ହିନ୍ଦୁ ଧର୍ମର ଏକ ଅନନ୍ୟ ମହତ୍ୱପୂର୍ଣ୍ଣ ସ୍ଥାନ ହେଉଛି ବୃନ୍ଦାବନ । ଏଠାରେ ରହିଛି ଭଗବାନ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କୁ ନେଇ ଅନେକ କାହାଣୀ ଅନେକ ଅନୁଭୂତି । ଜୀବନର ଶେଷ ସମୟରେ ନିଜକୁ ଅଲୋଡା ମନେ କରୁଥିବା ଅନେକ ହିନ୍ଦୁ ବିଧବା ଏଠାକୁ ଆସିଥାନ୍ତି । ବର୍ତ୍ତମାନ ଆଗନ୍ତୁକ ବିଧବାଙ୍କ ସଂଖ୍ୟା ହ୍ରାସ ପାଇଥିଲେ ହେଁ ପୂର୍ବରୁ ଆସିଥିବା ନିରାଶ୍ରୟା ମହିଳାଙ୍କ ଗହଳି ଏଠାରେ ଦେଖିବାକୁ ମିଳେ । ଶହ ଶହ ସଂଖ୍ୟକ ବିଧବା ମହିଳାଙ୍କ ପାଇଁ ମୁଣ୍ଡ ଉପରେ ଛାତ ଓ ମୁଁହକୁ ଗୁଣ୍ଡାଏ ଆହାର ଯୋଗାଡ଼ କରିବା କାଠିକର ପାଠ ହୋଇଯାଏ । ଖାଦ୍ୟ ,ଆଶ୍ରୟ ,ରୋଗ ଓ ଉପେକ୍ଷାର ଶିକାର ଏହି ମହିଳାଙ୍କ ପାଇଁ ଜଣେ ପରୀ ଅଛନ୍ତି । ଭଗବାନ ତାଙ୍କୁ ଏଠାକୁ ପଠାଇଛନ୍ତି ବୋଲି ତାଙ୍କ ଦ୍ୱାରା ଉପକୃତ କିଛି ମହିଳା କହନ୍ତି । ସ୍ୱର୍ଗର ପରୀ ଭଳି ନିରାଶ୍ରୟା ମହିଳାଙ୍କ ସେବା କରୁଥିବା ଏହି ମହିଳା ହେଉଛନ୍ତି ଲକ୍ଷ୍ମୀ ଗୌତମ । ଲକ୍ଷ୍ମୀ ଗୌତମ ବୃତ୍ତିରେ ଜଣେ ଅଧ୍ୟାପିକା । ହେଲେ ବ୍ରତ ତାଙ୍କର ଅସହାୟ ଲୋକଙ୍କ ସେବା ।
ବୃନ୍ଦାବନରେ ଇନଷ୍ଟିଟ୍ୟୁଟ ଅଫ ଓରୀଓଣ୍ଟାଲ ଫିଲୋସଫିରେ ଅଧ୍ୟାପନା କରୁଥିବା ଲକ୍ଷ୍ମୀଙ୍କୁ ଏଭଳି ଅବଦାନ ପାଇଁ ୨୦୧୫ ବର୍ଷର ନାରୀ ଶକ୍ତି ସମ୍ମାନ ମିଳିଛି । ଆଗ୍ରା ବିଶ୍ୱବିଦ୍ୟାଳୟରୁ ଇତିହାସ ରେ ସ୍ନାତକ କରିଥିବା ଲକ୍ଷ୍ମୀ ପରବର୍ତ୍ତୀ ସମୟରେ ପିଏଚଡି କରିବା ସହିତ ବୃନ୍ଦାବନରେ ନିଯୁକ୍ତି ପାଇଥିଲେ । ସାରା ଦେଶର ବିଧବା ବୃନ୍ଦାବନ ଆସି ରହିଯାଉଥିବା ସେ ଦେଖିଲେ। ବର୍ଷ ବର୍ଷ ଧରି ସେମାନଙ୍କର ପରିବାର କିଏ ଦେଖିବାକୁ ଆସୁନଥିଲେ କିମ୍ବା ଏମାନେ ଘରକୁ ଯାଉନଥିଲେ । ମନ୍ଦିରର ପ୍ରସାଦ ଓ ଦାତାଙ୍କ ଅନୁଗ୍ରହ ଉପରେ ନିର୍ଭର କରି ଦାନ ଯୋଗାଡ଼ ହେଉଥିଲା । କିନ୍ତୁ ଯେଉଁମାନେ ରୋଗରେ ପଡୁଥିଲେ ସେମାନଙ୍କ ପାଖରେ ପହଂଚି ସେବା କରିବା ଲୋକଙ୍କ ମଧ୍ୟରେ ଥିଲେ ଲକ୍ଷ୍ମୀ ଗୌତମ । ୬୨ ବର୍ଷ ବୟସ୍କ ଲକ୍ଷ୍ମୀ ୫୦୦ ରୁ ଅଧିକ ଶବକୁ ସମ୍ମାନର ସହିତ ସତ୍କାର କରି ସାଜିଛନ୍ତି ଉଦାହରଣ ।