଇଛି ହାଇଟେକ ଅର୍କିଡ଼ ଫାର୍ମିଙ୍ଗ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାକୁ ଆଧାର କରି ୧.୩ ଏକର ଜମିରେ ଅର୍କିଡ଼ ଫାର୍ମ କରିଛନ୍ତି ମହିଳା ଉଦ୍ୟୋଗୀ ସଂବିତା ଘୋଷ । ଏକ କୋଟି ଅଢେଇ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ କରି ସେ ବାର୍ଷିକ ୨୪ ଲକ୍ଷ ଟଙ୍କାର ଆୟ ପାଇବାର ଆଶା ରଖିଛନ୍ତି । ଡେପୁଟି ଡ଼ାଇରେକ୍ଟର ହର୍ଟିକଲଚର କଟକ ଅଧିନରେ ଆସୁଥିବା ଆଠଗଡ଼ ଖମାର ନୂଆଗାଁରେ ଏଭଳି ହାଇଟେକ ଫାର୍ମିଙ୍ଗ କରିଛନ୍ତି ସମ୍ବିତା ବୋଷ । ମାଟିଠାରୁ ତିନିଫୁଟ ଉଚ୍ଚରେ ଫାଇବର ଖୁଣ୍ଟ ଓ ନଡ଼ିଆ କତା ଆଚ୍ଛାଦନ କରି ରୋପଣ କରାଯାଇଛି ୩/୪ ପ୍ରଜାତିର ଚାରା । ଅର୍କିଡ଼ ବାଓଟେକ ପକ୍ଷରୁ ବୈଷୟିକ ପରାମର୍ଶ ସହିତ କରାଯାଇଛି ବଜାର ବ୍ୟବସ୍ଥା । ଦିନେ କୋଲକାତାରୁ ଓଡିଶା ଆସୁଥିଲା ଫୁଲ । ଏବେ ଏଠାରୁ ଉତ୍ପାଦିତ ରଙ୍ଗ ବେରଙ୍ଗିର ସୁନ୍ଦର ଓ ଆକର୍ଷଣୀୟ ଫୁଲ କୋଲକାତା ବଜାରକୁ ଯାଉଛି । ଉତ୍ତାପ ,ପବନ ନିୟନ୍ତ୍ରଣ ସହିତ ପରିବେଶକୁ ଅନୁକୂଳ ରଖିବା ପାଇଁ ଏଠାରେ ବସାଯାଇଛି ନାନା ପ୍ରକାରର ମେସିନ ।
ଅର୍କିଡ଼ ଚାଷ ପାଇଁ ଅନୁକୂଳ ଉପକୂଳ ଓଡିଶା । ଏଠାରେ ରହିଛି ଅର୍କିଡ଼ ପାଇଁ ଆବଶ୍ୟକ ଥିବା ଉଷ୍ମତା ଓ ଆଦ୍ରତା । ଅନୁକୂଳ ପାଗଯୋଗ ଥିବାରୁ ସିଙ୍ଗାପୁର ଠାରୁ ଅଧିକ ଉତ୍କୃଷ୍ଟ ଅର୍କିଡ଼ ଫୁଟିଛି ଆଠଗଡରେ । ଏହାର ଗୋଟିଏ ଗୋଟିଏ ପୁଷ୍ପ ଦଣ୍ଡ ୧୮ ଇଂଚ ଯାଏଁ ଲମ୍ବା ହେଉଥିବା ବେଳେ ଗୋଟିଏ ଗୋଟିଏ ଷ୍ଟିକରେ ଆସିଛି ୧୨ ରୁ ୧୮ ଟି ଲେଖାଏଁ ଫୁଲ । ଖମାର ନୁଆଁଗାଁର ଏହି ଫାର୍ମରେ ଲାଗିଛି ୪୩ ହଜାର ଚାରା । ବିରଳ ଡେ଼ଣ୍ଡ୍ରାବିୟମ ପ୍ରଜାତି ସହିତ ଏଠାରେ ଲାଗିଛି ଲେମନ ଗ୍ରୀନ ,ସାନନ ହ୍ବାଇଟ ଓ ପରପଲ ପ୍ରଜାତି । ଉପହାର ,ସାଜସଜ୍ଜା ଓ ଔଷଧିୟ ଗୁଣ ଦୃଷ୍ଟିରୁ ଏହାର ରହିଛି ଚାହିଦା । ଏକରେ ଜମିରେ ଅର୍କିଡ଼ ଚାଷ କରି ମାସିକ ଦୁଇଲକ୍ଷ କରିହେବ ଆୟ ।